ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କର ଓଡ଼ିଶା ସହ ରହିଛି ନିଆରା ସମ୍ପର୍କ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନାରୀ ଚରିତ୍ରମାନଙ୍କ କଥା ମନେ ପଡିଲେ ମନେ ପଡନ୍ତି ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈ। ନିଜ ସ୍ୱାମୀଙ୍କ ଦେହାନ୍ତ ପରେ ଝାନ୍‌ସୀ ସାମ୍ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ନିଜକୁ ଇଂରେଜ ବିରୋଧୀ ଯୁଦ୍ଧରେ ସାମିଲ କରିଥିଲେ। ନିଜ ଛୋଟ ଶିଶୁ ସନ୍ତାନକୁ ଅଣ୍ଟାରେ ବାନ୍ଧିରଖି ଯୁଦ୍ଧ କରିବା ନିଶ୍ଚିତ ଭାବେ ଥିଲା ଅନନ୍ୟ।

କାହିଁକି ହୋଇଥିଲା ଯୁଦ୍ଧ?

ଆଜି ହେଉଛି ଲକ୍ଷ୍ମୀବାଈଙ୍କର ୬୦ତମ ପୂଣ୍ୟତିଥି। ଆଜି ହିଁ ହେଉଛି ଦେଶର ଗର୍ବ ଗୌରବ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କର ବଳିଦାନ ଦିବସ। ଇଂରେଜମାନଙ୍କୁ ହଟାଇ ଦେଶ ପାଇଁ ସ୍ୱାଧିନତା ଆଣିବାରେ ସେ ନିଜର ପ୍ରାଣ ଉତ୍ସଗ କରିଦେଇଥିଲେ। ସ୍ୱାଧିନତା ସଂଗ୍ରାମରେ ରାଣୀ ଲକ୍ଷ୍ମୀବାଈଙ୍କର ନାଁ ସର୍ବଦା ଅମର।

ଲକ୍ଷ୍ମୀବାଈଙ୍କ ସ୍ୱାମୀ ଅର୍ଥାତ ଝାନ୍‌ସୀର ରାଜା ଗଙ୍ଗାଧର ରାଓଙ୍କର ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ଝାନ୍ସୀର ରାଜଗାଦି ସମ୍ଭାଳିବାକୁ ବା ଉତ୍ତରାଧିକାରୀ ହେବାପାଇଁ ସେ ଏକ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ। ଯାହାର ନାଁ ଦାମୋଦର ରାଓ ରଖାଯାଇଥିଲା।

ହେଲେ ଇଂରେଜମାନେ ଦାମୋଦରଙ୍କୁ ଝାନ୍‌ସୀ ରାଜବଂଶର ଉତ୍ତରାଧିକାରୀ ଭାବେ ଗ୍ରହଣ କରି ନ ଥିଲେ। ଫଳରେ ଯୁଦ୍ଧ ହୋଇଥିଲା। ସେ ଇଂରେଜମାନଙ୍କଠୁ ନିଜ ଝାନ୍‌ସୀ ଫେରାଇ ନେବାକୁ ଶପଥ ନେଇଥିଲେ। ସେ ଇଂରେଜମାନଙ୍କୁ ଯୁଦ୍ଧରେ ଧୂଳି ଚଟାଇ ଦେଇଥିଲେ। କିନ୍ତୁ ଝାନ୍‌ସୀର ସେନା ଇଂରେଜଙ୍କ ସେନାଠୁ କମ୍‌ ହୋଇଥିବାରୁ ଲକ୍ଷ୍ମୀବାଈଙ୍କୁ ନିଜର ପ୍ରାଣବଳୀ ଦେବାକୁ ପଡ଼ିଥିଲା। ଲକ୍ଷ୍ମୀ ବାଈଙ୍କର ଏହି ଅଦମ୍ୟ ସାହସ ଓ ବଳିଦାନ ପାଇଁ ନିଜେ ଇଂରେଜମାନେ ତାଙ୍କୁ ‘ଜୋନ୍ ଅଫ୍ ଆର୍କ’ର ଆଖ୍ୟା ଦେଇଥିଲେ।

ଓଡ଼ିଶା ସହ ଲକ୍ଷ୍ମୀବାଈଙ୍କର କ’ଣ ରହିଛି ସମ୍ପର୍କ?

କେବଳ ଝାନ୍‌ସୀ ନୁହେଁ ଓଡ଼ିଶା ସହ ମଧ୍ୟ ରାଣୀ ଲକ୍ଷ୍ମୀ ବାଈଙ୍କର ରହିଛି କିଛି ନିଆରା ସମ୍ପର୍କ। ବୋଧ ହୁଏ ଆପଣମାନେ ଏ ବିଷୟରେ ଅବଗତ ନ ଥିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଓଡ଼ିଶା ସହ ତାଙ୍କର କିଭଳି ସମ୍ପର୍କ ରହିଛି।

ରାଣୀ ଲକ୍ଷ୍ମୀବାଈ ଥିଲେ ଓଡ଼ିଶାର ଝିଅ। କଥାଟା ଆପଣଙ୍କ ମନକୁ ହଠାତ୍‌ ଖଟ୍‌କା ଲାଗିଥିବ। କାରଣ ଏ ସମ୍ପର୍କରେ ହୁଏତ ଆପଣ ଶୁଣି ନ ଥିବେ। ତା ହେଲେ ଆସନ୍ତୁ ଜାଣିବା ଆମେ କାହିଁକି କହିଲୁ ସେ ଓଡ଼ିଶାର ଝିଅ ଥିଲେ ବୋଲି।

ଓଡିଆ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆଙ୍କ ନାଁ ଶୁଣିଥିବା ନିଶ୍ଚୟ। ଶ୍ରୀମନ୍ଦିରର ଏହି ଖୁଣ୍ଟିଆ ସେବକ ଜଗନ୍ନାଥ ମହାପ୍ରଭୁଙ୍କ ସେବା ସହ ମା’ ମାଟିକୁ ଭଲ ପାଇ ଦିନେ ପାଲଟି ଯାଇଥିଲେ ଚର୍ଚ୍ଚିତ। ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଦଖଲ ପାଇଁ ଇଂରେଜମାନେ ବହୁ ପନ୍ଧିଫିକର କରୁଥିବା ବେଳେ ତାଙ୍କୁ ନାକେଦମ୍‌ କରିଥିଲେ ଚାଖି। ଆଉ ଏଇ ଚଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ଧର୍ମ ଭଗ୍ନି ଥିଲେ ରାଣୀ ଲକ୍ଷ୍ମୀବାଈ।

ପିଲାବେଳେ ନିଜ ପିତାଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ଲକ୍ଷ୍ମୀ। ତାଙ୍କ କୌଳିକ ପଣ୍ଡା ଥିଲେ ଚାଖିଙ୍କ ପିତା। ଚାଖି ଏବଂ ଲକ୍ଷ୍ମୀ ସମବୟସ୍କ ଥିବାରୁ ଉଭୟ ଉଭୟଙ୍କ ପ୍ରତି ବେଶ୍‌ ଆକର୍ଷିତ ହୋଇଥିଲେ। ଏହା ଦେଖି ଦୁହିଁଙ୍କ ପିତା ଉଭୟଙ୍କୁ ମହାପ୍ରସାଦ ଖୁଆଇ ନିଳଚକ୍ରକୁ ଚାହିଁ ଭାଇ-ଭାଉଣୀର ନିଆରା ସମ୍ପର୍କରେ ବାନ୍ଧି ଦେଇଥିଲେ।

ଛୋଟ ବେଳର ଏହି ସମ୍ପର୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଉଭୟ ନିଭାଉ ଥିଲେ। ଏପରିକି ରାଣୀ ଲକ୍ଷୀବାଈ ନିଜ ସାମ୍ରାଜ୍ୟ ସୁରକ୍ଷା ପାଇଁ ଯୁଦ୍ଧ କରୁଥିବା ଖବର ପାଇଁ ଭଉଣୀଙ୍କୁ ସହାୟତା କରିବାକୁ ଚାଖି ଖୁଣ୍ଟିଆ ଇଂରେଜମାନଙ୍କ ଆଖିରେ ଧୂଳି ଦେଇ ଝାନ୍‌ସୀ ଯୁଦ୍ଧରେ ସାମିଲ ହୋଇଥିଲେ। ଆଉ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ କୌଣସି ଇଂରେଜ ଧରିବାରେ ସଫଳ ମଧ୍ୟ ହୋଇ ନ ଥିଲେ।

Previous ArticleNext Article

Send this to a friend