ବେଷ୍ଟ୍ ଫ୍ରେଣ୍ଡ୍

Kalamara Kuhu-3

 

ନେଳିନେଳି ଧାନଗଛ ଉପରେ ବୋହୁଥିଲା ଭୋଦୁଅ ପବନ । ସାପଫଣା ପରି ଖେଳୁଥିଲା ଧାନଗଛର ସାଗୁଆ ପତ୍ର। ଓସ୍ତଗଛ ଛାଇରେ ଚୁଟି ଖେଳାଇ ବସିଥିଲା ମାନୀ ଦେଈ। କେବେଠୁ ଯଦିଓ ଜମିଦାରୀ ଉଚ୍ଛେଦ ହେଇ ସାରିଥିଲା। ମାତ୍ର ଅଜୟଙ୍କ ଗାଁର ମହାପାତ୍ର ଘରୁ କିନ୍ତୁ ଉଡ଼ି ଯାଇନଥିଲା ସେ କର୍ପୂର ବାସ୍ନା । ପୋଡ଼ାକନାରୁ ବି ଅନେକ ସମୟରେ ଚହଟେ ସେ ବାସ୍ନା। ଆଜି ବି ମହାପାତ୍ର ଘରର ସେ ବିସ୍ତୀର୍ଣ୍ଣ ଚଉପାଢ଼ି ଉପରକୁ ଚଢ଼ିବା ଗାଁର ଅନେକ ଲୋକଙ୍କ ପାଇଁ ଅସମ୍ଭବ ଥିଲା। ଆଜି ବି ମହାପାତ୍ର ଘର ବାଟିବାଟି ସମ୍ପତ୍ତି ଓ ମହାପାତ୍ର ଘର ତାଙ୍କ ଗାଁର ସବୁଠୁ ଧନୀଘର। ଉଚ୍ଚା ପକ୍କା ପିଣ୍ଡା, ଏଁ ଏଁ କାଠଖୁଣ୍ଟ, କମକୁଟଭରା ଦୁଆରବନ୍ଧ, ଟିଣ ଛାଉଣୀ ଦି’ପରସ୍ତିଆ ଘର। ସେମିତି ଘର ତାଙ୍କ ଗାଁ କ’ଣ ଆଖପାଖ ପାଞ୍ଚଖଣ୍ଡ ଗାଁରେ ବି ନଥିଲା। ମହାପାତ୍ର ସାହି ଭିତରକୁ ପଶିବା ସହଜ ନଥିଲା। ଯେମିତି ସେମାନେ ଗାଁ ଠୁ ଭିନ୍ନ ଓ ବିଚ୍ଛିନ୍ନ। ସେହି ବଂଶର ସୁଧାକର ମହାପାତ୍ର ଥିଲେ ଗାଁର ମୁଖିଆ। ତାଙ୍କରି ଝିଅ ମାନୀଦେଈ। ରୂପରେ ସାକ୍ଷାତ୍ ଦେବୀ ପ୍ରତିମା। ଯେତେସବୁ ଭଲ ଗୁଣ ଯେମିତି ଖୁନ୍ଦି ହେଇଛି ତା ଦେହରେ। ଗାଁର ପ୍ରତିଟି ଝିଅ ଟିକେ ଝୁଣ୍ଟିଲେ କି ହେଣ୍ଟିଲେ ଉଦାହରଣ ପାଲଟେ ମାନୀଦେଈ। ଏମିତି କ’ଣ ଚାଲୁଛୁ? ମାନୀକୁ ଦେଖ ବାଟରେ ଗଲାବେଳେ ମାଟିକୁ କଷ୍ଟ ହୁଏନି। ଝିଅ ପିଲାଟା ହେଇ ଏଡେ଼ ବଡ଼ ପାଟିଟା କ’ଣ କରୁଛୁ? ମାନୀର କଥା ଏଇଠୁ ହେଟିକି ଶୁଭୁଛି? ତା କୋଉ ଗୁଣକୁ ତମେ ସରିହବ?

ମା ମଙ୍ଗଳାଙ୍କ ଓଷା କରିଛି ବୋଧେ ସେ। ଓଦାଚୁଟିକୁ ଶୁଖଉଛି। କୋଉ ଭାବ ରାଇଜରେ ହଜି ଯାଇଛି ଯେ ଅଜୟର ଉପସ୍ଥିତି ଜାଣି ପାରୁନି। ଅଜୟ ଖଣ୍ଡିକାଶ ମାରିଲା। ପ୍ରକୃତିସ୍ଥ ହେଲା ଏଥର ମାନୀଦେଈ।

– କ’ଣ କିରେ ଖରାବେଳେ ନଶୋଇ, ପାଠଶାଠ ନପଢି କୁଆଡେ଼ ବୁଲୁଛୁ?

– ନା ଲୋ ମାନୀଦେଈ ଏଇ କଇଁଫୁଲ ଦି’ଇଟା ତୋଳିବାକୁ ଆସିଥିଲି ତ?

– ନେଲୁ?

– ହଁ ।

– ହଉ ଯା। ପଢ଼ାପଢ଼ି କର। ହେଇ ଅଜୁ, ଏଠିକି ଆସିଲୁ। ତୋ ଗୋଡ଼ରେ ଜୋକ ନା କ’ଣ ସେଇଟା?

ଅଜୟ ଜୋକ ନାଁ ଶୁଣି ନାଚି ଉଠିଲା। ତା ଦେହ ଶିତେଇ ଉଠିଲା।

– କାଇଁ କୋଉଠି ?

– ରହ ରହ ଠିଆ ହଅ ମୁଁ ଦେଖୁଛି। ହସିହସି ବେଦମ୍ ହେଇଯାଉଥିଲା ମାନୀଦେଈ, ଅଜୟର ଜୋକ ଲାଗିଥିବା ପ୍ରତିକ୍ରିୟାକୁ ଦେଖି। କାଠିଖଣ୍ଡକରେ କେଞ୍ଚିଦେଲା ସେ। ତଥାପି ଖସିଲାନି। ବାଁ ହାତେରେ କାଢି ଆଣିଲା ଆଉ ସେମିତି ହସୁହସୁ କହିଲା ନା ବେ ଅଜୁ, ଏଇଟା ପଙ୍କ ଦଳଟେ।

ଅଜୟ ଦେହରେ ପ୍ରାଣ ପଶିଲା। ତଥାପି ହସୁଥାଏ ମାନୀଦେଈ।

କହିଲା ଆବେ ତୁ ଆରବର୍ଷକୁ ପରା କଲେଜ ଯିବୁ? ତୁ ପରା ବଡ଼ ହେଲୁଣି? ଏଇ ସାମାନ୍ୟ ଜୋକକୁ ଡ଼ରୁଛୁ?

– ତୁ କ’ଣ ଜୋକକୁ ଡ଼ରୁନା ମାନୀଦେଈ? ହଁ ଡ଼ରେ ଯେ… ତୋ ଭଳିଆ ନୁହେଁ। ଧେତ୍ ଡ଼ରୁଆ ମାଇଚିଆ।

ତାପରେ କେତେକଥା, କେତେ ଗପ। ମାନୀଦେଈ ଏତେକଥା କୁହେ, ଏତେ ପ୍ରଗଳ୍ଭା ସେ? ସେଇଦିନ ଜାଣିଲା ଅଜୟ। ସେବେଠୁ ଅଜୟ ସହ ତା’ର ସମ୍ପର୍କ ସାନଭାଇ କମ୍ ବେଶୀ ବନ୍ଧୁତା ଆଡ଼କୁ ଗତିକଲା। ଗାଁ ଲୋକେ ଯେମିତି ଭାବୁଥିଲେ ମାନୀଦେଈ ଆଦୌ ସେମିତି ନୁହେଁ। ତାର ବି ଦେହଟିଏ ଅଛି। ତା’ର ବି ଦୁଃଖ ଅଛି। ତା ଜୀବନରେ ବି କେହି ଜଣେ ପୁରୁଷ ଅଛି ଯିଏ ମାନୀଦେଈକୁ ସବୁଠୁ ବେଶୀ ଭଲପାଏ। ମାନୀଦେଈ ବି ପାପ କରେ। ପ୍ରେମକୁ କଳଙ୍କ ବା ପାପ ବୋଲି ସେବେ ଅଜୟଙ୍କ ଗାଁରେ ବିଚାର କରାଯାଉଥିଲା। କେବଳ ଅଜୟଙ୍କ ଗାଁ କାହିଁକି ସବୁଗାଁରେ ସେମିତି ଭବା ହେଉଥିଲା। ତେଣୁ ପ୍ରେମକୁ ଯଥାସମ୍ଭବ ଅଧିକ ଗୁପ୍ତ ଓ ସମ୍ୱେଦନଶୀଳ ବିଷୟ ଭାବେ ଗ୍ରହଣ କରାଯାଉଥିଲା। ମାନୀଦେଈକୁ ଯେହେତୁ ଅଜୟ ବେଶୀ ଜାଣିଥିଲା ତେଣୁ ତା’ର ଗୋଟେ ଅହଂକାର ବି ଥିଲା। ଗାଁର ସବୁଠୁ ସୁନ୍ଦରୀ ଝିଅର ପ୍ରିୟ ହବା ଏତେ ସହଜ କଥା ନୁହେଁ। ସୁଧାକର ବଡ଼ପା’ କେବଳ ଅଜୟଙ୍କ ଘରକୁ ମାନୀଦେଈକୁ ଯିବା ଆସିବାକୁ ଅନୁମତି ଦେଇଥିଲେ। କାରଣ ଅଜୟର ବାପା ମାଷ୍ଟର ଚାକିରି କରିଥିଲେ ଓ ତାଙ୍କ ସମାସ୍କନ୍ଧ ନହେଲେ ବି ଜଣେ ସରକାରୀ ଚାକିରିଆ ଘରର ସଂସ୍କାରକୁ ସେ ପସନ୍ଦ କରୁଥିଲେ। ଅଜୟର ବାପାଙ୍କୁ ଭଲରେ ମନ୍ଦରେ ପଚାରୁଥିଲେ। ଅବଶ୍ୟ ତା ମୂଳରେ କିଛି ଅର୍ଥନୈତିକ ଅଭାବ ଅସୁବିଧା ରହିଥିଲା। ଧାର ଉଧାର ନେଉଥିଲେ ସେ ଅଜୟର ବାପାଙ୍କ ଠାରୁ। ତେଣୁ ଅହଂକାର ସନ୍ଧି କରିବାକୁ ବାଧ୍ୟ ହେଇଥିଲା। ତେବେ ସେ ଯାହା ହେଉନା କାହିଁକି ଅଜୟଙ୍କ ଘରକୁ ଆସୁଥିଲା ମାନୀଦେଈ ଓ ଅଜୟ କେବେକେବେ ତାଙ୍କ ଘରକୁ ଯାଏ।

ଅଜୟକୁ ଭଲ ଲାଗେନି ମାନୀଦେଈଙ୍କ ଘର। ମାନୀଦେଈର ମାଆ ଗୋଟେ କେମିତି ନେଇଗଲା ଖାଇଗଲା ଭଳି ଚାହେଁ। ତା ବାପା ତ ନିଜ ଛାଇକୁ ବି ସନ୍ଦେହ କରନ୍ତି। ତା ଭାଇ ତ ନରଲୋକଙ୍କ ସହ କଥା ହୁଏନି। ଗାଁର ଅଧେ ଲୋକଙ୍କୁ ସେ ଚିହ୍ନେନି। ଆକାଶକୁ ଚାହିଁ ବାଟ ଚାଲେ। ଅଜୟ ବେଳେବେଳେ ଭାବେ ଏଇ ମାନୀଦେଈଟା ଏମିତି ଘରେ ଜନ୍ମ ହବାର ନଥିଲା। ଯୋଉଠି ଖୋଲିଯିବାର କି ମେଲି ଯିବାର ସୁଯୋଗ ନାହିଁ। ବିରାଟ ଅଗଣା ହେଲେ ସଂକୁଚିତ ଆକାଶ। ଧେତ୍ ଏଇଟା ଗୋଟେ ଘର ନା ଫର? ଯାବତୀୟ କଟକଣାପୂର୍ଣ୍ଣ କାରାଗାର। ପିତୃପୁରୁଷଙ୍କ ଅର୍ଜିତ ପାପ, ଅତ୍ୟାଚାରରେ ପୀଡ଼ିତ ଅଭିଶାପଗ୍ରସ୍ତ ଅନ୍ଧାରୀ ମୂଲକ। ମାନୀଦେଈ ତ ନିଜେ ମାନେ। କହେ, ହଁ ରେ ଅଜୁ ତୁ ଠିକ୍ କହୁଛୁ। ତମ ଘର ଭଳି ଆମ ଘର ନୁହେଁ।

ଭୋଦୁଅମାସର ଆଉ ଏକ ନିର୍ଜନ ଖରାବେଳ। ମାନୀଦେଈ ବସିଥାଏ ଚୁଟି ଖେଳାଇ। ଦେବୀଟିଏର ଭ୍ରମ ସୃଷ୍ଟି କରୁଥାଏ ସେ। ତା ଗୋରା ତକ୍‌‍ତକ‌ ପାଦରେ ଲାଲ୍ ଅଳତା ଦାଉଦାଉ ହଇ ଜଳୁଥାଏ ଯେମିତି। ଆମ୍ୱକଷିଆ ପାଉଜି ବେଶ୍ ମାନୁଥାଏ ତା ପାଦକୁ। ନଖରେ ଚିକ୍‌ଚିକ୍‌ କରୁଥାଏ ଅଳ୍ପ ଗୋଲାପୀ ନେଲ୍‌‍ପଲିସି। ଗୋଡ଼ ଆଙ୍ଗୁଠିଗୁଡ଼ିକ ସିଧା ଓ ଗଣ୍ଠିଶୂନ୍ୟ। ପାଦ ଉପରେ ନୀଳନୀଳ ଶିରା ପ୍ରଶିରା ଛନ୍ଦାଛନ୍ଦି ହେଇ ତଳୁ ଉପରକୁ ଉଠିଯାଇ ମିଳେଇ ଯାଇଛନ୍ତି କୋଉଠି କେଜାଣି ? ଅଜୟ ଆଉ ବେଶୀ ଉପରକୁ ଚାହିଁ ପାରେନା। ତାକୁ ଲାଜ ମାଡେ଼। ଗୋଟେ ଅପରାଧବୋଧ ମାଡ଼ି ବସେ। ଅଜୟକୁ ଭାରି ଭଲଲାଗେ ତା ପାଦ ଦୁଇଟି। କଥାବାର୍ତ୍ତା ବେଳେ ସେ ଚାହିଁ ରହିଥାଏ ତା ପାଦକୁ।

ମାନୀଦେଈ କହେ, ହୋଏ ମାଇଚିଆ, ତଳମୁହାଁ କ’ଣ ଦେଖୁଛୁ? – ନାଇଁ କିଛିନୁହେଁ କହେ ଅଜୟ। ଚାହେଁ ମାନୀଦେଈର ମୁହଁକୁ । ମାନୀଦେଈର ମୁହଁ ଆଜି ଏତେ ଆରକ୍ତ ଦିଶୁଛି କାହିଁକି? ତାକୁ ଡ଼ର ଲାଗିଲା। ମାତ୍ର ମାନୀଦେଈ ତାକୁ ଭିଡ଼ି ଧରିଲା ତା ଗାଲରେ ଆଙ୍କି ଦେଲା ଏକ ଉଷୁମ ଚୁମ୍ୱନ। ଲାଜ ଓ ଉତ୍ତାପରେ ଝାଉଁଳି ଗଲା ଅଜୟ। ଏବେ ଏବେ ଅଜୟ ସହ କଥା ହେଲାବେଳେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କଥା ହେବାକୁ ଭଲପାଉଛି ମାନୀଦେଈ। ଅଜୟକୁ ପ୍ରଥମେ ପ୍ରଥମେ ଲାଜମିଶା ବିରକ୍ତି ଲାଗୁଥିଲେ ବି ପରେ ପରେ ଭଲ ଲାଗିଲାଣି ସେ କଥା।

ମାନୀଦେଈ କହୁଥାଏ ଶୁଭ୍ରାଂଶୁର କଥା। ତା ସାଙ୍ଗରେ ପଢ଼େ। ଦେଖିବାକୁ କୁଆଡେ଼ ଠିକ୍ ଶ୍ରୀରାମ ପଣ୍ଡା ଭଳିଆ। ସେ କୁଆଡେ଼ ତାକୁ ଭଲପାଏ, ଚିଠି ଦିଏ, ପ୍ରେମ କରେ। ମାନୀଦେଈ ବି କୁଆଡେ଼ ତାକୁ ରାତିରେ ସ୍ୱପ୍ନ ଦେଖେ। ଅଜୟ ଈର୍ଷା କରେ କେବେବି ଦେଖିନଥିବା ସେ ଶୁଭ୍ରାଂଶୁକୁ। ତଥାପି ତା କଥା ତାକୁ କହେ ମାନୀଦେଈ। ସେ ବାଧ୍ୟ ପିଲାଟେ ଭଳି ଶୁଣେ।

ମାନୀଦେଈ କହେ ତୁ ମୋର ବେଷ୍ଟଫ୍ରେଣ୍ଡ।

ଅଜୟ ବୁଝିପାରେନା ମାନୀଦେଈକୁ, ତା ସମ୍ପର୍କର ପରିଭାଷାକୁ। ବାରମାସୀ ଚଢେଈ ପରି ତା ସମ୍ପର୍କର ରଙ୍ଗ। ଆଜି ନୀଳ ତ କାଲି ନାଲି ପୁଣି କୋଉଦିନ ସବୁଜ ତ କୋଉ ଦିନ ଧୂସର।

ହେଲେ ମାନୀଦେଈ କାହିଁକି ଏମିତି ଭୁଲ୍‍ କଲା?

ଏ ପ୍ରଶ୍ନର ଉତ୍ତର ନା ଅଜୟ ପାଖରେ ଅଛି ନା ଅଛି ମାନୀଦେଈର ଆତ୍ମୀୟସ୍ୱଜନଙ୍କ ଠାରେ।

ଅଜୟ ଆଖିଲୁହ ପୋଛୁପୋଛୁ ଶୂନ୍ୟକୁ ଚାହିଁ କହିଲା- ବେଷ୍ଟଫ୍ରେଣ୍ଡ ନା ଛେନାଗୁଡ଼। ମୁଁ ଯଦି ତୋର ଏତେ ନିଜର ହେଇଥାନ୍ତି ତୁ ମୋତେ ତ କହିପାରିଥାନ୍ତୁ ତୋ ଆତ୍ମହତ୍ୟାର କାରଣ?

ସେଦିନ ମହାଦେବ ପୋଖରୀରୁ ଛାଣି ଆଣିଲାବେଳକୁ ମାନୀଦେଈର ଗୋରାଦେହ ଶେଥା ପଡ଼ିଯାଇଥିଲା। କାଳେ ବେକରେ ରଶି ଦାଗ ବି ଥିଲା। ଗାଁ ଲୋକେ କିଏ କେତେ ପ୍ରକାର କଥା ହଉଥିଲେ। ଯେଉଁ ମାନୀଦେଈ ଗାଁର ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ଥିଲା ଆଜି ସେ କଳଙ୍କିନୀ, ପାପଗର୍ଭା। ପୁଣି ଆଉ କେହି ନୁହଁନ୍ତି ତା ପାପଗର୍ଭ ପାଇଁ ଦାୟୀ କୁଆଡେ଼ ତାର ଜଣେ ନିକଟ ସମ୍ପର୍କୀୟ? ତେବେ କିଏ ସେ ଲୋକ? କାହାପାଇଁ ମାନୀଦେଈ ଆତ୍ମହତ୍ୟା କଲା? କିଛି ବି ଉତ୍ତର ପାଏନି ସେ। ଗାଁର ସମ୍ମାନ ଦୃଷ୍ଟିରୁ ସେକଥା ଆଉ କେବେ କୋଉଠି ଆଲୋଚନା ହେଲା ନାହିଁ। ସମସ୍ତେ ଯେମିତି ରାଣ ଖାଇଥିଲେ ମାନୀଦେଈ ମୃତ୍ୟୁର କାରଣ ନକହିବା ପାଇଁ? ସାକ୍ଷୀ ପ୍ରମାଣ ନପାଇ ରଫା ଦଫା ହେଇଗଲା ସେ କେଶ୍। କାହାଣୀ ପାଲଟି ଗଲା ମାନୀଦେଈ। ଅଜୟକୁ ଦିଶୁଥିଲା ଦିଓଟି ଚମ୍ପାରଙ୍ଗର ପାଦ। ଯାହାକୁ ଭୁଲିବା ଏ ଜନ୍ମରେ ଅସମ୍ଭବ।

 

ପ୍ଲଟନଂ-୫୧୩, ନୂଆସାହି

ନୟାପଲ୍ଲୀ, ଭୁବନେଶ୍ୱର-୧୨

ମୋ: ୯୭୭୮୦୩୫୭୬୭

Previous ArticleNext Article

Send this to a friend