ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ନେପାଳ ରାଷ୍ଟ୍ରପତି

nepal presedent in bhubaneswar

ଭୁବନେଶ୍ୱର: ଓଡ଼ିଶାରେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ଆଜି ଅପରାହ୍ନରେ ବିଦ୍ୟାଦେବୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସନ୍ଧ୍ୟାରେ ସେ ମିଶନଶକ୍ତି ଭବନରେ ମହିଳା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିର ଭିତରେ ପାଖାପାଖି ୪୫ ମିନିଟ୍‌ ବିତାଇ ଥିଲେ। ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନେପାଳର ପ୍ରଥମ ନାଗରିକ ବିଦ୍ୟାଦେବୀଙ୍କୁ ସ୍ୱାଗତ କରିବା ପାଇଁ ବେଶ୍‌ ଚଳଚଞ୍ଚଳ ଥିଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଆଜି ଅପରାହ୍ନ ୨ଟା ୪୫ ମିନିଟ୍‌ରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ବିଦ୍ୟାଦେବୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ସ୍ୱାଗତ ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପୋଲିସ ଡିଜି ଓ ଗୃହ ସଚିବ ପ୍ରମୁଖ। ପରେ ବିଦ୍ୟାଦେବୀ ମହିଳା ସଶକ୍ତିକରଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମିଶନ ଶକ୍ତି ଭାବନରେ ପହଞ୍ଚିଥିଲେ। ସେଠାରୁ କାର୍ଯ୍ୟକ୍ରମ ସାରି ବିଦ୍ୟାଦେବୀ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚିତ୍ର ଉପହାର ଦିଆଯାଇଥିଲା। ବିଦ୍ୟାଦେବୀଙ୍କ ଗସ୍ତକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ପୋଲିସ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“ବିଦ୍ୟାଦେବୀଙ୍କ ଗସ୍ତକୁ ଲକ୍ଷ୍ୟକରି ବିମାନବନ୍ଦର, ହୋଟେଲ ମେଁଫେୟାର ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।”

ଆସନ୍ତାକାଲି ବିଦ୍ୟାଦେବୀ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସକାଳ ୯ଟାରେ ସେ ପୁରୀରେ ପହଞ୍ଚିବେ। ବିଦ୍ୟାଦେବୀଙ୍କୁ ପ୍ରଥମେ ସିଂହଦ୍ୱାର ଆଗରେ ସେବାୟତମାନଙ୍କ ପକ୍ଷରୁ ସ୍ୱାଗତ କରାଯିବ। ତେବେ ତାଙ୍କ ଦର୍ଶନ ସମୟରେ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଯାଇଛି। ଏଥିପାଇଁ ସେବାୟତଙ୍କୁ ନେଇ ଏକ ସମନ୍ୱୟ ବୈଠକ ହୋଇଛି। ଶ୍ରୀଜୀଉଙ୍କୁ ଦର୍ଶନ ସମୟରେ ବିଦ୍ୟାଦେବୀଙ୍କ ସହ ନେପାଳ ପଣ୍ଡା ଉପସ୍ଥିତ ରହିବେ। ଜଗନ୍ନାଥ ଦର୍ଶନ ସାରି ବିଦ୍ୟାଦେବୀ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି।

Previous ArticleNext Article

Send this to a friend