ଆସନ୍ତାକାଲିଠୁ ଯୁକ୍ତ ଦୁଇ ନାଁ ଲେଖା ପ୍ରକ୍ରିୟା ଆରମ୍ଭ; ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ravenshaw

ravenshawଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଆଡ୍‌ମିଶନ ପ୍ରକ୍ରିୟା। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସାରା ରାଜ୍ୟରେ ୧୫୦୩ଟି ଯୁକ୍ତ ଦୁଇ କଲେଜ ଥିବା ବେଳେ ଏଥିରେ ମୋଟ ୩,୯୭,୬୯୧ଟି ସିଟ୍ ରହିଛି।  ଗତବର୍ଷର କଟ୍‌ଅଫ୍ ମାର୍କକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନେ ଆବେଦନ କରିବା ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheodisha.gov.in ଜରିଆରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଯେଉଁଠାରେ ଅନ୍‌ଲାଇନ୍‌ ସୁବିଧା ନ ଥିବ ସେଠାରେ ଛାତ୍ରଛାତ୍ରୀମାନେ ନିକଟସ୍ଥ କଲେଜକୁ ଯାଇ ଅଫ୍‌ଲାଇନ୍‌ରେ ବି ଆବେଦନ କରିପାରିବେ। ଜଣେ ସର୍ବାଧିକ ୬ଟି କଲେଜ ପାଇଁ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୬ ତାରିଖ ରହିଥିବା ବେଳେ ଅଫ୍‌ଲାଇନ୍‌ ପାଇଁ ଶେଷ ତାରିଖ ହେଉଛି ଜୁନ୍ ୭। ଜୁନ୍ ୧୩ରେ ପ୍ରଥମ କଟ୍‌ଅଫ୍ ଲିଷ୍ଟ୍ ପ୍ରକାଶ ପାଇବ। ଜୁନ୍ ୧୬ରୁ ୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଯିବ। ୨୫ ଜୁନରେ ବାହାରିବ ଦ୍ୱିତୀୟ କଟ୍‌ଅଫ୍ ଲିଷ୍ଟ୍। ଆଡମିଶନ୍ ସଂପର୍କିତ ସୂଚନା ଓ ସହାୟତା ପାଇଁ ପ୍ରମୁଖ କଲେଜଗୁଡ଼ିକୁ ଷ୍ଟୁଡେଣ୍ଟ୍ ଏକାଡେମିକ ମ୍ୟାନେଜ୍‌ମେଣ୍ଟ୍ ସିଷ୍ଟମ୍ (ସାମ୍‌ସ) ରିସୋର୍ସ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି।

ଖଲିକୋଟ ଜୁନିୟର କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଣ୍ଡା କହିଛନ୍ତି,“ଯେଉଁ ଛାତ୍ରଛାତ୍ରୀମାନେ ଗୋଟିଏ କଲେଜ ପାଇଁ ଆବେଦନ କରିବେ ସେମାନଙ୍କୁ ୧୨୦ ଟଙ୍କା ଦାଖଲ କରିବାକୁ ପଡ଼ିବ। ତା’ପରେ ସେମାନେ କୌଣସି କଲେଜରେ ଆବେଦନ କଲେ ୫୦ ଟଙ୍କା ଲେଖାଏଁ ଅଧିକ ଦାଖଲ କରିବେ। ଯେକୌଣସି ସାମ୍‌ସ ସେଣ୍ଟରରେ ପିଲାମାନେ ଫର୍ମ ଦାଖଲ କରିପାରିବେ।”

ଶୈଳବାଳା ମହିଳା ମହାବିଦ୍ୟାଳୟର ଇ-ଆଡମିଶନ୍ ଇନ୍‌ଚାର୍ଜ ଏ.କେ ଖିଲାର କହିଛନ୍ତି,“ହେଲ୍ପ ଡେକ୍ସରେ ଥିବା ଅଧିକାରୀମାନେ ପିଲାମାନଙ୍କୁ ଫର୍ମ କେମିତି ପୂରଣ କରିବାକୁ ପଡ଼ିବ ସେ ନେଇ ଅବଗତ କରାଇବେ। ଆମର ସାମ୍‌ସ ସେକ୍ସନ ପ୍ରସ୍ତୁତ ହୋଇ ରହିଛି। ସାମ୍‌ସ ସେକ୍ସନ ଆବେଦନ କରାଯାଇଥିବା ଫର୍ମଗୁଡ଼ିକର ବୈଧତା ଯାଞ୍ଚ କରିବ।”

ନାମ ଲେଖା ନେଇ ଆବେଦନ କରିବା ବେଳେ ଛାତ୍ରଛାତ୍ରୀଙ୍କୁ ପୂର୍ବ ବର୍ଷର କଟ୍‌ଅଫ୍ ମାର୍କ ସଂପର୍କରେ ଜାଣିବାର ଆବଶ୍ୟକତା ରହିଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ଯେଉଁ ପିଲା ଯେଉଁ କଲେଜ ପାଇଁ ମନୋନୀତ ହୋଇଥିବେ, ସେହି କଲେଜରେ ନାମ ଲେଖାଇବାକୁ ପଡ଼ିବ। ନଚେତ୍ ସେ ଆଡ୍‌ମିଶନ ପ୍ରକ୍ରିୟାରୁ ବାଦ୍ ପଡ଼ିବେ।

ବିଜେବି କଲେଜରେ ବିଜ୍ଞାନରେ ଗତବର୍ଷ କଟ୍‌ଅଫ୍ ମାର୍କ ୯୦.୮୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୭୯.୮୩ ଓ କଳାରେ ୭୦.୫ ପ୍ରତିଶତ ଥିଲା। ରେଭେନ୍ସାରେ ଗତବର୍ଷ ବିଜ୍ଞାନରେ କଟ୍‌ଅଫ୍ ମାର୍କ ୯୦.୮୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୭୬.୩୩ ଓ କଳାରେ ୬୯.୫ ପ୍ରତିଶତ ରହିଥିଲା। ସେହିପରି ବ୍ରହ୍ମପୁରର ଖଲିକୋଟ କଲେଜରେ ବିଜ୍ଞାନରେ କଟ୍‌ଅଫ୍ ମାର୍କ ୮୫.୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୬୪.୬୭ ଓ କଳାରେ ୬୦ ପ୍ରତିଶତ ରହିଥିଲା। ସମ୍ବଲପୁରର ଜିଏମ୍ କଲେଜରେ ବିଜ୍ଞାନରେ କଟ୍‌ଅଫ୍ ମାର୍କ ୮୧.୮୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୬୭.୫ ଓ କଳାରେ ୬୦.୩୩ ପ୍ରତିଶତ ରହିଛି। ବାଲେଶ୍ୱରର ଏଫ୍‌ଏମ୍‌ କଲେଜରେ ଗତବର୍ଷ ବିଜ୍ଞାନରେ କଟ୍‌ଅଫ୍ ମାର୍କ ୮୫.୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୫୭.୬୭ ଓ କଳାରେ ୭୦.୬୭ ପ୍ରତିଶତ ରହିଥିଲା।

Previous ArticleNext Article

Send this to a friend