ଚୁପ‌ ! ଦୁଷ୍ଟ

Chup

ସେଦିନ ଅଚାନକ ବର୍ଷା ହେଲା। ସତରେ ନୁହେଁ ମ। ମନରେ। ହେଲେ ସେଇଟା ହୁଏତ ଅଦିନିଆ ନଥିଲା। ମନ ଭିତରେ ଖେଳି ଯାଉଥିଲା ଏକ ଅଜଣା ଶିହରଣ। ନା ସେଥିରେ ଭିଜି ହେଉଥିଲା, ନା ମୁଁ ଓଦା ହେଉଥିଲି। କିନ୍ତୁ, ନ ଭିଜି ବି କାହିଁକି ସେଦିନ ଭିଜିଲା ପରି ଲାଗୁଥିଲା। ମନ ଭିତରେ ଏମିତି ଅସମାହିତ ପ୍ରଶ୍ନ। ଗୋଟେ ପରେ ଗୋଟିଏ ଥାକ ମାରି ସଜ ହୋଇଥାନ୍ତି ଫୁଟି ଉଠିବାକୁ। ସେଦିନ ମୁଁ ସ୍ଥିର କରି ନେଇଥିଲି, ଉତ୍ତର ଖୋଜିବାକୁ ହୁଏତ ଯେତେ ଦୂର ହେଉ ପଛେ ମୁଁ ଯିବି। ସାତ ସମୁଦ୍ର ପାର କରିବାକୁ ପଡୁ ପଛେ ମୁଁ ପାର କରିବି। ଉତ୍ତର ଖୋଜିବାକୁ ଯଦି କେଉଁ ଦ୍ୱୀପ କି ଘଞ୍ଚ ଅରଣ୍ୟ ଭିତରକୁ ଯିବାକୁ ପଡ଼େ ତଥାପି ବି ମୋର ଖାତିର ନାହିଁ। କାରଣ ମୁଁ ପ୍ରସ୍ତୁତ ହୋଇ ସାରିଥିଲି ଏକ ଅଜଣା, ଅଚିହ୍ନା ପଥର ପଥଚାରୀ ହେବାକୁ। ଏମିତି ଭାବୁ ଭାବୁ ସିଏ ହଠା ଦେଖା ହେଇଗଲା। ଆଉ ତା’ପରେ …

ଯେତିକି ପାଖକୁ ଆସୁଥାଏ, ହୃଦୟର ସ୍ପନ୍ଦନ ସେତିକି ତୀବ୍ର ଗତିରେ ଧଡ଼କିବାରେ ଲାଗିଥାଏ। ଗଜରୁଥିବା ବୟସରୁ ସତେ ଯେମିତି ଏକ ରଶ୍ମୀ ବାହାରୁଛି। ଅଙ୍କାବଙ୍କା କେଶକୁ ଦେଖିଲେ ଲାଗୁଥାଏ ସତେ ଯେମିତି କେଉଁ ଏକ ଦ୍ୱୀପର ଲହ ଗୁଡାକ ମୋ ଆଡକୁ ଇସାରା କରୁଛନ୍ତି। ହେଇ ଦେଖ୍‌, ତୋ ମନର ରାଜକୁମାର ଆସୁଛି। ଚେରି ଫଳ ପରି ଲାଲ୍‌ ଓଠରୁ ଝରି ପଡୁଥାଏ ମଖମଲି ହସ। ପାଖକୁ ଆସି ହାଏ କହିଲା। ସେ ଦିନ ପ୍ରଥମ ଥର କେଉଁ ଝିଅର ହାତକୁ ସ୍ପର୍ଶ କରିଥିଲି। କୋମଳ ହାତର ସ୍ପର୍ଶ ମୋ ପାଟିର ଶବ୍ଦ ଗୁଡ଼ାକୁ ଶିକୁଳିରେ ବାନ୍ଧି ପକାଉଥିଲା। ଆସିବାକୁ ଚାହୁଁଥିଲେ ବି ସେମାନେ ଥିଲେ ନିରୂପାୟ। ରାତିସାରା ନିଦ ନାହିଁ। ଖାଲି ଗୋଟିଏ ଚେହେରା, ଅନେକ ଭଙ୍ଗୀରେ ମନ ଭିତରେ ନାଚି ଉଠୁଥାଏ। ଏମିତି ଭାବନାର ଭାବାର୍ଥରୁ ଜାଣିଲି, ଏଇଟା ଅଧିକ କିଛି ନୁହେଁ। ଏଇଟା ହେଉଛି… ଇସ୍କ‌ ଛିଟା… ଈଶା ଚୌଧୁରୀ। ବିତି ଯାଇଥିବା ଅତୀତର କେଇ ଖଣ୍ଡ ପୃଷ୍ଠାକୁ ନେଇ ଗଠିତ ଏକ କାହାଣୀ। ହେଇପାରେ ଆପଣ ତାକୁ ସ୍ମୃତି କହିପାରନ୍ତି। ହେଲେ ସିଏ ଆଜି ବି ମୋ ପାଇଁ ‘ମାଙ୍କେଡି ଝିଅ’, ଆଉ ମୁଁ ତା ପାଇଁ ‘ଦୁଷ୍ଟ ପୁଅ’। ଈଶା ସହ ପରିଚୟ ହୋଇଥିଲା ତିନି ବର୍ଷ ପୂର୍ବେ ଏକ ମଲ୍‌ରେ। ଏମିତି ଏକ ଛୋଟିଆ ଦେଖାରୁ ଆରମ୍ଭ ହୁଏ ସ୍ମୃତିର କାହାଣୀ। ମେଜର ଶିବଶଙ୍କର ଚୌଧୁରୀଙ୍କ ଝିଅ ଈଶା। ଟେନଥ୍‌ କ୍ଲାସ ଯାଏ ବାହାରେ ପଢ଼ିଛି। କାରଣ ତା ବାପାଙ୍କ ଚାକିରି ସରି ନଥାଏ। ଏଇ କିଛିବର୍ଷ ହେବ ଭୁବନେଶ୍ୱର ଆସିଛି।

ରିପୋର୍ଟିଂ ସାରି ସେଦିନ ବୁଲିବାକୁ ଯାଇଥିବା ବେଳେ ଈଶା ଦେଖା ହେଇଥିଲା। ପ୍ରଥମ ଦେଖାରେ, ବାସ୍‌ ପୁରା କ୍ଲାଇମାକ୍ସ। ଫିଲ୍ମରେ ଯେମିତି ହୁଏ। ପାଦ ଆଉ ଆଗକୁ ବଢ଼ି ନଥିଲା। ଆଖିର ପଲକ ସତେ ଯେମିତି ପଡ଼ିବାକୁ ଭୁଲି ଯାଇଥିଲା। ସମୟର ବେଗ ବି କେଜାଣି କାହିଁକି କିଛି ସମୟ ପାଇଁ ସ୍ଥିର ହୋଇଯାଇଥିଲା। ଆଉ ମୋ ଚାରି କଡ଼ର ଚରିତ୍ର ଗୁଡ଼ାକ ହଠାତ୍‌ ଜଣେ ପରେ ଜଣେ ଗାୟବ ହେବାରେ ଲାଗିଲେ। ସିଏ ଆଗକୁ ବଢ଼ିଲା, ଆହୁରି ଆଗକୁ, ଆଉ ଟିକେ…

ହାତରେ ଧରିଥିବା ପଲିଥିନଟା ଗଳି ପଡ଼ିଥିଲା। ସଙ୍ଗେସଙ୍ଗେ ପାଖକୁ ଯାଇ ପଲିଥିନଟା ବଢ଼ାଇ ଦେଇଥିଲି। ଆଉ ଈଶା ପାଟିରୁ ବାହାରିଥିଲା- ଥ୍ୟାଙ୍କ୍ସ

‘ସୁନ୍‌ ମେରୀ ସେହେଜାଦି

ମେଁ ହୁଁ ତେରା ସେହେଜାଦା’…

ଚାରି ଦିନ ପରେ ସିଏ ପୁଣି ଥରେ ଦେଖା ହେଇଥିଲା। ସାଙ୍ଗମାନଙ୍କ ସହିତ ବ୍ୟସ୍ତ ଥିଲି ମୁଁ। ପଛରୁ ଡାକ ଦେଲା, ‘ଏକ୍ସକ୍ୟୁଜ୍‌ ମି…’

ପଛକୁ ଚାହିଁ ଦେଖିଲି ତ ସିଏ ଥିଲା ଈଶା ଚୌଧୁରୀ। ଆଖିକୁ ବିଶ୍ୱାସ କରି ହେଉ ନଥିଲା। ସ୍ୱପ୍ନ ଗୁଡ଼ାକ ବାସ୍ତବତାର ଗୋଟିଏ ଗୋଟିଏ ଚରିତ୍ର ହେବାକୁ ଲାଗିଲେ। ଆଖି ପାଖରୁ ହାତ ବୁଲାଇ ନେଇ କହିଲା.. ହ୍ୟାଲୋ… ଠିକ୍‌ ଏତିକି ବେଳେ ଅଚାନକ୍‌ ବର୍ଷା ହେଲା… ଦୂରରେ ବାଜୁଥିଲା… କିସି ରୋଜ୍‌ ତୁମ୍‌ ସେ ମୁଲାକାତ୍‌ ହୋଗୀ

ମେରୀ ଜାନ୍‌ ଉସ୍‌ ଦିନ୍‌ ମେରେ ସାଥ୍‌ ହୋଗୀ

ମଗର କବ୍‌ ନା ଜାନେ ୟେ ବରସାତ୍‌ ହୋଗୀ

ମେରା ଦିଲ୍‌ ହେ ପ୍ୟାସା, ମେରା ଦିଲ୍‌ ଅକେଲା…

ଧୀରେ ଧୀରେ ଈଶା ସହିତ ଫ୍ରେଣ୍ଡସିପ୍ ବଢ଼ିବାରେ ଲାଗିଲା। ଈଶା ଚାହୁଁଥାଏ ମୋ ମୁଁହରୁ ଶୁଣିବାକୁ ସେଇ ତିନୋଟି ଶବ୍ଦ। ଆଉ ମୁଁ ବି ସ୍ଥିର କରି ସାରିଥାଏ ଯେ, ଭାଲେଣ୍ଟାଇନ୍ସ ଡେ’ରେ ହିଁ ତାକୁ ମୁଁ ପ୍ରପୋଜ୍ କରିବି। ହେଲେ କେମିତି କରିବି ତାହା ମୋ ମୁଣ୍ଡରେ ଜୁଟୁ ନଥାଏ।

‘ଐସେ ଖୁବସୁରତ ଆଁଖେ ତୁମ୍‌ହାରୀ

ଉସେ ଭି ଖୁବସୁରତ ବାତେଁ ତୁମହାରୀ

କ୍ୟା କହୁଁ ମେ, ଜୋ ଭି ଦେଖେ ଦେଖ୍‌ ତେ ରହ୍‌ ଯାଏଗା

ଐସେ ହି ହେ ଖୁବସୁରତ ନଜରେଁ ତୁମ୍‌ହାରୀ’…

ଶୁଣି ସାରି ସିଏ ଫିକ୍‌ କିନା ହସି ଦେଇ କହିଲା, ଚୁପ୍‌ …ଦୁଷ୍ଟ।

ଏମିତି କ୍ୟାଲେଣ୍ଡରରେ ତାରିଖ ବଦଳିବା ସହିତ ଆମର ବି ସମ୍ପର୍କ ଆଗକୁ ଆଗକୁ ବଢ଼ି ଚାଲିଥାଏ। ମତାନ୍ତର, ପୁଣି ଅଳି ଅଝଟ, ଏମିତି ଅନେକ କିଛି। ଏଇଟା ତ ସମ୍ପର୍କରେ ସ୍ୱାଭାବିକ। ହେଲେ ଏଇ ଛୋଟିଆ ଛୋଟିଆ କଥା ପାଇଁ କ’ଣ କିଏ ସମ୍ପର୍କ ଆଡ଼କୁ ଅଙ୍ଗୁଳି ନିଦ୍ଦେର୍ଶ କରେ। ଆରେ ବାବା, ଘରେ ବାପା କି ମା’ ଗାଳି କଲେ କିମ୍ୱା ଆମେ କିଛି ଭୁଲ୍‌ କଲେ ସେମାନେ କ’ଣ ଆମ ସହ ସମ୍ପର୍କ କାଟି ଦେବାକୁ କୁହନ୍ତି! ମାଙ୍କେଡି ଝିଅଟା, ଯେତେ ବୁଝାଇଲେ ବୁଝୁନି। ଏମିତି ଅନେକଥର ତାକୁ ମୁଁ ବୁଝାଏ, ଆଉ ସେ ବୁଝିଯାଏ। ହେଲେ ସେଦିନ ଏମିତି କ’ଣ ହେଲା ଯେ କେଜାଣି…

ଜୁନ୍‌ ୧୭ ତାରିଖ। ଅପରାହ୍ନ ସାଢେ ୩ଟା। ହଠାତ୍‌ ମୋ ଫୋନକୁ ୬-୭ଟି ଲଗାତର ମେସେଜ ଆସିଲା। ମୁଁ ଭାବିଲି ହୁଏତ କଷ୍ଟମର କେୟାର କରିଥାଇପାରେ। ହଁ, ଆଜିକାଲି ତ ସେମାନେ ଆଉ ଶୁଆଇ ବସେଇ ଦେଉ ନାହାଁନ୍ତି। ଏତିକି ରିଚାର୍ଜ କଲେ ଏତିକି ଟକ୍‌ ଟାଇମ୍‌। ସ୍ପେଶାଲ୍‌ ଅଫର‌ ଫର‌ ୟୁ। ଶଳାଙ୍କର କାମଧନ୍ଦା ନାହିଁ। ଗାଡି ଚଲାଇଲା ବେଳେ ହଠାତ୍‌ ଫୋନ୍‌ ବାଜିବ, ଦେଖିଲା ବେଳକୁ ଲେଖା ହୋଇଥିବ ୧୧୪୦… ସେ ଯାହା ବି ହେଉ, ସେଦିନ କିନ୍ତୁ ସବୁତକ ମେସେଜ୍‌ ଥିଲା ଈଶାର। ଥ୍ୟାଙ୍କ୍‌ ୟୁ ଫର୍‌ ଏଭ୍ରିଥିଙ୍ଗ‌, ଆଣ୍ଡ ଆଇ ଆମ୍‌ ଏକ୍ସଟ୍ରିମଲି ସରି ଇଫ୍‌ ଆଇ ହାଡ୍‌ ଡନ୍‌ ଏନି ମିସଟେକ୍ସ। ବାୟ ଫର୍‌ ଏଭର୍‌। ମୋତେ ଆଉ କେବେ ଡିଷ୍ଟର୍ବ କରିବନି।

ଲେଖୁଥିବା କବିତାଟି ଅଧା ରହିଗଲା। କଲମ ବଢ଼ି ପାରିଲାନି ଆଗକୁ। ଭାବନା ଗୁଡ଼ିକ ହଠାତ୍‌ ଲୁଚିଗଲେ କେଉଁ ଏକ ଅନ୍ଧାର କୋଣରେ। ସଙ୍ଗେ ସଙ୍ଗେ ଫୋନ୍‌ କଲି। କିନ୍ତୁ, ତା ଫୋନ୍‌ ଥିଲା ସ୍ୱିଟ୍‌ ଅଫ୍‌। ଗାଡ଼ି ବାହାର କରି ତା ଆଡ୍ରେସରେ ପହଂଚିଲି। ହେଲେ ଗୋଟେ ବଡ ତାଲା ଝୁଲୁଥିଲା ତା ଗେଟରେ। ରୀତା, ମୀନା, ରଶ୍ମୀ ଏମିତି ତା’ର ସବୁ ସାଙ୍ଗଙ୍କୁ ଫୋନ୍‌ କଲି, ହେଲେ କାହାରି ପାଖରେ ନଥିଲା ଈଶା ଚୌଧୁରୀର ଖବର। କାହା ପାଖରେ ନଥିଲା ଈଶା ଚୌଧୁରୀର ନୂଆ ଠିକଣା। ଶେଷରେ ଦଶ କି ଏଗାର ବର୍ଷର ପିଲାଟେ କହିଲା, ଭାଇ ସେମାନେ ଘର ଛାଡ଼ି ଦେଇଛନ୍ତି। ପାଖାପାଖି ଶହେଥର କଲ୍‌ କରିଥିବି। ହେଲେ ସବୁଥର ସ୍ୱିଚ୍‌ ଅଫ୍‌। ଛଅଶହ କି ସାତଶହ ଥର ମେସେଜ କରିଥିବି, ହେଲେ ସବୁ ବ୍ୟର୍ଥ।

ଦିନେ ଗଲା, ଦୁଇ ଦିନ ଗଲା, ଏମିତି ଛଅ ମାସ ବିତି ଗଲା। ଛଅମାସ ପରେ ବର୍ଷେ ବିତିଗଲା। ଧୀରେ ଧୀରେ ଈଶା ଚୌଧୁରୀ ଏକ ସ୍ମୃତି ହେବାରେ ଲାଗିଲା।

ଏଇ କିଛିଦିନ ପୂର୍ବରୁ ଫେସବୁକରେ ଏକ ଫଟୋ ଅପଲୋଡ୍ କରିଥିଲା ସିଡନୀ ବିଚ୍‌ର। ରୀତାକୁ ଟ୍ୟାଗ୍‌ କରିଥିଲା ଯେ, ଦେଖିଥିଲି। ଏହାରି ଭିତରେ ଈଶାକୁ ଅନେକ ଖୋଜିବାକୁ ଚେଷ୍ଟା କରିଛି। ତା’ସହ ଯୋଗାଯୋଗ କରିବାକୁ ଅନେକ ପରିଶ୍ରମ ବି କରିଛି। ମାତ୍ର ସବୁଥିରେ ଫେଲ୍‌ ମାରିଛି। ଆଜି ବି ମନରେ ଅହରହ ଆନ୍ଦୋଳିତ ହେଉଥାଏ ସେ ଦିନର ସେଇ ଅଜଣା ଭୁଲ୍‌। କିନ୍ତୁ, ମୁଁ ବି ସ୍ଥିର କରି ନେଇଛି ତାକୁ ଭୁଲି ଯିବାକୁ। ଏକ ନୂତନ ଜୀବନର ଅୟମାରମ୍ଭ କରିବାକୁ।

ହେଇପାରେ ସେ ବରଗଡ଼, ସମ୍ୱଲପୁର, ରାଉରକେଲା ଅବା ଭୁବନେଶ୍ୱର, କଟକ କିମ୍ୱା ମୁମ୍ୱାଇ କି ଦିଲ୍ଲୀ ଯାଇ ଥାଇପାରେ। ନହେଲେ ଫ୍ରାନ୍ସ କି ପ୍ୟାରିସ ଅବା ସ୍ୱିଜରଲାଣ୍ଡରେ ଥାଇପାରେ। ସେ ଯାଉ, ଯୁଆଡ଼େ ଗଲେ କି ରହିଲେ ମୋର ପରବାଏ ନାହିଁ। କାରଣ ତା’ର ଅନୁପସ୍ଥିତିକୁ ମୁଁ ଏଇଠି ଅନୁଭବ କରେ। ସତରେ, କେଡେ ସ୍ୱାର୍ଥପରଟେ ମୁଁ। ମୋ ଭଳି ଦରଦିଆ ପ୍ରେମିକମାନେ ହିଁ ତ ସ୍ୱାର୍ଥପର। କରିଡର କି ବାଲକୋନୀ ଉପରେ ବସି ସିଗାରେଟ ନହେଲେ ହ୍ୱିସ୍କି ଧରି ସ୍ମୃତିଚାରଣ କରୁଥିବୋ ଏହାକୁ ତମେ ଭୀରୁ କି କାପୁରୁଷ କହିପାର। ହେଲେ ମନେରଖ, ଯାହା କହିଲେ ବି ତା ପୂର୍ବରୁ ତମେ ନିଶ୍ଚୟ ଲଗେଇବ ‘ପ୍ରେମିକ’।

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୬୫୮୨୬୩୨୮୫

Previous ArticleNext Article

Send this to a friend