ଶ୍ରୀମନ୍ଦିର ବିଭ୍ରାଟ: ବିଜେପିର ଲକ୍ଷ୍ୟହୀନ ବିରୋଧ

ଭୁବନେଶ୍ୱର(ଦେବଦତ୍ତ ରଥ): କୁହାଯାଏ ବିଜେପି ଏକ ହିନ୍ଦୁତ୍ୱବାଦୀ ଦଳ। ଆରଏସ୍‌ଏସ୍‌ର ବିଚାରଧାରାକୁ ନେଇ ବିଜେପି କାମ କରେ। ଦିନ ଥିଲା ଗୁଜରାଟ ପରେ ଓଡ଼ିଶାକୁ ହିନ୍ଦୁତ୍ୱର ପ୍ରୟୋଗଶାଳା କୁହାଯାଉଥିଲା। କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଓଡ଼ିଶା ବିଜେପିର ଚେହେରା ବଦଳିଗଲା। ଏଣେ ସ୍ୱାମୀଜୀଙ୍କ ହତ୍ୟା ପରେ କନ୍ଧମାଳ ଦଙ୍ଗାକୁ ନେଇ ବିଜେପି ଓଡ଼ିଶାରେ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି କରୁଛି କହି ବିଜେଡି ମେଣ୍ଟ ଭାଙ୍ଗିଦେଲା। ବିଜେପି ସାଂପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ବୋଲି ଓଡ଼ିଶା ଲୋକଙ୍କ ଆଗରେ ପ୍ରଚାର କରାଇଲା। ତେଣେ ଓଡ଼ିଶା ବିଜେପି ନେତାମାନେ ନିଜ ଆଡୁ ମେଣ୍ଟ ନ ଭାଙ୍ଗି କ୍ଷମତା ଲୋଭରେ ହିନ୍ଦୁତ୍ୱକୁ ଭୁଲିଗଲେ ବୋଲି ଏକ ଧାରଣା ଜାତ ହେଲା। ଏପରିକି ଓଡ଼ିଶା ବିଜେପି ନେତା ସ୍ୱାମୀଜୀଙ୍କ ପ୍ରତି ବିଶ୍ୱାସଘାତକତା କଲେ ବୋଲି କିଛି ହିନ୍ଦୁବାଦୀ କହିଲେ। ଓଡ଼ିଶା ବିଜେପି କୋଉ କୂଳର ହେଲାନି। ତା’ର ପରିଣାମ ପରବର୍ତ୍ତୀ ନିର୍ବାଚନରେ ଦେଖିବାକୁ ମିଳିଲା।

ଏବେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଏକ ବଡ଼ ବିବାଦ ଦେଖାଦେଲା। ଶ୍ରୀମନ୍ଦିରକୁ ନେଇ ବିଭିନ୍ନ ପ୍ରକାର ବିବାଦ ବିଜେଡି ଶାସନ ସମୟରେ ହିଁ ଦେଖିବାକୁ ମିଳିଥିଲା। ପୂର୍ବରୁ ବ୍ରହ୍ମ ବିଭ୍ରାଟ, ନୀତି ବିଭ୍ରାଟ ଆଦି ଘଟିଥିଲା। ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଅଣଦେଖା କରାଯାଇ ଶ୍ରୀମନ୍ଦିର ଘଟଣାରେ ଅଧିକ ସରକାରୀ ହସ୍ତକ୍ଷେପ ଅଭିଯୋଗ ଉଠିଲା। ଏବେ ରତ୍ନ ଭଣ୍ଡାର ଚାବି ଘଟଣାରେ ବିଜେପି ପକ୍ଷରୁ ବିଭିନ୍ନ ଥାନାରେ ମାମଲା ରୁଜୁ କରିବା, ଦୀପଦାନ କରିବା ପରି କିଛିଟା ବିରୋଧ ସାଙ୍ଗରେ କେବଳ ମିଡିଆ ସାମ୍ନାରେ ରାଜ୍ୟ ନେତାଙ୍କ ଗର୍ଜନ ଶୁଣିବାକୁ ମିଳୁଛି। ବ୍ରହ୍ମ ବିଭ୍ରାଟ ପରି ଅତି ସାଂଘାତିକ ଘଟଣାରେ ମଧ୍ୟ ବିଜେପି ପକ୍ଷରୁ ସେପରି ଜବରଦସ୍ତ ବିରୋଧ ଦେଖିବାକୁ ମିଳି ନ ଥିଲା।

ଜଗନ୍ନାଥ ସଂସ୍କୃତି ଓଡ଼ିଶା ସହ ଓତଃପ୍ରୋତ ଭାବରେ ଜଡ଼ିତ। ଓଡ଼ିଶା ଜନ ସାଧାରଣଙ୍କର ଶ୍ରୀମନ୍ଦିର ସହ ଏକ ଭାବାବେଗ ସଂପର୍କ ରହି ଆସିଛି। କିନ୍ତୁ ନବୀନ ସରକାରଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ତଥା ସଂସ୍କାରରେ ଅଧିକ ବିଭ୍ରାଟ ଘଟୁଥିବା ବେଳେ ଏପରି ଭାବନା ଜନ ମାନସରେ ଉଦ୍ରେକ କରିବାରେ ଓଡ଼ିଶା ବିଜେପି ବାରମ୍ବାର ବିଫଳ ହେଉଛି। ଥାନାରେ ମାମଲା, ଦୀପଦାନ ପରି କାର୍ଯ୍ୟକ୍ରମ ନୁହେଁ, ବିଜେପି ଚାହିଁଥିଲେ ଏହାକୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ପଦକ୍ଷେପ ନେଇ ପାରିଥାନ୍ତା। ଯାହା ସାଧାରଣତଃ ଅନ୍ୟାନ୍ୟ ରାଜ୍ୟରେ ବିଜେପି ପକ୍ଷରୁ ଦେଖାଯାଇଥାଏ।  ହିନ୍ଦୁତ୍ୱ ବିଚାରଧାରାକୁ ନେଇ ପରିଚିତ ବିଜେପି ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ନୁହଁ ବରଂ ଜଗନ୍ନାଥ ପ୍ରେମୀ ହିସାବରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଏକ ଭଲ ଲଢ଼େଇ କରି ପାରନ୍ତା।

କିନ୍ତୁ ବିଜେପି ପକ୍ଷରୁ ସେପରି କିଛି ଦେଖିବାକୁ ମିଳୁନି। ଓଲଟି ଶଙ୍କରାଚାର୍ଯ୍ୟଙ୍କ ସାମାନ୍ୟ ଆକ୍ଷେପକୁ ସହ୍ୟ କରି ନପାରି ବିଜେପିର ବରିଷ୍ଠ ନେତା ଅନୁଚିତ ଢଙ୍ଗରେ ପ୍ରତ୍ୟୁତ୍ତର ଦେଉଛନ୍ତି। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ସାରା ଓଡ଼ିଶାରେ ଏକ ଜନ ଆକ୍ରୋଶ ଦେଖା ଦେଇଥିଲା। ଦଙ୍ଗା ତ’ ହେଲା। କିନ୍ତୁ ତା’ ସତ୍ତ୍ୱେ କ୍ଷମତା ଲୋଭରେ ବିଜେପି ନେତା ମେଣ୍ଟକୁ ଜାବୁଡି ଧରି ରହିଲେ। କୁହାଯାଏ ଯଦି ସେଦିନ ଓଡ଼ିଶା ବିଜେପି କ୍ଷମତାକୁ ତ୍ୟାଗ କରି ନିଜ ଆଡୁ ମେଣ୍ଟ ଭାଙ୍ଗି ଦେଇ ସରକାରରୁ ଓହରି ଯାଇଥାନ୍ତା,ତେବେ ହୁଏତ ପରବର୍ତ୍ତୀ ସମୟରେ ସାରା ଓଡ଼ିଶା ଗୈରୀକରଣ ହୋଇ ଯାଇଥାନ୍ତା। କିନ୍ତୁ ଓଡ଼ିଶା  ସେ ସମୟରେ ସେ ସୁଯୋଗରୁ ବିଚ୍ୟୁତ ହେଲା। ଏବେ ମଧ୍ୟ ବୋଧେ ସେହିପରି ଜଗନ୍ନାଥଙ୍କ ପ୍ରସଙ୍ଗରେ ବିଜେପି ସେହିପରି ଏକ ସୁଯୋଗକୁ ହାତଛଡା କରିବା ପରି ଅନୁଭୂତ ହେଉଛି।

Previous ArticleNext Article

Send this to a friend