ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୯୪ ଛୁଇଁଲା

encephalitis-1

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ କୋରକୋଣ୍ଡା ବ୍ଲକ୍ ଏମଭି-୨୨ର  ଶିଶୁପୁତ୍ର ବବୁଲ ହାଲୁଆ(୫) ଓ ମାଥିଲିର ଶିଶୁକନ୍ୟା ଝାନସୀ ଭୂମିଆ(୫)। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୯୪ରେ ପହଞ୍ଚିଛି।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଶନିବାର ମଧ୍ୟ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଦାନିଗୁଡ଼ା ଗାଁର ଶାନ୍ତି ପଡ଼ିଆମୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶାନ୍ତିଙ୍କ ଦୁଇ ଭଇ ଓ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା’ ଭୟଭୀତ ହୋଇପଡ଼ିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଜାଣିପାରି ଶାନ୍ତିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶାନ୍ତି ସୁସ୍ଥ ହେବା ପରେ ଜିଲ୍ଲା ପ୍ରଶାସନ ଆଜି ତାକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ରୋଗ ନିୟନ୍ତ୍ରଣକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତାରେ ପଡି ଯାଇଛି। ମେଡ଼ିକାଲ ଟିମ୍‌ର ସତ୍‌ଚେଷ୍ଟା ସତ୍ତ୍ୱେ ରୋଗ ନିୟନ୍ତ୍ରଣକୁ ଆସିପାରୁନି। ପ୍ରତିଦିନ ଶିଶୁମାନଙ୍କ ମୃତ୍ୟୁ ଘଟୁଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କୈଳାସ ଦାସ କହିଛନ୍ତି,“ଏବେ ସୁଦ୍ଧା ୨୯୫ଜଣ ଜ୍ୱର ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି। ଏନ୍‌ସେଫାଲାଇଟିସ୍‌ରେ ୩୦, ଏଇଏସ୍‌ରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଖୁବ୍‌ ଶୀଘ୍ର ମାଇକ୍ରୋ ବାୟୋଲୋଜିକାଲ ଟିମ୍‌ ମାଲକାନଗିରି ଗସ୍ତ କରିବ।”

Previous ArticleNext Article

Send this to a friend