ଚନ୍ଦ୍ରରେ ବି ହୁଏ ଭୂମିକମ୍ପ : ଯାହା ପୃଥିବୀ ଠାରୁ ଭୟଙ୍କର

ଭୁବନେଶ୍ୱର,(ସଂଗ୍ରାମ ଦାସମହାପାତ୍ର): ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର ଅଭିଯାନରେ ମହାକାଶଚାରୀ ମାନେ ଚନ୍ଦ୍ର ପୃଷ୍ଠର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଚିହ୍ନଟ ପାଇଁ ଯନ୍ତ୍ର ଛାଡ଼ି ଆସିଥିଲେ । ଏହା ୧୯୭୨ ଠାରୁ ୧୯୭୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ସେଥିରୁ ଜଣାପଡ଼ିଛି ଯେ ଏହି ୫ ବର୍ଷ ଭିତରେ ପ୍ରାୟ ୧୨ହଜାର ଥର ଚନ୍ଦ୍ର ପୃଷ୍ଠରେ କମ୍ପନ ସୃଷ୍ଟି ହୋଇଛି । ଅର୍ଥାତ୍ କହିବାକୁ ଗଲେ, ପ୍ରତି ମାସରେ ୨୦୦ଥର ଥରିଛି ଚନ୍ଦ୍ରପୃଷ୍ଠ ।

ପୃଥିବୀରେ ବିଭିନ୍ନ ତୀବ୍ରତାର ଭୂମିକମ୍ପ ଆସୁଥିଲେ ମଧ୍ୟ ସବୁଗୁଡ଼ିକ ଗୋଟିଏ କାରଣରୁ ହୋଇଥାଏ । ତାହା ହେଉଛି ଅତି ମନ୍ଥର ଗତିରେ ଘୁଞ୍ଚୁଥିବା ଏକାଧିକ ଭୂଖଣ୍ଡ ଚଟାଣ ବା ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଘର୍ଷଣ କାରଣରୁ । କିନ୍ତୁ ଚନ୍ଦ୍ରରେ ୪ଟି କାରଣରୁ ଭୂମିକମ୍ପ ଆସିଥାଏ । ସେଗୁଡ଼ିକ ହେଉଛି –

ଗଭୀର ଚନ୍ଦ୍ରକମ୍ପ : ଚନ୍ଦ୍ର ପୃଷ୍ଠରେ ଏପ୍ରକାର କମ୍ପନ ଅଧିକ ଥର ଆସିଥାଏ । ପ୍ରାୟ ୨୭ ଦିନରେ ଥରେ । ଚନ୍ଦ୍ର ପୃଷ୍ଠ ଠାରୁ ୭୦୦ କିଲୋମିଟର ଗଭୀରତାରେ ଏହି କମ୍ପନ ସୃଷ୍ଟି ହୋଇଥାଏ । ଅନୁମାନ କରାଯାଏ ଯେ, ଚନ୍ଦ୍ରର ଆକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଜଳଭାଗରେ ଯେପରି ଜୁଆର ଆସେ, ସେହିପରି ପୃଥିବୀର ଯଥେଷ୍ଟ ଅଧିକ ମହାକର୍ଷଣ ଶକ୍ତି ଚନ୍ଦ୍ରର ପଥୁରିଆ କେନ୍ଦ୍ର ସ୍ଥଳରେ ଅସ୍ଥିରତା ଏବଂ ଫାଟ ସୃଷ୍ଟି କରେ ।

ଗ୍ରହାଣୁ ମାଡ଼ : ପୃଥିବୀ ଆଡ଼କୁ ଆସୁଥିବା ଗ୍ରହାଣୁ ବା ଉଲକା ଏହାର ବାୟୁମଣ୍ଡଳରେ ଘର୍ଷଣ ହୋଇ ଜଳିଯାଏ । ଅତି ବଡ଼ ଗ୍ରହାଣୁ ହୋଇନଥିଲେ ଏହା ବାୟୁମଣ୍ଡଳରେ ହିଁ ଜଲି ନଷ୍ଟ ହୋଇଯାଏ ଏବଂ ପୃଥିବୀପୃଷ୍ଠ ଯାଏଁ ପହଞ୍ଚିପାରେ ନାହିଁ । ଯଦିବା କୌଣସି ବଡ଼ ଗ୍ରହାଣୁ ପୃଥିବୀପୃଷ୍ଠରେ ପହଞ୍ଚେ, ବାଯୁମଣ୍ଡଳ ସହ ଘର୍ଷଣ ହୋଇ ଜଳିଯିବା କାରଣରୁ ଏହାର ଆକାର ଛୋଟ ହୋଇଯାଇଥାଏ । ମାତ୍ର ଚନ୍ଦ୍ରରେ ବାୟୁମଣ୍ଡଳ ନଥାଏ । ତେଣୁ ଛୋଟବଡ଼ ସମସ୍ତ ଗ୍ରହାଣୁ ଚନ୍ଦ୍ର ଆଡ଼କୁ ଆସିଲେ ନିଶ୍ଚିତରୂପେ ଏହାର ପୃଷ୍ଠରେ ମାଡ଼ ହୋଇଥାଏ । ଏହି ଗ୍ରହାଣୁ ମାଡ଼ ଫଳରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ବହୁସମୟରେ କମ୍ପନ ସୃଷ୍ଟି ହୁଏ ।

ତାପମାତ୍ରାର ତାରତାମ୍ୟ : ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ୨ ସପ୍ତାହ ଯାଏଁ ସୂର୍ଯ୍ୟର ବିପରୀତ ଦିଗକୁ ଅର୍ଥାତ୍ ଅନ୍ଧାରରେ ରହେ । ତେଣୁ ସେଠାରେ ତାପମାତ୍ରା -୧୫୧ ଡିଗ୍ରୀ ସେଲସିୟସ୍ ଠାରୁ ଆହୁରି ହ୍ରାସ ପାଏ । ଏହି ପାର୍ଶ୍ୱ ୨ସପ୍ତାହ ପରେ ଯେତେବେଳେ ସୂର୍ୟ୍ୟ ଆଡ଼କୁ ବୁଲେ ତାହାର ତାମମାତ୍ରା ହଠାତ୍ ୧୨୧ ଡିଗ୍ରୀ ସେଲସିୟସ୍ ହୋଇଯାଏ । ତେଣୁ ଶୀତଳ ହୋଇ ସଂକୁଚିତ ଅବସ୍ଥାରେ ଥିବା ଚନ୍ଦ୍ରପୃଷ୍ଠ ହଠାତ୍ ଅତ୍ୟଧିକ ତାପମାତ୍ରା ଯୋଗୁଁ ପ୍ରସାରିତ ହେବା ଫଳରେ କମ୍ପନ ସୃଷ୍ଟି ହୁଏ।

ଅଗଭୀର ଚନ୍ଦ୍ରକମ୍ପ : ଚନ୍ଦ୍ରପୃଷ୍ଠରେ ଏହି ପ୍ରକାର କମ୍ପନର ସଠିକ୍ କାରଣ ଜଣାନଥିଲେ ମଧ୍ୟ ଏହା ଅନ୍ୟ ୩ ପ୍ରକାର ଚନ୍ଦ୍ରକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ଏହା ରିକ୍ଟର ସ୍କେଲରେ ୫.୫ ତୀବ୍ରତା ପର୍ୟ୍ୟନ୍ତ ପହଞ୍ଚିଥିବାର ଦେଖାଯାଇଛି । ୧୯୭୨ରୁ ୭୭ ମସିହା ମଧ୍ୟରେ ୨୮ ଥର ଏଭଳି ଚନ୍ଦ୍ରକମ୍ପ ହୋଇଛି । ଗ୍ରହାଣୁ ମାଡ଼ ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ଭାଙ୍ଗିବା କାରଣରୁ ଏହି କମ୍ପନ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି ।

ପୃଥିବୀରେ ଗତିଶୀଳ ଟେକ୍ଟନିକ୍ ପ୍ଲେଟ୍ ମଧ୍ୟରେ ଘର୍ଷଣ କାରଣରୁ ଭୂମିକମ୍ପ ହେଲେ ଏହା ୧୦ରୁ ୩୦ ସେକେଣ୍ଡ୍ କିମ୍ବା ଅତିବେଶୀରେ ଗୋଟିଏ କିମ୍ବା ୨ ମିନିଟ ପର୍ୟ୍ୟନ୍ତ ରହେ । ଏହି ସମୟରେ କମ୍ପନ ପାଣି ଓ ପଥୁରିଆ ଚଟାଣ ଦେଇ ଗତି କରୁଥିବାରୁ ଭୂମିକମ୍ପର ଶକ୍ତି ଧୀରେଧୀରେ କମିବାରେ ଲାଗେ । କିନ୍ତୁ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଗୋଟିଏ ମାତ୍ର ଶୁଷ୍କ ପଥୁରିଆ ଚଟାଣରେ ତିଆରି ହୋଇଥିବାରୁ ସେଠାରେ ଭୂମିକମ୍ପ ଯଥେଷ୍ଟ ଲମ୍ବା ସମୟ ପାଇଁ ରହେ । ଭୂମିକମ୍ପର ଅଧିକ ତୀବ୍ରତା ୧୦ ମିନିଟ ପର୍ଯ୍ୟନ୍ତ ଅନୁଭୂତ ହୁଏ ଏବଂ ଏହାପରେ କିଛି ଘଣ୍ଟା ପାଇଁ କ୍ଷୀଣ କମ୍ପନ ଚନ୍ଦ୍ରପୃଷ୍ଟରେ ଜାରି ରହିଥାଏ । ତେଣୁ ଭବିଷ୍ୟତରେ ସେଠାରେ ଜନବସତି ସ୍ଥାପନ ହେଲେ, ଘରର କାନ୍ଥ ଭାଙ୍ଗିଯିବା ଏବଂ ଅମ୍ଳଜାନ ଟାଙ୍କି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

Previous ArticleNext Article

Send this to a friend