ଜଗନ୍ନାଥଙ୍କ ମୁହଁ କଳା ଆଉ ଦେହ ଧଳା କାହିଁକି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ। ତାଙ୍କ ମନ୍ଦିର, ତାଙ୍କ ମୂର୍ତ୍ତି ତାଙ୍କ ବେଶ, ଯାନିଯାତ୍ରା ସବୁଥିରେ ରହିଛି ନିଆରା ପଣ। ଦେଖିବା ଲୋକକୁ ଯାହା ଦିଶେ ବେଳେବଳେ ସେ ସବୁର ଉତ୍ତର ମିଳେନା। ଶ୍ରୀ ଜଗନ୍ନାଥ ଏମିତି କାହିଁକି ବୋଲି ପ୍ରଶ୍ନ ଆସେ, କିନ୍ତୁ ତାର ଉତ୍ତର ଖୋଜି ଖୋଜି ଆମେ କ୍ଲାନ୍ତ ହୋଇଯାଉ। ଜଗନ୍ନାଥ ସଂସ୍କୃତିର ଏହି ନିଆରା ପଣିଆ ହିଁ ଆଜି ସାରା ବିଶ୍ୱରେ ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଛି।

ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଗୋଟିଏ ରହସ୍ୟ ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ। ଯାହାକୁ ପଢି ଆପଣ ହୁଏତ ମହାପ୍ରଭୁଙ୍କ ଅନନ୍ୟ ପଣିଆକୁ ପ୍ରଣିପାତ କରିବେ।

ଜଗନ୍ନାଥ, ଓଡିଆଙ୍କ ପ୍ରିୟ କାଳିଆ, କଳାଠାକୁର। ଗୌଡୀୟ ଭକ୍ତଙ୍କ ପାଇଁ ସେ କଳାକାହ୍ନୁ, ରାମପନ୍ଥୀ ଭକ୍ତଙ୍କ ପାଇଁ ସେ ଶ୍ୟାମଳ ରାମଚନ୍ଦ୍ର। ସବୁଥିରେ ଗୋଟିଏ ଶବ୍ଦ । କଳା ରଙ୍ଗର କଥା। ହେଲେ ନିରେଖି ଦେଖିଲେ ଏଥିରେ ବି ବ୍ୟତିକ୍ରମ ଦିଶିବ। ଯଦି ଆପଣ କେବେ ମଇଲମ (ବେଶ ଓ ବସ୍ତ୍ର ପରିବର୍ତ୍ତନ ସମୟକୁ ଏପରି କୁହାଯାଏ) ହେଉଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରନ୍ତି ତା ହେଲେ ଏହି ବ୍ୟତିକ୍ରମଟି ଆପଣଙ୍କ ଦୃଷ୍ଟିକୁ ଆସିବ।

କଳାଠାକୁରଙ୍କ ଶ୍ରୀମୁଖଟି କଳା ରଙ୍ଗର ହୋଇଥିବା ବେଳେ ଅଧର ପାଖରୁ ତଳକୁ ବା ବିଗ୍ରହଙ୍କ ନିମ୍ନ ଅଂଶଟି ଧଳା ରଙ୍ଗର ହୋଇଥିବା ପ୍ରତୀୟମାନ ହୁଏ। ସାଧାରଣ ଦର୍ଶକ, ଭକ୍ତ ବା ଶ୍ରଦ୍ଧାଳୁ ଏହାକୁ ଦେଖି ନିଶ୍ଚିତ ଆଚମ୍ବିତ ହେଉଥିବେ। ଜଣେ ବ୍ୟକ୍ତିର ମୁହଁର ରଙ୍ଗ ଗୋଟିଏ, ଆଉ ଦେହର ରଙ୍ଗ ଆଉ ଗୋଟିଏ ହୋଇପାରେ କେମିତି?

ଏହି ପ୍ରଶ୍ନ ଦିନେ ବିଭ୍ରାନ୍ତ କରିଥିଲା ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ। ଆଉ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ସେ ବୁଝିପାରି ରଚନା କରିଛନ୍ତି ‘ଜଗନ୍ନାଥାଷ୍ଟାକମ୍‌’। ଯେଉଁଥିରେ ଏହି ଦୁଇ ରଙ୍ଗର କଥାକୁ ଅତି ସୁନ୍ଦର ଭାବେ ସେ ଲେଖି ଯାଇଛନ୍ତି।

ଏହି ମହାନ୍‌ ଶ୍ଲୋକର ୬ଷ୍ଟ ପଦରେ ଜଗନ୍ନାଥଙ୍କୁ  ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ବର୍ଣ୍ଣନା କରାଯାଇଛି।

ଲେଖାଯାଇଛି, ‘‘…ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖମ୍‌, ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ।”

ପରବର୍ତ୍ତି ସମୟରେ ଏହି ଶ୍ଲୋକର ଅର୍ଥକୁ ଏପରି ଭାବେ ବ୍ୟାଖ୍ୟା କରାଯାଇଛି। କୁହାଯାଇଛି ଯେ, ରାଧା କୃଷରୂପୀ ଜଗନ୍ନାଥଙ୍କୁ ଆଲିଙ୍ଗନ କରି ଧରିଛନ୍ତି। ଏଣୁ ତାଙ୍କ ପୃଷ୍ଠଭାଗ ଆମେ ଦେଖିବାକୁ ପାଉଛେ। ଜଣେ ଜଣଙ୍କୁ କୁଣ୍ଢାଇ ଧରିଲେ ଜଣଙ୍କ ପୃଷ୍ଠ ଭାଗ ଓ ଅନ୍ୟ ଜଣଙ୍କ ମୁଖ ଦେଖାଯିବା ସ୍ୱାଭାବିକ୍‌। ଏଣୁ ଏହି ଭାବରେ ଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନାରୁଢ ହୋଇଛନ୍ତି। ରାଧା ଗୌର ବର୍ଣ୍ଣର ପ୍ରତୀକ ହୋଇଥିବାରୁ ମହାପ୍ରଭୁଙ୍କ ଭକ୍ତବତ୍ସଳତାକୁ ପ୍ରତିପାଦିତ କରେ ଏହି ଶ୍ରୀ ବିଗ୍ରହ।

Previous ArticleNext Article

Send this to a friend