ମେ’ ୨୯ ଏବଂ ଓଡ଼ିଶା ରାଜନୀତି

ଭୁବନେଶ୍ୱର (ତାପସ ରଞ୍ଜନ ବେହେରା): ମେ ୨୯। ଓଡ଼ିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ। ଭୟ, ଆତଙ୍କ, ବିଦ୍ରୋହ ଓ ବିଶ୍ୱାସଘାତକତାର ଏକ ଫେଣ୍ଟାଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ଏହି ମେ ୨୯। ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ, ଠିକ୍‌ ସେମିତି ମେ ୨୯ ଆସିଲେ ରାଜନୈତିକ ପାଣିପାଗ ହଲଚଲ ହୁଏ କଥା ମନେ ପଡ଼ିଯାଏ।

ଆଜି ବି ମେ’ ୨୯ କଥା ମନେ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନରେ ନିଶ୍ଚୟ ଛନକା ପଶିଯାଉଥିବ।କାରଣ ଆଜିର ଦିନ ହିଁ ଓଡ଼ିଶା ରାଜନୀତିର ନକ୍ସା ବଦଳିଥାନ୍ତା। କିନ୍ତୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୌକି ଯିବାର ବିପଦ ଟଳିଯାଇଥିଲା। ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖିଥାନ୍ତା ଏକ ନୂଆ ଅଧ୍ୟାୟ। ସୃଷ୍ଟି ହୋଇଥାନ୍ତା ଏକ ନୂତନ ଇତିହାସ। କାରଣ କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ବହୁ ଆଗକୁ ନେଇ ଯାଇଥିଲା। କିଙ୍ଗ ମେକରରୁ ସେ ହୋଇଥାନ୍ତେ କିଙ୍ଗ।  ଏଥିପାଇଁ ତାଙ୍କୁ କେତେ କ’ଣ କରିବାକୁ ପଡ଼ିଥିଲା। ବିଜେଡିରେ ପ୍ୟାରୀ ଥିଲେ ରିଙ୍ଗ୍‌ ମାଷ୍ଟର।

ସେ ଯେମିତି ନଚାଉ ଥିଲେ ଦଳର ନେତାମାନେ ଠିକ୍‌ ‌ସେମିତି ନାଚୁଥିଲେ। ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ ମୋହନ ମହାପାତ୍ର। ଦଳରେ କାହାକୁ ବିଦା କରାଯିବ, କାହାକୁ ଟିକଟ ବଣ୍ଟାଯିବ ଏସବୁର ରଣନୀତି ପ୍ରସ୍ତୁତ କରୁଥିଲେ ପ୍ୟାରୀ। କିନ୍ତୁ ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହଁ ଯାଉଥିଲା। ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଥିଲେ। ରାତି ଅଧିଆ ନିବାର୍ଚନ ପୂର୍ବଦିନ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ଚର୍ଚ୍ଚିତ ହୋଇଥିଲେ ପ୍ୟାରୀ। ଆଉ ଶେଷରେ ଚାଣକ୍ୟରୁ ରାଜା ହେବାର ନିଶା ପ୍ୟାରୀବାବୁଙ୍କ ନିଦ ହଜେଇ ଦେଇଥିଲା। ଏଥିପାଇଁ ସମୟ ସୁଯୋଗ ଦେଖି ସେ ବାଛିଥିଲେ ମେ ୨୯। ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ଆରମ୍ଭ ହୋଇଥିଲା ମିଡ୍‌ ନାଇଟ୍‌ ଅପରେସନ। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।

ସବୁବର୍ଷ ଅକ୍ଟୋବର ୨୯ ଯେମିତି ବାତ୍ୟା ଆସେ ଠିକ୍‌ ସେମିତି ୧୨ ମେ’ ୨୯ରେ ଓଡ଼ିଶାରେ ରାଜନୈତିକ ଝଡ଼ ସବୁ ହୁଏ ବୋଲି ଧାରଣ ହୋଇଗଲାଣି। ସେଦିନ କିନ୍ତୁ କେନ୍ଦ୍ରସ୍ଥଳ ଥିଲା ସହିଦନଗର। କିନ୍ତୁ ସେଦିନ ପ୍ରଖରେ ବେଗରେ ଯେଉଁ ଝଡ଼ ବହିବା ଆରମ୍ଭ କରିଥିଲା ତାକୁ ଗଣମାଧ୍ୟମ ହିଁ ପ୍ରଶମିତ କରିଦେଲା। ସେଦିନର ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମଧ୍ୟ ଧରାପଡ଼ିବା ଆଗରୁ ଚତୁରତାର ସହ ଖସିଯାଇଥିଲେ। ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ତେବେ ଯେତେ ଯାହା ଘଟିଲେ ବି ମୁଖ୍ୟମନ୍ତ୍ରୀଙ୍କ ରବର ଷ୍ଟାମ୍ପ ଚରିତ୍ରରେ କିଛି ବି ପରିବର୍ତ୍ତନ ହେଲା ଭଳି ମନେ ହେଉ ନାହିଁ। ସେଦିନ ପ୍ୟାରୀଙ୍କ ହାତରେ ସେ ସଖି କଣ୍ଡେଇ ସାଜିଥିଲେ। ଆଜି ସେହି ଦାୟିତ୍ୱ ପାଣ୍ଡିଆନ ନେଇଛନ୍ତି। କିନ୍ତୁ ଅଘୋଷିତ ଭାବେ। ମାନେ ପ୍ୟାରୀ ଗଲା ପରେ ପାଣ୍ଡିଆନ ଏବେ ପାୱାରଫୁଲ। ଠିକଣା ବି ବଦଳିଛି। ସେଦିନ ସହିଦନଗରରେ ପାରିଷଦ ବସୁଥିଲା। ଆଜି ଥାର୍ଡ଼ ଫ୍ଲୋରରେ ବସୁଛି।

ସେଦିନ ପ୍ୟାରୀବାବୁଙ୍କ ପ୍ରତି ଦାମୋଦର ରାଉତ, ତଥାଗତ ଶତପଥୀ, ଦେବାଶିଷ ନାୟକଙ୍କ ଭଳି  ନେତାଙ୍କର ଯେମିତି କ୍ଷୋଭ ଥିଲା ଆଜି ବି ଠିକ୍‌‍ ସେମିତି ପାଣ୍ଡିଆନଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ପାଣ୍ଡିଆନଙ୍କ ଚକ୍ରାନ୍ତରେ ଶିକାର ହୋଇ କେହି କେହି ନେତା ନିଲମ୍ୱିତ ହୋଇଛନ୍ତି ତ’ ଆଉ କେହି ଦଳ ଛାଡ଼ିଛନ୍ତି। ଆଉ କିଛି ନେତାଙ୍କର ଅସନ୍ତୋଷ ଓ ଆକ୍ରୋଶ ଚରମସୀମାରେ ଥିଲେ ଚାକିରି ଚାଲିଯିବା ଭୟରେ ମୁହଁ ଖୋଲୁ ନାହାନ୍ତି। ହେଲେ କେତବେଳେ ଏହି ଅସନ୍ତୋଷ ନିଆଁ  କୁହୁଳି ବିସ୍ପୋରଣର ରୂପ ନେବ ତାହା କହିହେବ ନାହିଁ।

ତେବେ ପ୍ୟାରୀବାବୁଙ୍କ କଥା ଆସିଲେ ଦୁଇଟି କଥାର ଉଦାହରଣ ଦିଆଯାଇପାରେ।  ପ୍ରଥମଟି ହେଉଛି ହିନ୍ଦୀ ସିନେମା ‘ଲକ୍‌’ର ସଂଳାପ। ତାହା ହେଉଛି ‘ଜିନ୍ଦେଗୀ ମେ’ ଲକ୍‌ ଭି ସିର୍ଫ ଉସ୍‌କା ସାଥ ଦେତା ହେ…ଜିସ୍‌ମେ ଜିତନୀ କା ଜଜବା ହୋ । ଅର୍ଥାତ ଜୀବନରେ ଭାଗ୍ୟ ତାକୁ ହିଁ ଅଧିକ ସମର୍ଥନ ଦିଏ ଯାହା ମନରେ  ଜିତିବା ପାଇଁ ଅଫୁରନ୍ତ ଉତ୍ସାହ ଭରି ରହିଥାଏ।  ସେହିପରି ଗୀତାରେ ମଧ୍ୟ ଗୋଟିଏ କଥା ଅଛି -କର୍ମ ଅନୁଶାରେ ଫଳ।  ହେଲେ ଉପରୋକ୍ତ ଦୁଇଟି ଉକ୍ତିରୁ ପ୍ୟାରୀ ବାବୁଙ୍କ କ୍ଷେତ୍ରରେ କିଛିଟା ସାମଞ୍ଜସ୍ୟ ଥିଲା।  ପ୍ରଥମଟି ବାମ ହୋଇଥିବା ବେଳେ ଦ୍ୱିତୀୟଟି ସତ୍ୟ ସାବ୍ୟସ୍ତ ହୋଇଛି। ଏବେ ପ୍ୟାରୀଙ୍କ ସ୍ଥାନ ନେଇଥିବା ପାଣ୍ଡିଆନଙ୍କ ଭାଗ୍ୟ କୁଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା।

 

Previous ArticleNext Article

Send this to a friend