ରାଜନୀତିରେ ଗ୍ଲାମର ଗାର୍ଲଙ୍କ ଜଲୱା

ଭୁବନେଶ୍ୱର,(ଦେବଦତ୍ତ ରଥ):ରୂପେଲି ପରଦାରୁ ରାଜନୀତି । ଗତ କିଛି  ଦିନ ହେଲା ଏହି ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିକୁ ଜଣକ ପରେ ଜଣେ ସିନେ ତାରକା  ପାଦ ଥାପୁଥିବା ଦେଖିବାକୁ ମିଳିଛି।  ନିକଟରେ ଓଲିଉଡ ନାୟିକା ମହାଶ୍ୱେତା ରାୟ ଏବେ ରାଜନୀତିରେ ପାଦ ଥାପିଛନ୍ତି। ସେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ମିସ୍ ଇଣ୍ଡିଆ ପ୍ରତିଯୋଗୀ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ରାଜନୀତିକୁ ଆସିବାର ଚର୍ଚ୍ଚା ହେଉଛି। ଏନେଇ […]

poltics

poltics

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 09:15 AM IST

Sports

Latest News

ଭୁବନେଶ୍ୱର,(ଦେବଦତ୍ତ ରଥ):ରୂପେଲି ପରଦାରୁ ରାଜନୀତି । ଗତ କିଛି  ଦିନ ହେଲା ଏହି ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିକୁ ଜଣକ ପରେ ଜଣେ ସିନେ ତାରକା  ପାଦ ଥାପୁଥିବା ଦେଖିବାକୁ ମିଳିଛି।  ନିକଟରେ ଓଲିଉଡ ନାୟିକା ମହାଶ୍ୱେତା ରାୟ ଏବେ ରାଜନୀତିରେ ପାଦ ଥାପିଛନ୍ତି। ସେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ମିସ୍ ଇଣ୍ଡିଆ ପ୍ରତିଯୋଗୀ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ରାଜନୀତିକୁ ଆସିବାର ଚର୍ଚ୍ଚା ହେଉଛି। ଏନେଇ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହା ପୂର୍ବରୁ ପିଙ୍କି ପ୍ରଧାନ ଏବଂ ଏଇ ନିକଟରେ ଅନୁ ଚୌଧୁରି ପରି ଅଭିନେତ୍ରୀ ରାଜନୀତିରେ ପାଦ ଥାମିଛନ୍ତି।  ସେହିପରି ଅପରାଜିତା ମହାନ୍ତି  ଆଗରୁ କଂଗ୍ରେସରେ ଥିଲେ। ଏବେ ସେ ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି କହିସାରିଛନ୍ତି। ଗ୍ଲାମର ଦୁନିଆ ସହ ରାଜନୀତିର ପୁରୁଣା ସଂପର୍କ ଥିଲେ ସୁଧା ତାହା ସାଧାରଣତଃ ଜାତୀୟ ରାଜନୀତିରେ ଦେଖା ଯାଉଥିଲା। ଓଡ଼ିଶାରେ ଏତେଟା ନ ଥିଲା। ଏମିତିରେ ସିନେ ତାରକାଙ୍କର ଓଡ଼ିଶା ରାଜନୀତିରେ ସଫଳତା ହାର ମଧ୍ୟ ଖୁବ୍ କମ।

ରାଜନୀତି କ୍ଷେତ୍ରରେ ଗ୍ଲାମର ଗାର୍ଲଙ୍କ କଥା ଦେଖିବାକୁ ଗଲେ ଅନେକ କେବଳ ବିଉଟିର ଅଧିକାରୀ ହୋଇଥିବା ବେଳେ ତନ୍ମଧ୍ୟରୁ କେତେଜଣ ବିଉଟି ସହ ଟ୍ୟାଲେଣ୍ଟର ଅଧିକାରୀ। କେତେ ଜଣ ମଲ୍ଟି ଟ୍ୟାଲେଣ୍ଟର ଅଧିକାରୀ। ଗ୍ଲାମର ସାଙ୍ଗକୁ ସେଲିବ୍ରେଟି ହେଇଥିବା କାରଣରୁ ଜନତାଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ଏମାନଙ୍କୁ ଗୁରୁତ୍ୱ ଦେଇ ଥାଆନ୍ତି। ତେବେ ବିଉଟି ସହ ଟ୍ୟାଲେଣ୍ଟ ଥିବା ମହିଳା ମାନେ ହିଁ ସାଧାରଣତଃ ସଫଳତା ପାଇ ଥାଆନ୍ତି। ଚଳଚିତ୍ର ଜଗତରୁ ହିଁ ଆସୁଥିବା ଅଭିନେତ୍ରୀ ମାନଙ୍କ ପାଖରେ ଯେ କେବଳ ଗ୍ଲାମର ରହିଛି ତା' ନୁହେଁ, ସାମାଜିକ ସ୍ତରରେ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରମାଣିତ କରି ପାରିଥିବା ତଥା ନିଜର ଗ୍ଲାମର ଲୁକ୍ ନେଇ ଚର୍ଚ୍ଚିତ ଅନେକ ମହିଳା ଆଜି ଜଣେ ଜଣେ ସଫଳ ନେତ୍ରୀ। ଭାରତୀୟ ରାଜନୀତିରେ ଅନେକ ଗ୍ଲାମର ଗାର୍ଲ ରାଜନୀତିରେ ପାଦ ଥାପିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ସଫଳ ହୋଇଛନ୍ତି ତ’ ଆଉ କେତେକ ବିଫଳ। ଅନ୍ୟପକ୍ଷରେ ଆଉ କେତେକ ନେତ୍ରୀ ସିଧାସଳଖ ଗ୍ଲାମର ଜଗତ ସହିତ ଜଡ଼ିତ ନ ଥାଇ ମଧ୍ୟ ସିନେ ଷ୍ଟାରଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି ସେମାନେ। ସେମାନେ ଦେଖିବାକୁ ଯେତିକି ସୁନ୍ଦର ସେମିତି ସାଙ୍ଗରେ ରହିଛି  ଆକର୍ଷଣୀୟ ବ୍ୟକ୍ତିତ୍ୱ। ଉଚ୍ଚ ଶିକ୍ଷିତା ସାଙ୍ଗରେ ସେମାନଙ୍କ ପାଖରେ ମଲ୍ଟି ଟ୍ୟାଲେଣ୍ଟ ରହିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମେତ ସୁଷମା ସ୍ୱରାଜ, ସୋନିଆ ଗାନ୍ଧୀ, ନିର୍ମଳା ସୀତାରମଣ, ଶୀଲା ଦୀକ୍ଷିତ, ଜୟ ଲଲିତା ପ୍ରମୁଖ ନେତ୍ରୀମାନେ ରାଜନୀତିରେ ଭିନ୍ନ  ପରିଚୟ ସୃଷ୍ଟି କରି ପାରିଛନ୍ତି। ଏମାନଙ୍କ ମଧ୍ୟରୁ  କେହି କେହି ପରପାରିକୁ ଚାଲିଗଲେଣି। ଏବେବି  ଭାରତୀୟ ରାଜନୀତିରେ ଏମିତି ଅନେକ ଗ୍ଲାମର ମହିଳାଙ୍କୁ ଦେଖିବାକୁ ମିଳୁଛି। ଏଥିରେ ବିଜେପି ସର୍ବାଗ୍ରେ ଥିବା ପରିଲିଖିତ ହେଉଛି ରାଜନୀତିରେ ଗ୍ଲାମର ଗାର୍ଲଙ୍କ କଥା ଦେଖିଲେ ସ୍ମୃତି ଯୁବାନି ଇରାନୀଙ୍କ ନାମ ବୋଧେ ଏବେ ପ୍ରଥମେ ଆସୁଛି। ଟିଭି ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଯାଇଥିବା ସ୍ମୃତି ରାଜନୀତିରେ ପାଦ ଦେଇ ଅଳ୍ପ ଦିନ ମଧ୍ୟରେ ବହୁ ସଫଳତା ପାଇଛନ୍ତି। ଗତ ୧୪ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ମୁତି ଇରାନୀ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ମଧ୍ୟ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ।ହାରିଥିଲେ ମଧ୍ୟ ମୋଦି ସରକାରରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ହୋଇ ଆହୁରି ଚର୍ଚ୍ଚିତ ହୋଇଯାଇ ଥିଲେ। ତେବେ ପରେ ଅବଶ୍ୟ କିଛି ସମସ୍ୟା ଭିତରେ ତାଙ୍କ ବିଭାଗ ପରିବର୍ତ୍ତନ କରି ଦିଆ ଯାଇଥିଲା।

ସେହିପରି ଆଉ ଜଣେ ହେଲେ ତାମିଲ ଅଭିନେତ୍ରୀ ରମେୟା। ୩୦ ବର୍ଷୀୟା ରମେୟାଙ୍କ ପ୍ରକୃତ ନାମ ଥିଲା ଦିବ୍ୟା। ବ୍ରେନ୍ ଇଇଥ୍ ବିଉଟିର ଅଧିକାରୀ ରମେୟା ଭାରତୀୟ ରାଜନୀତିରେ ଜଣେ ଅନ୍ୟତମ ଯୁବା ସାଂସଦ ଭାବରେ ପରିଚିତ ସେ।  ସେହିପରି ଆଉ ଜଣେ ହେଲେ ଆମ ଆଦିମ ପାର୍ଟିର ଅଳକା ଲାମ୍ବା। ଛାତ୍ର ରାଜନୀତି ସହ ଜଡ଼ିତ ଥିବା ଅଳକା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାନେତ୍ରୀ ଥିଲେ। ଛାତ୍ର ରାଜନୀତି ପରେ ସେ କଂଗ୍ରେସରେ ଯୋଗ ଦେବା ସହ କଂଗ୍ରେସ ଦଳରେ ଅନେକ ଗୁରୁ ଦାୟିତ୍ୱରେ ଥିଲେ। ପରେ ସେ କଂଗ୍ରେସ ଛାଡ଼ି ଆପରେ ଯୋଗ ଦେଲେ। ମୁଲାୟମଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାଧାରଣ ଶାଢ଼ୀଟିଏରେ ଗ୍ଲାମର ଲୁକ୍ ପାଇଁ ପରିଚିତ ଥିବା ବେଳେ ସେ ଏମପି ହୋଇ ପାରିଛନ୍ତି। ସଞ୍ଜୟ ଦତ୍ତଙ୍କ ଭଉଣୀ ୪୭ ବର୍ଷ ବୟସ୍କା ପ୍ରିୟା ଦତ୍ତ ତାଙ୍କ ପିତା ସୁନୀଲ ଦତ୍ତଙ୍କ ମୃତ୍ୟୁ ପରେ ସେ ଏମପି ଥିବା ଆସନରୁ କଂଗ୍ରେସ ପକ୍ଷରୁ ପାର୍ଥି ହୋଇ ଆଜି ସେ ଏମପି।

ଏ ଭିତରେ ଭିନ୍ନ ଏକ ନେତ୍ରୀ ହେଲେ ଜୟପୁରର ଛବି  ରାୱତ। ସେ ଏବେ ଜଣେ ସରପଞ୍ଚ। ଏମବିଏ ଡିଗ୍ରୀଧାରୀଭାବେ  ଉଚ୍ଚଶିକ୍ଷିତ ଭାବେ ବୋଧ ହୁଏ  ସେ ଦେଶର ଏକ ମାତ୍ର ସରପଞ୍ଚ। ରୁରାଲ ଡେଭଲପମେଣ୍ଟ ଦିଗରେ କାମ କରିବା ଉଦ୍ଦେଶ୍ୟରେ ସେ ଚାକିରୀ ଛାଡ଼ି ନିଜ ଗ୍ରାମରେ ସରପଞ୍ଚ ହେଲେ।

ଶିରୋମଣି ଅକାଳି ଦଳର ହରସିମରତ କୌର ବାଦଲ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଥରେ ଭାଷଣ ଆରମ୍ଭ କଲେ ଥମିବାର ଆଉ ନାଁ  ନିଏନି, ଅନର୍ଗଳ ଭାଷଣ ଦେଇ ଚାଲନ୍ତି ସେ । ସାଧାରଣ କୁର୍ତ୍ତା ଏବଂ ପାଇଜାମାରେ ସେ ଗର୍ଜିୟସ ଲାଗନ୍ତି। ଟିଭି ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସାଜିଆ ଇଲମୀ ପ୍ରଥମେ ଆମ ଆଦିମ ପାର୍ଟିରୁ ରାଜନୀତି ଆରମ୍ଭ କରି ପରେ ବିଜେପିରେ ଯୋଗ ଦେଇଛନ୍ତି। ବିଭିନ୍ନ ନିଉଜ ଚାନେଲରେ ବିଜେପି ତରଫରୁ ପକ୍ଷ  ରଖୁଥିବା ତାଙ୍କୁ ଦେଖିବାକୁ ମିଳୁଛି। ଆନ୍ନା ହଜାରେଙ୍କ ଇଣ୍ଡିଆ ଏଗେନେଷ୍ଟ କରପସନ୍‌ ମୁଭମେଣ୍ଟରେ ସାଜିଆ ମୁଖପାତ୍ର ପରି ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିଲେ। ସେହିପରି ଫେସନ ଡିଜାଇନର ସାଇନା ଏନ.ସି. ବିଜେପିର ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ।  ନ୍ୟୁଜ୍‌ ଚାନେଲ ଗୁଡ଼ିକରେ ସେ ଖୁବ୍ ଶାଣିତ ତର୍କ କରିବାରେ ସେ ସିଦ୍ଧହସ୍ତା।ସେହିପରି ପେଶାରେ ଓକିଲାତି ଥିବା ମିନାକ୍ଷି ଲେଖି ଏବଂ ନୁପୂର ଶର୍ମା ବିଜେପିର ଦୁଇ ଜଣ ପ୍ରମୁଖ ନେତ୍ରୀ। ଉଭୟ ଚମତ୍କାର ଭାଷଣ ଦେଇ ପାରନ୍ତି। ମିନାକ୍ଷି ଲେଖି ଏବେ ଏବେ ମୁମ୍ବାଇର ଏକ ଆସନରୁ ସାଂସଦ ଅଛନ୍ତି।

ସେହିପରି ମହାଭାରତ ସିରିଏଲରେ ଦ୍ରୌପଦୀ ଭୂମିକାରେ ଥିବା ରୂପା ଗାଙ୍ଗୁଲି, ନଗମା, ମିସ୍ ୟୁନିଭର୍ସ ପ୍ରତିଯୋଗୀ ତଥା ମଡେଲ ଅଭିନେତ୍ରୀ ଗୁଲ ପନାଗଙ୍କ ପରି ଅନେକ ଅଭିନେତ୍ରୀ ରାଜନୀତିକୁ ଆପଣେଇଛନ୍ତି।ପୂର୍ବରୁ ହେମା ମାଳିନୀ, ଜୟା ବଚ୍ଚନ, ଜୟପ୍ରଦା, ସାବନା ଆଜମୀ ପରି କେତେକ ଅଭିନେତ୍ରୀ ରାଜନୀତିକୁ ଆସିଛନ୍ତି। ଅଧିକାଂଶ ଏବେ ସାଂସଦ ମଧ୍ୟ ଅଛନ୍ତି। ଅଭିନେତ୍ରୀ ରେଖା ରାଜ୍ୟସଭାକୁ ମନୋନୀତ ହୋଇ ଯାଇଛନ୍ତି। ଏ ସବୁ ଭିତରେ ଆସାମର ଗ୍ଲାମର ଗାର୍ଲ ଅଙ୍ଗୁରଲତା ଡେକାଙ୍କ ଚର୍ଚ୍ଚା କମ ନୁହଁ। ଅଭିନୟ ଜଗତରୁ ଆସିଥିବା ଅଙ୍ଗୁରଲତା ଏବେ ବିଜେପି ବିଧାୟିକା ଅଛନ୍ତି। ଗ୍ଲାମର ଚେହେରା ସାଙ୍ଗକୁ ତାଙ୍କ ବେଶଭୂଷା,  ହୋଟେଲ, ପାର୍ଟି,ସୁଇମିଂ ପୁଲ ଆଦି ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।ଏ ଭିତରେ ଜଣେ ମୂଳ ଭାରତୀୟ ତଥା ଆମେରିକାର ନାଗରିକ ନିକ୍କି ହାଲେ ଖୁବ୍ ଚର୍ଚ୍ଚିତ ଚେହେରା। ସେ ଏବେ ଦକ୍ଷିଣ କାରୋଲିନାରେ ଗଭର୍ଣ୍ଣର ଅଛନ୍ତି। ପଡ଼ୋଶୀ ଦେଶ ପାକିସ୍ଥାନରେ ବୈଦେଶୀକ ମନ୍ତ୍ରୀ ଥିବା ହିନା ରବାନି ଖର ତାଙ୍କର ଗ୍ଲାମର ଲୁକ୍ ସାଙ୍ଗକୁ ଦକ୍ଷତା ପାଇଁ ବେଶ ପରିଚିତ ଥିଲେ। ଭାରତରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ତେବେ ଅନୁଶୀଳନ କଲେ ଦେଖା ଯାଉଛି କେବଳ ଗ୍ଲାମର ଲୁକ୍ ନୁହେଁ, ବିଉଟି ସହ ଟ୍ୟାଲେଣ୍ଟ ଥିବା କିଛି ମହିଳା ହିଁ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos