ଆମ ଦେଶରେ “ଭାରତୀୟ’’ ନାହାନ୍ତି !

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ସେ ସାରା ଭାରତ ବୁଲିଲେ। ଦିଲ୍ଲୀରୁ କୋଲକତା, ଆଉ ବିହାରରୁ ଗୁଜରାଟ ଏମିତିକି ମୁମ୍ବାଇ ବି ଯାଇଥିଲେ। ହେଲେ ଏତେବଡ଼ ଦେଶରେ ତାଙ୍କୁ ଜଣେ ବି ଭାରତୀୟ ଦିଶିଲେନି। ଯାହା ସହ କଥା ହୋଇ ତାଙ୍କୁ ଏଇ ଶବ୍ଦଟିର ଗାରିମା ସମ୍ପର୍କରେ କିଛିବି ଆଭାସ୍‌ ହୋଇଥାନ୍ତା। କିନ୍ତୁ ଏମିତି କିଛି ହେଲାନି। କୋଲକତାରେ ବଙ୍ଗାଳୀ, ବିହାରରେ ବିହାରୀ ଆଉ ମହାରାଷ୍ଟ୍ରରେ ମରାଠୀଙ୍କୁ ଭେଟିଲେ। ସାତ ଦରିଆ ପାର ହୋଇ ଭରତ ବୁଲି ଆସିଥିବା ଏହି ମହିଳା ଜଣଙ୍କ ହାବୁଡରେ ଜଣେ ବି ଭାରତୀୟ ପଡିଲେନି।”

ଏହି ପରିଚ୍ଛେଦଟି ପଢିବା ପରେ ଆପଣ ହଠାତ୍‌ କିଛି ବୁଝିପାରୁ ନ ଥିବେ। ଭାବୁଥିବେ ଆମେ ଆପଣଙ୍କୁ ଗପ ଶୁଣାଉଛୁ। ଅବଶ୍ୟ ଆପଣ କଥାଟିକୁ ଗପ ଭାବିପାରନ୍ତି। ହେଲେ ଟିକେ ଭିତରକୁ ନେଇ ଚିନ୍ତା କରନ୍ତୁ, ଯଦି ଆପଣଙ୍କୁ ଏହି କଥାଟି କେହି ବିଦେଶୀ ପର୍ଯ୍ୟଟକ କହିଥାନ୍ତେ ତା ହେଲେ ଆପଣ କ’ଣ ଅନୁଭବ କରିଥାନ୍ତେ ?

ଆମ ଭାଷାରେ ଆପଣ ବି ଏହି କଥା ଶୁଣି ଲଜ୍ଜିତ ହୋଇଥାନ୍ତେ। କାରଣ ଏତେ ବଡ ସୁନ୍ଦର ଦେଶରେ ଆମେ ଆଜି ଭାଗ ଭାଗ ହେବାକୁ ବସିଛେ। ଆଞ୍ଚଳିକତାକୁ ଜାବୁଡି ଧରି ଭାରତୀୟ ହେବାର ଗୌରବ ହରାଇବାକୁ ବସିଛେ।

ଏଭଳି ଏକ ସୁନ୍ଦର କଥାକୁ ଏକ ମାତ୍ର ୫ ମିନିଟ୍‌ର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଦୃଶ୍ୟାୟିତ କରିଛନ୍ତି ନିର୍ଦ୍ଦେଶକ ଗୋବିନ୍ଦ ମିଶ୍ର। ଉପରୋକ୍ତ ବର୍ଣ୍ଣନାଟି ତାଙ୍କ ନିର୍ଦ୍ଦେଶିତ “Say I am an Indian” ଚଳଚ୍ଚିତ୍ରର କଥା ଉପରେ ଆଧାରିତ । ଜଣେ ବିଦେଶୀ ମହିଳା ପର୍ଯ୍ୟଟକ ନିଜ ଦେଶକୁ ଫରିବା ସମୟର ଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି। ମହିଳା ଜଣକ ଏକ ଅଟୋରେ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ଅଟୋଚାଳକଙ୍କ ସହ କଥାବାର୍ତ୍ତା ବେଳେ ସେ ଏହି କଥାଟିକୁ ଉଠାଇଛନ୍ତି। ନିଜକୁ “ଭାରତୀୟ” କହୁଥିବା ଜଣେ ବି ହେଲେ ଲୋକ ତାଙ୍କୁ ଭେଟି ନାହାନ୍ତି ବୋଲି ସେ କହିଛନ୍ତି। ଯାହାକୁ ଶୁଣି ଅଟୋ ଚାଳକ ଜଣକ ମର୍ମାହତ ହୋଇ ନିଜକୁ ଜଣେ ସଚ୍ଚା ଭାରତୀୟ ବୋଲି କହିବା ସହ ଏହି କଥାଟିକୁ ନିଜ ଭିତରେ ଛପାଇ ଦେବାକୁ ଅନୁରୋଧ କରିଛନ୍ତି।

ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଯୁବପିଢୀ ଅନୁପ୍ରାଣିତ ହେବେ ବୋଲି ଆଶା କରାଯାଉଛି।

 

Previous ArticleNext Article

Send this to a friend