ମୃତ୍ୟୁର ଆଭାସକୁ ବାରି ବି ବିଚଳିତ ନ ଥିଲେ ବିବେକାନନ୍ଦ !  

vivekananda

ସେ ଥିଲେ ସତ୍ୟର ସାଧକ। ସମାଜ ସଂସ୍କାରର ଜଣେ ଅନନ୍ୟ ନାୟକ। କେତେ କୁସଂସ୍କାର ଆଉ କେତେ ଅନ୍ଧବିଶ୍ୱାସର ପାହାଡ଼ ତାଙ୍କ ଜ୍ଞାନର ମହାଶକ୍ତି ପାଖରେ ଚୁରମାର ହୋଇଛି ତାହା କେବଳ ଇତିହାସ ହିଁ ସାକ୍ଷୀ ଅଛି। ସେ ହେଉଛନ୍ତି ଜଣେ ଯୋଗ ଜନ୍ମା ପୁରୁଷ। ନିଜର ଦିବ୍ୟଜ୍ଞାନ ବଳରେ ଭବିଷ୍ୟତକୁ ବାରିପାରୁଥିଲେ ସେ।  ଆତ୍ମ ସଂଜମ ଏବଂ କଠୋର ଧ୍ୟାନ ବଳରେ ସେ ଇଶ୍ୱରଙ୍କ ସତ୍ତାକୁ ଅନୁଭବ କରିପାରୁଥିଲେ। ଆମେ କହୁଛୁ  ଭାରତର ମହାନ ସନ୍ଥ ତଥା ଯୁବପୀଢିଙ୍କ ଆଦର୍ଶ ବିବେକାନନ୍ଦଙ୍କ କଥା। ସନାତନ ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୯୩ ମସିହାରେ  ଆମେରିକାର ସିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ସେ ଦେଇଥିବା ଦୀକ୍ଷାନ୍ତ ଭାଷଣ ସମଗ୍ର ବିଶ୍ୱର ଚେତନାକୁ ଦୋହଲାଇଦେଇଥିଲା।  ତାଙ୍କ ଜୀବର ଏମିତି କିଛି କାହାଣୀ ଅଛି ଯାହାକୁ ଜାଣିଲେ ଆପଣ ଅବାକ୍‌ ହୋଇଯିବେ। ସେ ଏମିତି ସାଧକ ଥିଲେ ଯିଏ ନିଜ ମୃତ୍ୟୁ ଆଗମନକୁ ଅନୁଭବ କରିଥିଲେ ମଧ୍ୟ ବିଚଳିତ ନ ଥିଲେ।  ତେବେ ଆସନ୍ତୁ ତାଙ୍କ ଜୀବନି ବିଷୟରେ ସେମିତି କିଛି ତଥ୍ୟ ଜାଣିବା।

ବିବେକାନନ୍ଦଙ୍କ ପ୍ରକୃତ ନାଁ ହେଉଛି ନରେନ୍ଦ୍ର ନାଥ ଦତ୍ତ। ପିଲାଦିନର ନରେନ୍ଦ୍ରବଡ ହୋଇ ସ୍ୱାମୀ ବିବେକାନନ୍ଦ ରୂପେ ପରିଚିତ ହୋଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତି ଉପରେ ପୂରା ଭରସା ଥିଲା। ସେ କହୁଥିଲେ ଭାରତ ଏକବିଂଶ ଶତାବ୍ଦୀର ବିଶ୍ୱର ଗୁରୁ ଭାବେ ଉଭାହେବ। ଆଜିର ଭାରତର ଚିତ୍ରକୁ ଅନୁଧ୍ୟାନ କଲେ ସେଦିନର ତାଙ୍କ ଭବିଷ୍ୟବାଣୀର ସତ୍ୟତାକୁ ଅନୁଭବ କରିହେଉଛି। କାରଣ ଆଜି ଭାରତ ସବୁକ୍ଷେତ୍ରରେ ଶୀର୍ଷରେ ପହଞ୍ଚିପାରିଛି।  ପିଲାଦିନେ ସ୍ୱାମୀ ବିବେକାନନ୍ଦ ବେଶୀ ଜ୍ଞାନୀ ନ ଥିଲେ। ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ ସେ ମାତ୍ର ୪୭ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ।  ଆଉ  ବିଏରେ ସେ ୫୬ ପ୍ରତିଶତ ମାର୍କରେ ପାସ୍ କରିଥିଲେ। କିନ୍ତୁ ଶିକ୍ଷା ପ୍ରତି ଅହେତୁକ ଦୁର୍ବଳତା, କଠୋର ଅଧ୍ୟବସାୟ ଏବଂ ନିଷ୍ଠାର ତାଙ୍କୁ ମହାଜ୍ଞାନୀରେ ପରିଣତ କରିଦେଇଥିଲା। ବେଦ ବେଦାନ୍ତ ଏବଂ ଉପନିଷଦରେ ତାଙ୍କର ଥିଲା ଗଭୀର ଗବେଷଣା। ଯାହାର ଶାରମର୍ମକୁ ଉଦ୍ଧୃତ କରି ସମାଜ ପାଇଁ ବହୁ ଉପଯୋଗୀ ବାଣ ଦେଇଯାଇଛନ୍ତି।

ବାପାଙ୍କ ମୃତ୍ୟୁପରେ ବିବେକାନନ୍ଦଙ୍କ ଜୀବନରେ ଘୋର ଆର୍ଥିକ ଅଭାବ ଦେଖା ଦେଇଥିଲା।  ଏମିତିକି ନିଜ ବନ୍ଧୁଙ୍କ ଘରେ ଖାଦ୍ୟ ଖାଇବା ପାଇଁ ବାହାନା କରି ସେ କେତେ ଥର ଉପବାଶ ରହିଛନ୍ତି ତାହା କେବଳ ଇଶ୍ୱରଙ୍କୁ ହିଁ ଜଣା। ଘରେ ଖାଇବା ପାଇଁ ପଇସା ନ ଥିଲା। ଅଭାବ ଅନଟନରେ ବିତୁଥିଲା ଜୀବନ। କିନ୍ତୁ ତାଙ୍କ ଯୌବନର ଔଜ୍ଜ୍ୱଲ୍ୟ, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଚେହେରାର ଚମକ ବହୁ ସୁନ୍ଦରୀ ତରୁଣୀଙ୍କୁ ପାଗଳ କରିଦେଉଥିଲା। ଏମିତିକି  ବହୁ ଧନୀ ଘରର ଝିଅଙ୍କ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ସବୁ ପ୍ରସ୍ତାବକୁ ବିବେକାନନ୍ଦ ଗୋଡ଼ରେ ଆଡ଼େଇ ଦେଇ ଇଶ୍ୱରଙ୍କ ସନ୍ଧାନରେ ନିଜକୁ ସମର୍ପି ଦେଇଥିଲେ। । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ।  ସେ  କହୁଥିଲେ ତୁମର ତୁଚ୍ଛ ଇଚ୍ଛା ଠାରୁ ଦୂରେଇ ଇଶ୍ୱରକୁ ଖୋଜ।

ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ  ସେ ନିଜ ମୃତ୍ୟୁ ବିଷୟରେ ବାରିପାରିଥିଲେ। ଜାନ ପି ଫାଂକ୍ସ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଚିଠି ଲେଖିବା ସମୟରେ ସ୍ୱାମୀ କହିଥିଲେ ମତେ ସାହସ ଓ ଉତ୍ସାହ ପସନ୍ଦ। ସମାଜକୁ ଏହାର ବହୁତ ଆବଶ୍ୟକ ରହିଛି। ମୋ ସ୍ୱାସ୍ଥ୍ୟବସ୍ଥା   ଖରାପ ହେବାରେ ଲାଗିଛି ।  ବହୁ ଦିନ ପର୍ଯ୍ୟନ୍ତ ବଞ୍ଚିବାର ମୋର ଆଶା ନାହିଁ। ତାଙ୍କ ମୃତ୍ୟୁ କେବେ ହେବ ତାହା ବି ସ୍ୱାମୀ ବିବେକାନନ୍ଦ ଜାଣିଥିଲେ । ତାଙ୍କର ଚେତନା ଅଗ୍ରସର ହେଉଥିଲା ଓ ବଢୁଥିବା ଚେତନାକୁ ତାଙ୍କ ଶରୀର ସମ୍ଭାଳି ପାରୁ ନ ଥିଲା। ବିବେକାନନ୍ଦ କହୁଥିଲେ ଏମିତି ଏକ ଦିନ ଆସିବ ଯେତେବେଳେ ମୋ ଚେତନା ପରତ୍ମାଙ୍କ ପାଖରେ ପହଞ୍ଚିଯିବ। ମୋ ଶରୀର ଏହାକୁ ସମ୍ଭଳି ପାରିବ ନାହିଁ ଏବଂ ମୋର ମୃତ୍ୟୁ ଘଟିଯିବ।

ବିଭିନ୍ନ ରୋଗରେ ପୀଡ଼ତ ଥିଲେ ସ୍ୱାମୀ ବିବେକାନନ୍ଦ। ବେକରେ ଯନ୍ତ୍ରଣା ହେଉଥିଲା। କିଡନୀ ସମସ୍ୟା, ଛାତି ସମସ୍ୟା, ଡାହାଣ ଆଖି ନାଲି ହେବା, ମଧୁମେୟ, ମାଇଗ୍ରେନ୍, ଟନ୍ସିଲେଟିସ୍‌, ଆସ୍ତମା, ମ୍ୟାଲେରିଆ, ଜ୍ୱର, ଲିଭର ସମସ୍ୟା, ବଦହଜମୀ ଆଦି ୩୦ଟି ବଡ ବଡ଼ ରୋଗକୁ ସେ ସାମ୍ନା କରିଥିଲେ। ଶେଷରେ ୧୯୦୨ ଜୁଲାଇ ୪ ତାରିଖରେ ଧ୍ୟାନମଗ୍ନ ରହି ଶରୀର ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ସେ ଦୁନିଆରୁ ବିଦାୟ ନେଇଗଲେ ସତ କିନ୍ତୁ ସେ ଯେଉଁ ଶକ୍ତି ଏବଂ ଦର୍ଶନ ଛାଡ଼ିଗଲେ  ତାହା ଚିରଦିନ ପାଇଁ ଅମର ହୋଇଗଲା।

Previous ArticleNext Article

Send this to a friend