ଯୁକ୍ତ ଦୁଇ ଖାତା ଦେଖା: ସର୍ଟସର୍କିଟ୍‌ ଯୋଗୁଁ କେନ୍ଦୁଝର କଲେଜରେ ଇ-ମୂଲ୍ୟାୟନ କେନ୍ଦ୍ର ବନ୍ଦ

dd-college-computer

dd-college-computerକେନ୍ଦୁଝର/ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଖାତାର ଇ-ମୂଲ୍ୟାୟନରେ ବିଭ୍ରାଟ ଦେଖାଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏଠାରେ ରସାୟନ ବିଜ୍ଞାନର ୫୦୦ ଓ ବାଣିଜ୍ୟର ୨୫୦ଟି ଖାତାର ଇ-ମୂଲ୍ୟାୟନ ହୋଇପାରିନାହିଁ। ଫଳରେ ଏଠାରେ ଇ-ମୂଲ୍ୟାୟନ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି ଓ ଉକ୍ତ ଖାତାଗୁଡ଼ିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି।

ଗତ ଶନିବାର କଲେଜର ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବାର କିଛି ସମୟ ପରେ ସର୍ଟସର୍କିଟ୍ ହେବା ଯୋଗୁଁ ବହୁ ଲ୍ୟାପଟପ୍ ସହିତ ପ୍ରିଣ୍ଟର ଓ ଫ୍ୟାନ୍ ଆଦି ପୋଡ଼ି ଯାଇଥିଲା। କଲେଜ କର୍ତ୍ତୃପକ୍ଷ ଏ ବିଷୟରେ ସଙ୍ଗେ ସଙ୍ଗେ ନେସ୍‌କୋକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ନେସ୍‌କୋ କର୍ମଚାରୀ କଲେଜ୍‌କୁ ଆସିଥିଲେ। କିନ୍ତୁ ଏହା ଜିଇଡିର କାମ ବୋଲି କହି ଚାଲି ଯାଇଥିଲେ। ନେସ୍‌କୋ ଓ ଜିଇଡି ପରସ୍ପର ଉପରେ ଦୋଷ ଲଦି ଥିଲେ ସିନା ମରାମତି କରି ନ ଥିଲେ। ଆଜି ବି ମରାମତି କାମ ନ ହେବାରୁ କଲେଜର ଅଧ୍ୟକ୍ଷ ଏ ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଜଣାଇଥିଲେ।    ଏହା ପରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଉକ୍ତ ଇ-ମୂଲ୍ୟାୟନ କେନ୍ଦ୍ରକୁ ବନ୍ଦ କରି ଖାତାଗୁଡ଼ିକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ୮୫ଟି କଂପ୍ୟୁଟର ଓ ଲ୍ୟାପ୍‌ଟପ୍ ମଧ୍ୟରୁ ୬୧ଟି ଅଚଳ ହୋଇଯାଇଛି।

ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ସର୍ଟସର୍କିଟ୍‌ ଯୋଗୁଁ ଖାତା ଦେଖାରେ କୌଣସି ପ୍ରଭାବ ପଡ଼ିନାହିଁ। ଦେଖା ହୋଇ ପାରି ନ ଥିବା ଖାତାଗୁଡ଼ିକୁ ଅନ୍ୟ କେନ୍ଦ୍ରରେ ଦେଖାଯାଉଛି। ଯୁକ୍ତ ଦୁଇ ପରୀକ୍ଷା ଫଳ ଠିକ୍‌ ସମୟରେ ପ୍ରକାଶ ପାଇବ।”

Previous ArticleNext Article

Send this to a friend