ଆମ ମଧ୍ୟରେ ଫାଟ ନାହିଁ, ଆମେ ଏକ: ନବୀନ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଖବରକାଗଜ ଲେଖାର ଦ୍ୱିତୀୟ ଭାଗ ଆଜି ପ୍ରକାଶ ପାଇଛି। ଯେଉଁଥିରେ ସେ ବିଜେଡିର ପ୍ରସ୍ତୁତି ଉପରେ ସିଧା ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ବିଜେଡିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଏପର୍ଯ୍ୟନ୍ତ ମୁଁ ସେ ସ୍ତମ୍ଭ ପଢ଼ିନାହିଁ। ଆମ ଦଳରେ କୌଣସି ଅର୍ନ୍ତଦ୍ୱନ୍ଦ୍ୱ ନାହିଁ। ଏବେ ମଧ୍ୟ ଦଳ ମଜଭୁତ ଅଛି।”

ମହତାବ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି,“ଓଡ଼ିଶାରେ ୩୬,୦୦୦ ବୁଥ୍‌ରେ ବିଜେପି ସଙ୍ଗଠନ କରିବାକୁ ପ୍ରସ୍ତୁତି କଲାଣି। ସେପରି ସ୍ଥଳେ କେତେ ମାତ୍ରାରେ କଂଗ୍ରେସ ଓ ବିଜେଡି ନିଜକୁ ପ୍ରସ୍ତୁତି କରୁଛନ୍ତି ତାହା ସ୍ପଷ୍ଟ ନାହିଁ। ପ୍ରଭାବ ବୃଦ୍ଧିକୁ ନେଇ ବିଜେପି ଉତ୍ସାହିତ ହେବା ସ୍ୱାଭାବିକ। ହେଲେ ବିଜେଡି ପକ୍ଷରୁ କେବଳ ରାଜଧାନୀରେ ବୟାନବାଜି ଚାଲିଛି। ଦଳୀୟ କାର୍ଯ୍ୟାଳୟରେ ଯେଉଁ ଜିଲ୍ଲାୱାରୀ ବୈଠକ ହେଉଛି ତାହା ଫାଟି ଯାଇଥିବା ଦଳକୁ କେତେ ଯୋଡ଼ିବାରେ ସହାୟକ ହେଉଛି ସେ କଥା କେହି ବୁଝିବାକୁ ନାରାଜ।”

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ତୃଣମୂଳ ସ୍ତରରେ ଆମର ସଙ୍ଗଠନ ନ ଥିବା କହିବା ଦୁର୍ଭାଗ୍ୟ ଜନକ। ଯଦି ସଙ୍ଗଠନ ନ ଥିଲା ତାହା ହେଲେ ଭର୍ତ୍ତୃହରି ଚାରି ଚାରି ଥର ସାଂସଦ ହେଲେ କେମିତି ? ବିଜେଡିର ସଙ୍ଗଠନ ଥିବାରୁ ସେ ଜିତୁଛନ୍ତି।”

ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମହତାବ ଲେଖିଛନ୍ତି,“ବିଜେପି ବିରୋଧୀ ପ୍ରାର୍ଥୀ ବାବଦରେ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିନି। ଯଦି ବିଜେପି ବିରୋଧୀ ପ୍ରାର୍ଥୀକୁ ବିଜେଡି ସମର୍ଥନ ଦିଏ ତେବେ ଦଳର ପୂର୍ବ ନିର୍ଣ୍ଣୟ ପରିବର୍ତ୍ତନ ହେଲା ବୋଲି ଜଣାପଡ଼ିବ। ବିଜେପି ପ୍ରାର୍ଥୀ ଘୋଷଣା ନ କରିବା ଯାଏଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେବେ ବୋଲି ଜଣାଯାଉନି। ବିଜେଡି ରାଷ୍ଟ୍ରପତି ନିର୍ବାଚନରେ କୌଣସି ପକ୍ଷଭୁକ୍ତ ହେଲା ଭଳି ଲାଗୁନାହିଁ। ୨୦୧୯ ନିର୍ବାଚନରେ ବିଜେଡିକୁ ଏକଲା ଲଢ଼ିବାକୁ ହେବ।”

Previous ArticleNext Article

Send this to a friend