ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ସଂଶୋଧିତ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪

navven

navvenଭୁବନେଶ୍ୱର: ଓଡ଼ିଶାରେ ଏଣିକି ଓଡ଼ିଆ ଭାଷାକୁ ମିଳିବ ପ୍ରାଧାନ୍ୟ। ସରକାରୀ ଦପ୍ତରରେ ବ୍ୟବହାର ହେବ ଓଡ଼ିଆ ଭାଷା। ଏଥିପାଇଁ ସଂଶୋଧନ ହେବ ୧୯୫୪ରୁ ପ୍ରଚଳିତ ଓଡ଼ିଶା ସରକାରୀ ଭାଷା ଆଇନ୍। ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସଂଶୋଧିତ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ କାର୍ଯ୍ୟକାରୀ କରାଯିବ ବୋଲି ଆଜି ଆଶାପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ସରକାରର ଚତୁର୍ଥ ଇନିଂସର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ସେ ଏ କଥା କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ,“ରାଜ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଉତ୍ତମ ବ୍ୟବହାର ନିମନ୍ତେ ଓଡ଼ିଶା ସରକାରୀ ଭାଷା ଅଧିନିୟମଗୁଡ଼ିକରେ ପରିବର୍ତ୍ତନ କରାଯାଉଛି। ଏଥିପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪କୁ ସଂଶୋଧନ କରାଯାଉଛି। ମୁଁ ଆଶା କରୁଛି ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ।”

ସେ କହିଥିଲେ,“ଆମର ଓଡ଼ିଆ ଭାଷା ଏକ ଅତି ସୁନ୍ଦର ଶାସ୍ତ୍ରୀୟ ଭାଷା। ଏହାର ପ୍ରଚାର ଓ ପ୍ରସାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।  ରାଜ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସ୍ନାତକୋତ୍ତର, ଡକ୍ଟରେଟ୍ ଓ ପୋଷ୍ଟ-ଡକ୍ଟରେଟ୍ ସ୍ତରରେ ଓଡ଼ିଆ ଭାଷା ଓ ସାହିତ୍ୟରେ ପାଠପଢ଼ା ଓ ଗବେଷଣା ହେବ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ସହିତ ଏକ ଓଡ଼ିଆ ଭରଚୁଆଲ୍ ଏକାଡେମୀ ମଧ୍ୟ ଖୁବ୍‌ଶୀଘ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି ଓ ଏକ ୫ ଜଣିଆ ପରାମର୍ଶଦାତା କମିଟି ମଧ୍ୟ ଗଠନ କରାଯାଇଛି।”

ମୁଖ୍ୟମନ୍ତ୍ରୀ କହିଥିଲେ,“ଓଡ଼ିଆ ଭାଷାର ଉତ୍ପତ୍ତି, ଶୀଳାଲେଖ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଗବେଷଣା ସାଙ୍ଗକୁ ଓଡ଼ିଆ ଲିପି ସଙ୍କଳନ କ୍ଷେତ୍ରରେ ପଦେକ୍ଷପ ନେବା ଲାଗି ଓଡ଼ିଆ ସାହିତ୍ୟ ଏକାଡେମୀକୁ ୧ କୋଟି ଟଙ୍କା ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ଓଡ଼ିଆ ଭାଷା କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ଲାଗି ବ୍ୟାସ କବି ଫକୀର ମୋହନ ବୃତ୍ତି ଘୋଷଣା କରାଯାଇଛି।”

ନବୀନ କହିଥିଲେ,“ଜବାହାରଲାଲ୍‌ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ନେଇ ଉଦ୍ୟମ ଆରମ୍ଭ ହୋଇଛି। ଜେଏନ୍‌ୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ବଜେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇସାରିଛି।”

ଅନ୍ୟପକ୍ଷରେ ଭାଷାପ୍ରେମୀମାନେ କହିଛନ୍ତି ଯେ ଖାଲି ଘୋଷଣା କରି ଦେଲେ ହେବ ନାହିଁ ସରକାର ଏସବୁର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ଭାଷା ସୁରକ୍ଷା ସମ୍ମିଳନୀ ସଭାପତି ବୈଷ୍ଣବ ପରିଡ଼ା କହିଛନ୍ତି,“ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବା ଲାଗି ହୁଏତ ସରକାର ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ ହେଲା ପର୍ଯ୍ୟନ୍ତ ଭାଷା ସୁରକ୍ଷା ସମ୍ମିଳନୀର ଆନ୍ଦୋଳନ ଜାରି ରହିବ।”

ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି,“ସରକାରଙ୍କ କଥା ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ସରକାର ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ସେଥିପାଇଁ ଆମକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସରକାରଙ୍କର ଏ ନେଇ ଆନ୍ତରିକତା ଥିଲେ ଏକ ଅଧ୍ୟାଦେଶ ମାଧ୍ୟମରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରି ଥାଆନ୍ତେ।”

ସୂଚନାଯୋଗ୍ୟ, ସରକାରୀ ସ୍ତରରେ ଓଡ଼ିଆ ଭାଷାରେ କାମ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଆସୁଛି। ସେହିପରି ଏଥର ବିଧାନସଭାର ବଜେଟ୍ ଅଧିବେଶନରେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ପ୍ରସଙ୍ଗ କରିଥିଲେ ଓ ସେଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଯାଇଥିଲା।

Previous ArticleNext Article

Send this to a friend