ଭୁବନେଶ୍ୱର: ବିଦ୍ୟୁତ ଦେୟ ବଢିବ ନା ଅପରିବର୍ତ୍ତିତ ରହିବ। ତାକୁ ନେଇ ଆଜି ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ରେ ରିଭ୍ୟୁ ପିଟିସନ୍ରେ ଶୁଣାଣି ଶେଷ ହୋଇଛି। ଏପଟେ ଆଶା ଆଶଙ୍କାରେ ଉପଭୋକ୍ତା। ଗତ ମାର୍ଚ୍ଚରେ ବିଦ୍ୟୁତ ଦେୟ ବଢିଥିବା ବେଳେ ବିଦ୍ୟୁତ ଦେୟର ସମୀକ୍ଷା ଓ ସଂଶୋଧନ ନେଇ ଗ୍ରୀଡକୋ ସମେତ ସମସ୍ତ ସଂସ୍ଥା ଓ ସଂଘ ସେମାନଙ୍କ ପକ୍ଷ ରଖିଛନ୍ତି। ପିଟିସନ୍ ଗ୍ରହଣ ହେବ ନା ଖାରଜ ହେବ ସେନେଇ ବିଦ୍ୟୁତ ନିୟାମକ ଆୟୋଗ ଖୁବ ଶୀଘ୍ର ନିଷ୍ପତ୍ତି ନେବେ।
ରାଜ୍ୟରେ ୪ ମାସ ତଳେ ୟୁନିଟ୍ ପିଛା ୧୦ ପଇସା ବଢିଥିଲା ବିଦ୍ୟୁତ ଦେୟ। ଏବେ କେତେ ବଢ଼ିବ ନା ଦେୟ ଅପରିବର୍ତ୍ତିତ ରହିବ ତାକୁ ନେଇ ଓଇଆର୍ସିରେ ଆଜି ରିଭ୍ୟୁ ପିଟିସନରେ ଶୁଣାଣି ହୋଇଥିଲା। ଗ୍ରୀଡକୋ, ଓପିଜିସି, ଓପିଟିସିଏଲ୍, ଓଏଚ୍ପିସି କାହିଁକି ରିଭ୍ୟୁ ପିଟିସନ୍ ଦାଖଲ କଲେ ସେନେଇ ପକ୍ଷ ରଖିଥିଲେ। ବିଦ୍ୟୁତ ଦେୟରେ ସମୀକ୍ଷା ଓ ସଂଶୋଧନର ଆବଶ୍ୟକତା ରହିଛି ବୋଲି ଯୁକ୍ତି ବି ଦର୍ଶାଇଥିଲେ। ତେବେ ଗତ ମାର୍ଚ୍ଚରେ ବିଦ୍ୟୁତ ଦେୟ ବଢିବା ପୂର୍ବରୁ ଗ୍ରୀଡ୍କୋ ଭଳି ସଂସ୍ଥା ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ଆଜି ଅନୁରୂପ ଯୁକ୍ତି ଉଠାଇ ଥିଲେ। ଗ୍ରୀଡ଼କୋର ୫୦୦ କୋଟି ଟଙ୍କା ଋଣ ବୋଝ ପ୍ରାୟ ୬୦୦୦ କୋଟି ଟଙ୍କାର ଉପଭୋକ୍ତା ଓ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ଉପରେ ରହିଥିବା ବକେୟା ପ୍ରସଙ୍ଗ ଉଠାଇ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଓଡିଶା ଜଳ ବିଦ୍ୟୁତ ନିଗମ ଗ୍ରୀଡକୋକୁ ଦେଉଥିବା ବିଦ୍ୟୁତର ଇନ୍କମ୍ ଟ୍ୟାକ୍ସ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେପଟେ କମିଶନ୍ ସବୁ ପକ୍ଷ ଶୁଣିବାପରେ ପିଟିସନ୍ ଗ୍ରହଣ ହେବ ନା ଖାରଜ ହେବ ସେନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ।
ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ
ସେପଟେ ଶୁଣାଣିକୁ ବିରୋଧ କରିଥିଲା ସମାଜବାଦୀ ପାର୍ଟି। ଓଇଆରସି ଅଫିସ୍ ସମ୍ମୁଖରେ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ମଧ୍ୟ ଦେଇଥିଲା। ସେପଟେ ଉପଭୋକ୍ତା ମହାସଂଘ ଓ ଅନ୍ୟାନ୍ୟ ସଂଘ ମଧ୍ୟ କମିଶନ୍ ସମ୍ମୁଖରେ ସେମାନଙ୍କ ପକ୍ଷ ରଖିଥିଲେ। ରିଭ୍ୟୁ ପିଟିସନ୍ରେ କୌଣସି ଯଥାର୍ଥାତା ନାହିଁ, ତେଣୁ ଏହାକୁ ଖାରଜ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ। ସେପଟେ କୋଇଲା ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଥିବାରୁ ବିଦ୍ୟୁତ ଦେୟ କମିବା ଆବଶ୍ୟକ ବୋଲି ବି ଦାବି ରଖିଛି। ଯଦି କମିଶନ୍ ବିଦ୍ୟୁତ ଦେୟ ବୃଦ୍ଧି କରନ୍ତି, ତେବେ ଉପଭୋକ୍ତା ମହାସଂଘ କୋର୍ଟକୁ ଯିବ ବୋଲି ଧମକ ଦେଇଛି।
ମାର୍ଚ୍ଚ ୨୩ ତାରିଖରେ ବିଦ୍ୟୁତ ଦେୟ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ହୋଇଥିଲା। ୪ ମାସ ପରେ ଦର ସଂଶୋଧନ ଲାଗି ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି। ତେବେ ପୂର୍ବରୁ ଯେତେ ରିଭ୍ୟୁ ପିଟସନ୍ ଦାଖଲ ହୋଇଛି ଦର ବୃଦ୍ଧିର ନଜିର ପ୍ରାୟତଃ ନାହିଁ। ତେଣୁ ସେ ଦିଗର କମିଶନ୍ ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି।
ବର୍ତ୍ତମାନ ବିଦ୍ୟୁତ ଦେୟ କେତେ ଅଛି?
ଘରୋଇ ଓ କୃଷି ଉପଭୋକ୍ତାଙ୍କ ପାଇଁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ୍ ପିଛା ୨ ଟଙ୍କା ୫୦, ୫୦ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କଲେ ୟୁନିଟ୍ ପିଛା ୪.୩୦ ପଇସା ଦେବାକୁ ପଡ଼ିବ। ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫.୩୦ ପଇସା, ୪୦୦ରୁ ଅଧିକ ବ୍ୟବହାର କଲେ ୟୁନିଟ୍ ପିଛା ୫.୭୦ ପଇସା ଦେୟ ଦେବାକୁ ପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।