ମାହାଙ୍ଗା ଘଟଣାର ଅନୁଧ୍ୟାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

baijayanta

ଭୁବନେଶ୍ୱର: ବିଜେଡି ହିଂସା ସପକ୍ଷରେ ଆଦୌ ନୁହେଁ। ଦଳୀୟ ଶୃଙ୍ଖଳାରେ ହିଂସାର ସ୍ଥାନ ନାହିଁ। ମାହାଙ୍ଗାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାକୁ ବିରୋଧ ଘଟଣାକୁ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମାହାଙ୍ଗାରେ ଯାହା ଘଟିଗଲା ତା’ର ଅନୁଧ୍ୟାନ ପାଇଁ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାଂସଦଙ୍କ ମନ୍ତବ୍ୟ ଦଳକୁ କ୍ଷତି କରିଛି

ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ପ୍ରତାପ ପ୍ରତିକ୍ରିୟା ରଖି ଘଟଣାକୁ ନେଇ ଦୁଃଖି ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଘଟଣା ଦିନ ମୁଁ ଶିରିଡି ଯାଇଥିଲି। ଏହା ମୋ ନଜରକୁ ଆସିଛି। ଏମିତି କାହିଁକି ଘଟିଲା ତା’ର ଅନୁଧ୍ୟାନ ହେବା ଦରକାର। ଏପରି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତି।”

ସେ ଆହୁରି କହିଛନ୍ତି,“ସାଂସଦ ଗଣମାଧ୍ୟମରେ ଯେମିତି ମନ୍ତବ୍ୟ ଦେଉଛନ୍ତି ତାହା ଦଳକୁ କ୍ଷତି କରୁଛି। ଏଥିପାଇଁ ତାଙ୍କ ଉପରେ ଜନ ଅସନ୍ତୋଷ ଥିଲା। ଏମିତି ଘଟିବା ନେଇ ପୂର୍ବଦିନ ସାଂସଦ ମଧ୍ୟ ଆଶଙ୍କା କରିଥିଲେ। ସେ ଜିଦଖୋର ମନୋଭାବ ନ ରଖି ଅସନ୍ତୋଷକୁ ସମାଧାନ କରିବା ଉଚିତ।”

ମନ୍ତ୍ରୀ ଜେନା ଉଦ୍‌ଘାଟନ ସ୍ଥଳକୁ ବାହାରୁ ଲୋକ ଅଣାଯାଇଥିବା ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି,“ବାହାର ଅଞ୍ଚଳରୁ ୧୦ଟି ଗାଡିରେ ଲୋକ ଆସିଥିବା ଶୁଣିଛି। ଘଟଣା ସ୍ଥଳରେ କୌଣସି ସ୍ଥାନୀୟ ଲୋକେ ନ ଥିଲେ। ବାହାରୁ ଆସିଥିବା ଲୋକେ ଏଠାରେ ଆଶାଳୀନ ବ୍ୟବହାର ଦେଖାଇଥିଲେ।”

ମନ୍ତ୍ରୀଙ୍କ ମନ୍ତବ୍ୟ ଅବାନ୍ତର

ମନ୍ତ୍ରୀ ପ୍ରତାପ ଜେନା ଦେଥିବା ମନ୍ତବ୍ୟକୁ ଅବାନ୍ତର ବୋଲି କହିଛନ୍ତି ସାଂସଦ ପଣ୍ଡାଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ଘୋଷ। ସେ କହିଛନ୍ତି,“ଉଦ୍‌ଘାଟନ ସ୍ଥଳରେ ବାହାର ଲୋକ ନୁହେଁ ସାଂସଦଙ୍କ ସହ ମାହାଙ୍ଗା ଓ ରାହାଣିଆ ଅଞ୍ଚଳର ବିଜେଡି କର୍ମୀ ଥିଲେ। କେହି କିଛି ପ୍ରରୋଚିତ କରିନାହାନ୍ତି। ପୋଲିସ ଉପସ୍ଥିତ ଥିଲା। ସାଂସଦଙ୍କୁ ସମର୍ଥନ କରୁଥିବା ଜାତିପାରିଲୋ ଗାଁ ଲୋକ ମଧ୍ୟ ଉପସ୍ଥିତ ଥିଲେ।”

ଗତକାଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାତିପାରିଲୋ ଗାଁରେ ସାଂସଦ ପାଣ୍ଠିରୁ ନିର୍ମିତ ଏକ ଓଭରହେଡ୍ ପାଣି ଟାଙ୍କିର ଉଦ୍‌ଘାଟନ କରିବାକୁ ଯାଇଥିବା ସାଂସଦ ପଣ୍ଡାଙ୍କୁ ଦଳର କିଛି କର୍ମୀ ବିରୋଧ କରିଥିଲେ। ଏପରିକି ବିରୋଧ କରୁଥିବା କର୍ମୀମାନେ ତାଙ୍କ ଉପରକୁ ଅଣ୍ଡା ଓ ଢେଲା ମାଡ଼ କରିଥିଲେ।

Previous ArticleNext Article

Send this to a friend