ସ୍ମଗ୍ ପଛର ବିଜ୍ଞାନ: ଦିଲ୍ଲୀକୁ କବଳିତ କରିଥିବା ଏହି ଧୂଆଁ ମିଶା କୁହୁଡ଼ି କିପରି ତିଆରି ହୁଏ? ଏହାର କୁପ୍ରଭାବ ଓ ପ୍ରତିକାର 

smog

ଧୂଆଁ ମିଶା କୁହୁଡ଼ି ବା ସ୍ମଗ୍ ଏକ ପ୍ରକାର ବାୟୁ ପ୍ରଦୁଷକ ଏବଂ ଏହି ଶବ୍ଦକୁ ଦୁଇଟି ଇଂରାଜୀ ଶବ୍ଦ ସ୍ମୋକ୍ (ଧୂଆଁ) ଓ ଫଗ୍ (କୁହୁଡ଼ି)କୁ ମିଶାଇ ତିଆରି କରାଯାଇଛି । ବିଗତ କିଛି ବର୍ଷ ଭଳି ଏବର୍ଷ ବି ଦୁଇ ସପ୍ତାହ ହେବ ଦିଲ୍ଲୀକୁ କବଳିତ କରିଥିବା ଏବଂ ସେଠାକାର ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଏହି ବିଷାକ୍ତ କୁହୁଡ଼ି ସମ୍ପର୍କରେ ଅଧିକାଂଶ ଅବଗତ ଥିବେ ।

କେବଳ ଦିଲ୍ଲୀ ନୁହେଁ, ଚୀନ, କାନାଡ଼ା, ଇଂଲଣ୍ଡ ଓ ଆମେରିକାର ବଡ଼ବଡ଼ ସହରରେ ମଧ୍ୟ ସ୍ମଗ୍ ଜନିତ ସମସ୍ୟା ଦେଖିବାକୁ ମିଳେ । ତେବେ ଏହି ସ୍ମଗ୍ କାହିଁକି ତିଆରି ହୁଏ, କିପରି ତିଆରି ହୁଏ, ଏହା ପ୍ରାୟତଃ ଶୀତ ଦିନେ କାହିଁକି ହୁଏ ଏବଂ ଏହାର କୁପ୍ରଭାବ ଗୁଡ଼ିକ କଣ?

 ସ୍ମଗ୍ କ‘ଣ? ଯେମିତି ଏହାର ନାଁରୁ ହିଁ ଜଣା ପଡ଼େ, ଏହା ଧୂଆଁ ଓ କୁହୁଡ଼ିର ମିଶ୍ରଣ । ଏହା ହଳଦିଆ-ବାଦାମୀ କିମ୍ବା କଳା ରଙ୍ଗର କୁହୁଡ଼ି ଭଳି ଦେଖାଯାଏ । ଏହାକୁ ଭୂସ୍ତରୀୟ ଓଜୋନ୍ ବୋଲି ମଧ୍ୟ କୁହାଯାଏ । ଆକାଶରେ ରହିଥିବା ଓଜୋନ୍ ସ୍ତର ଆମକୁ ସୂର୍ଯ୍ୟ କିରଣରେ ଆସୁଥିବା ଅତିବାଇଗଣି ରଶ୍ମୀ ଠାରୁ ରକ୍ଷା କରୁଥିବା ବେଳେ ଏହି ଭୂସ୍ତରୀୟ ଓଜୋନ୍ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ସ୍ମଗ୍ ସାଧାରଣତଃ ଦୁଇ ପ୍ରକାରର- ଫଟୋକେମିକାଲ୍ ସ୍ମଗ୍ ଓ ଇଣ୍ଡଷ୍ଟ୍ରିଆଲ୍ ସ୍ମଗ୍ । ଇଣ୍ଡଷ୍ଟ୍ରିଆଲ୍ ସ୍ମଗ୍ ସାଧାରଣତଃ ଶିଳ୍ପାଞ୍ଚଳରେ କଳକାରଖାନାରୁ ନିର୍ଗତ କୋଇଲା ଧୂଆଁ ଓ ସଲଫର୍ ଡାଇଅକ୍ସାଇଡ୍ ଗ୍ୟାସ୍, କୁହୁଡ଼ିରେ ଥିବା ଜଳକଣା ସହ ମିଶି ସୃଷ୍ଟି ହୋଇଥାଏ । କିନ୍ତୁ ଦିଲ୍ଲୀ ଆଦି ବଡ଼ବଡ଼ ସହରରେ ଦେଖାଯାଉଥିବା ସ୍ମଗ୍ ମୁଖ୍ୟତଃ ଫଟୋକେମିକାଲ୍ ସ୍ମଗ୍ ।

ଫଟୋକେମିକାଲ୍ ସ୍ମଗ୍ କିପରି ତିଆରି ହୁଏ? ଫଟୋକେମିକାଲ୍ ସ୍ମଗ୍ ହେଉଛି ସୂର୍ଯ୍ୟାଲୋକ ସହ ରାସାୟନିକ ପ୍ରତିକ୍ରିୟାରୁ ସୃଷ୍ଟି ହେଉଥିବା ଧୂଆଁ ମିଶା କୁହୁଡ଼ି । ପ୍ରଦୁଷିତ ବାୟୁମଣ୍ଡଳରେ ଥିବା ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ଅନ୍ୟୁନ ଗୋଟିଏ ଭୋଲାଟାଇଲ୍ ଅର୍ଗାନିକ କମ୍ପାଉଣ୍ଡ୍ (ଭିଓସି) ବା ଉଦବାୟୀ ଜୈବିକ ଯୌଗିକ ସହ ସୂର୍ଯ୍ୟାଲୋକର ପ୍ରତିକ୍ରିୟାରୁ ଫଟୋକେମିକାଲ୍ ସ୍ମଗ୍ ତିଆରି ହୁଏ । ଗାଡ଼ିରୁ ନିର୍ଗତ ଧୂଆଁ ଓ କୋଇଲା ଚାଳିତ ପାୱାର୍ ପ୍ଲାଣ୍ଟ୍ ଧୂଆଁରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ଥିବା ବେଳେ ଗ୍ୟାସୋଲିନ ଓ ରଙ୍ଗ ଆଦିରୁ ଭିଓସି ନିର୍ଗତ ହୁଏ । ତେଣୁ ଏସବୁ ସହିତ ସୂର୍ଯ୍ୟାଲୋକର ରାସାୟନିକ ପ୍ରତିକ୍ରିୟାରୁ ଓଜୋନ (O3) ବା ସ୍ମଗ୍ ତିଆରି ହୁଏ ।

ନାଇଟ୍ରୋଜେନ ଡାଇଅକ୍ସାଇଡ୍ (NO2) ସୂର୍ଯ୍ୟକିରଣର ଅତିବାଇଗଣି ରଶ୍ମୀ (UV) ଦ୍ୱାରା ଫଟୋଲାଇଜ୍ ହୋଇ ନାଇଟ୍ରୋଜେନ ଅକ୍ସାଇଡ୍(NO) କୁ ପରିବର୍ତ୍ତିତ ହୁଏ ଏବଂ ଗୋଟିଏ ପ୍ରତିକ୍ରିୟାଶୀଳ ଅମ୍ଳଜାନ ଅଣୁ (O.) ବାୟୁରେ ଥିବା ଅମ୍ଳଜାନ ଅଣୁ (O2) ସହ ପ୍ରତିକ୍ରିୟା କରି ଓଜୋନ୍ (O3) ସୃଷ୍ଟି କରେ । ତେବେ ସାଧାରଣ ପରିବେଶରେ ଏହି ପ୍ରକ୍ରିୟା କ୍ଷଣସ୍ଥାୟୀ ଓ କିଛି ସମୟ ପରେ ପ୍ରକ୍ରିୟାଟି ପୁଣି ଓଲଟା ହୋଇଯାଏ । ନାଇଟ୍ରୋଜେନ ଅକ୍ସାଇଡ୍ (NO) ଏବଂ ଓଜୋନ୍ (O3) ମିଶି ପୁଣି ନାଇଟ୍ରୋଜେନ ଡାଇଅକ୍ସାଇଡ୍ (NO2) ଓ ଅମ୍ଳଜାନ (O2) ସୃଷ୍ଟି କରନ୍ତି । ଫଳରେ ପରିବେଶ ସେତେଟା ପ୍ରଦୁଷିତ ହୁଏ ନାହିଁ ।

NO2+hv NO+O. 

 

O.+O2 O3

 

O3+NO O2+NO2

 

କିନ୍ତୁ ବାୟୁମଣ୍ଡଳରେ VOC (RH) ଥିଲେ, ଏହା ହାଇଡ୍ରୋକ୍ସାଇଡ୍ (OH.) ସହ ପ୍ରତିକ୍ରିୟା କରି ପାଣି (H2O) ଏବଂ ଗୋଟିଏ ପ୍ରତିକ୍ରିୟାଶୀଳ VOC ଅଣୁ (R.) ସୃଷ୍ଟି କରେ, ଯାହାକି ଅମ୍ଳଜାନ ଅଣୁ (O2) ସହ ମିଳିତ ହୋଇ RO2 ସୃଷ୍ଟି କରେ । ଏହି RO2 ନାଇଟ୍ରୋଜେନ ଅକ୍ସାଇଡ୍ (NO) ସହ ପ୍ରତିକ୍ରିୟା କରି ନାଇଟ୍ରୋଜେନ ଡାଇଅକ୍ସାଇଡ୍ (NO2) ଏବଂ ଗୋଟିଏ ପ୍ରତିକ୍ରୀୟାଶୀଳ VOC ସୃଷ୍ଟି କରେ । ଫଳରେ ପ୍ରଥମେ ଦର୍ଶାଯାଇଥିବା ପ୍ରକ୍ରିୟା ଭଳି NO2 ଅତିବାଇଗଣୀ ରଶ୍ମୀ ଦ୍ୱାରା ଓଜୋନ୍ ସୃଷ୍ଟି କରେ । କିନ୍ତୁ RO2 ଯୋଗୁ ଓଜୋନ୍ NO ସହ ମିଶି ଅମ୍ଳଜାନ ସୃଷ୍ଟି କରିପାରେ ନାହିଁ । ଫଳରେ ଏହା ଏକ କ୍ରମାନ୍ୱୟ ପ୍ରତିକ୍ରିୟା ଭଳି କାର୍ଯ୍ୟ କରେ ଏବଂ କେବଳ ଓଜୋନ୍ ହିଁ ତିଆରି ହୋଇଥାଏ, ଯାହାକି ସ୍ମଗ୍ ରୂପ ନିଏ ।

RH+OH. R.+H2O

 

R.+O2 RO2

 

RO2+NO RO-.+NO2

 

ଏହା ପ୍ରାୟତଃ ଶୀତଦିନେ କାହିଁକି ସୃଷ୍ଟି ହୁଏ? ଶୀତ ଦିନେ ବାୟୁ ଚଳାଚଳ କମ୍ ହେଉଥିବାରୁ କୁହୁଡ଼ି ଏବଂ ଏହି ଗ୍ୟାସ୍ ଗୁଡ଼ିକ ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ଜମିରହେ । ତେଣୁ ସେଠାରେ ସ୍ମଗ୍ ତିଆରି କରୁଥିବା ରାସାୟନିକ ପ୍ରତିକ୍ରିୟା ପାଇଁ ଅଧିକ ସମୟ ମିଳେ । ଏଥିସହ ଏହି ଶୀତଋତୁ ବେଳକୁ ହିଁ ଲୋକେ ଘର ଗରମ ରଖିବା ପାଇଁ କାଠ ଆଦି ଜାଳିଥାନ୍ତି ଏବଂ ଫସଲ ଅମଳ ଋତୁ ସରୁଥିବାରୁ ଫସଲ ବର୍ଯ୍ୟ ଜାଳିବା ପାଇଁ ଚାଷୀମାନେ ଜମିରେ ନିଆଁ ଲଗାଇଦିଅନ୍ତି । ତେଣୁ ଏହି ସମୟରେ ହିଁ ଅଧିକ ସ୍ମଗ୍ ଦେଖାଦେଇଥାଏ ବୋଲି ଅନୁମାନ କରାଯାଉଛି ।

କେତେ କ୍ଷତିକାରକ ସ୍ମଗ୍? ସ୍ମଗ୍ ଯୋଗୁଁ ବାୟୁମଣ୍ଡଳ ଅସ୍ୱଚ୍ଛ ଓ କୁହୁଡ଼ିଆ ହେବା ଫଳରେ ଯାନବାହନ, ଟ୍ରେନ୍ ଓ ବିମାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିସହ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ । ସ୍ମଗ୍ ବା ଏଥିରେ ଥିବା ଓଜୋନ୍ ଯୋଗୁଁ ଫୁସଫୁସ୍ ପ୍ରତି କ୍ଷତି ପହଞ୍ଚିଥାଏ ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରେ । ଶ୍ୱାସ ରୋଗୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ । ଏହାଦ୍ୱାରା ଫୁସଫୁସ କ୍ୟାନସର୍, ନିମୋନିଆ ଆଦି ମଧ୍ୟ ହେବାର ଆଶଙ୍କା ରହିଛି । ଆଖି ପୋଡ଼ିବା ଓ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦିଏ । ପି.ଏମ୍. 2.5 ମାତ୍ରା ବଢ଼ିବା ଯୋଗୁଁ କ୍ରୋନିକ ବ୍ରୋଙ୍କାଇଟିସ୍, ହୃଦରୋଗ ଓ ଫୁସଫୁସ କ୍ୟାନସର୍ ଦେଖାଦିଏ । ତେଣୁ ବାହାରକୁ ଜରୁରୀ ଥିଲେ ହିଁ ବାହାରନ୍ତୁ ଓ ମାସ୍କ ବ୍ୟବହାର କରନ୍ତୁ । ଏହାଦ୍ୱାରା ମଣିଷ ସହିତ ଅନ୍ୟ ଜୀବଜନ୍ତୁ ଓ ଗଛଲତା ମଧ୍ୟ ପ୍ରଭାବିତ ହୁଅନ୍ତି ।

କେମିତି ହେବନି ସ୍ମଗ୍? ସ୍ମଗରୁ ରକ୍ଷା ପାଇବା ପାଇଁ ସବୁଦିନ ପାଇଁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ଗାଡ଼ି ମୋଟରରୁ ନିର୍ଗତ ଧୂଆଁ ଏହାର ସୃଷ୍ଟି ପଛର ମୁଖ୍ୟ କାରଣ ହୋଇଥିବାରୁ ଗାଡ଼ି ଚଳାଚଳ କମାଇବାକୁ ପଡ଼ିବ । ସାଇକେଲ୍ କିମ୍ବା ବିଦ୍ୟୁତ ଚାଳିତ ଗାଡ଼ିର ବ୍ୟବହାର, କାର୍ ବଦଳରେ ବସ୍ କିମ୍ବା ଟ୍ରେନ୍ ଭଳି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାର ବ୍ୟବହାର, କାର୍ ରେ ନିୟମିତ ଇଞ୍ଜିନ ପରୀକ୍ଷା, ନିୟମିତ ତେଲ ବଦଳାଇବା, ଟ୍ୟୁନ୍-ଅପ୍ କରିବା, ଦିନବେଳା ତେଲ ନପକାଇ ରାତିରେ କିମ୍ବା ଭୋରରୁ ଗାଡ଼ିରେ ତେଲ ପକାଇବା, ନିୟମିତ ଟାୟାର୍ ବଦଳାଇବା, ଅଧିକ ଭିଓସି ଉତ୍ପନ୍ନ କରୁଥିବା ରଙ୍ଗ ବ୍ୟବହାର ନକରିବା, ଘାସ କଟା ଭଳି ଘର ବାହାରେ ବ୍ୟବହୃତ ଗ୍ୟାସ ଚାଳିତ ଯନ୍ତ୍ର ପରିବର୍ତ୍ତେ ବିଦ୍ୟୁତ ଚାଳିତ ଯନ୍ତ୍ରକୁ ଗୁରୁତ୍ୱ ଦେବା ଫଳରେ ସ୍ମଗ୍ ମାତ୍ରା ହ୍ରାସ କରାଯାଇପାରିବ ।

Previous ArticleNext Article

Send this to a friend