ମୌସୁମୀର ମହାରହସ୍ୟ: କେମିତି ଆସେ, କେମିତି ଯାଏ ଏବଂ କେତେ ଦିନ ରୁହେ, ପଢନ୍ତୁ ସ୍ପେସିଆଲ ରିପୋର୍ଟ

ଆସିଛି ମୌସୁମୀ। ପ୍ରଚଣ୍ଡ ରୌଦ୍ରତାପରେ ଜୀବଜଗତ ତ୍ରାହି ତ୍ରାହି ଡାକୁଥିବା ବେଳେ ମୌସୁମୀ ଆଣିଦେଇଛି ଆଶ୍ୱସ୍ତି। ତା’ ଆଗମନରେ ବୈଶାଖ ଆଉ ଉତ୍ପାତ ହେଉନି। ଝାଞ୍ଜି ଆଉ ଝଡ଼ ସୃଷ୍ଟି କରୁନି।  ସବୁଠି ଖୁସିର ଲହରୀ। ଆଶା ଆଶ୍ୱସନାର ସନ୍ଦେଶ ନେଇ ଆସିଥିବା ମୌସୁମୀ ସଭିଙ୍କ ମନରେ ଭରିଦେଇଛି ଆନନ୍ଦ । ତା’ ଶୀତଳ ସ୍ପର୍ଶରେ ପୁଲକିତ ହୋଇଛି ମନ, ପ୍ରାଣ ଏବଂ ହୃଦୟ।  ଚାଷୀ ଆନନ୍ଦିତ। କବି ଉତ୍ସାହିତ। ପ୍ରେମୀଯୁଗଳ ଉତ୍‌ଫୁଲିତ। ପଶୁ, ପକ୍ଷୀ ଗଛ ଲତା, ମଣିଷ ସମସ୍ତେ ଆନମନା।  ଏହି ମୌସୁମୀ ହିଁ ଆମ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।  ଆମର ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହିତ ମୌସୁମୀର ରହିଛି ସମ୍ପର୍କ। ଏହି ମୌସୁମୀ ଯେତିକି ରୋମାଞ୍ଚକର ସେତିକି ରହସ୍ୟମୟ। ହେଲେ ଏହା କେମିତି ଆସେ, ଧରାପୃଷ୍ଠରେ କେତେ ଦିନ ରୁହେ ଏବଂ ଏହା ଆମ ଜୀବନକୁ କେମିତି ପ୍ରଭାବିତ କରେ ଆସନ୍ତୁ ଏହାର ସୃଷ୍ଟିର ରହସ୍ୟ ସମ୍ପର୍କରେ ଜାଣିବା।

ମୌସୁମୀ ବା ମୁନସୁନ୍‌ ସୃଷ୍ଟି ରହସ୍ୟ

ମୁନ୍‌ସୁନ୍‌। ଏହି ମୁନ୍‌ସୁନ୍‌ ଶବ୍ଦଟି ଆରବ ଶବ୍ଦ ମୌସୁମରୁ ହିଁ ଆସିଛି। ଯାହାର ଅର୍ଥ ହେଉଛି ଋତୁ।  ଏକ ଋତୁକାଳୀନ ପରିବର୍ତ୍ତନ ତଥା ବିପରୀତ ଦିଗକୁ ବାୟୁ ପ୍ରବାହିତ ପ୍ରକ୍ରିୟାକୁ ମୌସୁମୀ କୁହାଯାଏ। ଏହା ଏକ ଋତୁକାଳୀନ ଧାରା। ସାଧାରଣତଃ ଗରମ ସମୟରେ ସ୍ଥଳଭାଗ ଶୀଘ୍ର ଉତପ୍ତ ହେଉଥିବା କାରଣରୁ ସ୍ଥଳଭାଗରେ ଏକ ଲୋ ପ୍ରେସର ସୃଷ୍ଟି ହୁଏ। ଏହି ସମୟରେ ସମୁଦ୍ର ଉପରିଭାଗରେ ଗୁରୁଚାପ ସୃଷ୍ଟି ହୋଇଥାଏ। ଫଳରେ ଗୁରୁଚାପ ଅଞ୍ଚଳରୁ ଲଘୁଚାପଜନିତ ଅଞ୍ଚଳକୁ  ପ୍ରବଳ ବେଗରେ ବାୟୁ ପ୍ରବାହିତ ହୋଇଥାଏ। ଏହି ବାୟୁ ସମୁଦ୍ରପୃଷ୍ଟରୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଉଥିବାରୁ ଏହାକୁ  ସି-ବିଜ୍‌ କୁହାଯାଏ। ଏହି ସମୟରେ ସମୁଦ୍ରର ଆଦ୍ର ହାୱା ସକ୍ରିୟ ହୋଇ ଉପରକୁ ଉଠି ସ୍ଥଳଭାଗକୁ ଗତିଶୀଳ ହୋଇଥାଏ।  ପରେ ଏହି ହାୱା ମେଘ ଖଣ୍ଡକୁ ଶୀତଳ କରି ବର୍ଷା କରିଥାଏ। ଏହାର ଠିକ୍‌ ଓଲଟା ପ୍ରକ୍ରିୟାକୁ ଲ୍ୟାଣ୍ଡ ବ୍ରିଜ୍‌ କୁହାଯାଏ।  ଅର୍ଥାତ ଶୀତ ସମୟରେ ସ୍ଥଳଭାଗରୁ ଜଳଭାଗ ଅପେକ୍ଷାକୃତ ଅଧିକ ଉତ୍ତପ୍ତ ହେଉଥିବାରୁ ଏହି ସମୟରେ ବାୟୁ ସମୁଦ୍ରପୃଷ୍ଟକୁ  ପ୍ରବାହିତ ହୋଇଥାଏ। ଆଉ ଉପରୋକ୍ତ ଫର୍ମୁଲାରେ ମୌସୁମୀ ଜଳଭାଗୁକୁ ଫେରିଲା ବେଳେ ସମୁଦ୍ରରେ ହିଁ ବର୍ଷା ହୋଇଥାଏ।  ତେବେ ଜୁନ୍‌ ମାସରେ ସୂର୍ଯ୍ୟ ଉତ୍ତରଗୋଲାର୍ଦ୍ଧରେ ଅବସ୍ଥାନ କରୁଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହର କାରଣ ସାଜିଥାଏ।  ଯାହା ପୃଥିବୀର ଏସୀୟର କିଛି ରାଷ୍ଟ୍ରକୁ ପ୍ରବାହିତ ହୋଇଥାଏ।

ଭାରତକୁ କେମିତି ପ୍ରବେଶ କରେ

ଭାରତୀୟ ମହାସାଗର ଏବଂ ଆରବ ସାଗରରୁ ଭାରତକୁ ଦକ୍ଷିଣ-ପଶ୍ଚିମତଟ ଦେଇ ପ୍ରବାହିତ ହେଉଥିବା ବାୟକୁ ମୌସୁମୀ ବାୟୁ କୁହାଯାଇଥାଏ। ଏହି ବାୟୁ ଜଳ ମିଶ୍ରିତ ବାଦଲକୁ ସାଙ୍ଗରେ ନେଇ ଆସିଥାଏ। ଯାହା, ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଭାରତୀୟ ଉପଦ୍ୱୀପରେ ବର୍ଷା କରାଇଥାଏ। ମୌସୁମୀ ଏକ ଏମିତି ବାୟୁ ଯାହା ଦକ୍ଷିଣ-ଏସିଆ କ୍ଷେତ୍ରରେ ଜୁଲାଇରୁ-ସେପ୍ଟେମ୍ୱର ମଧ୍ୟରେ ପ୍ରବାହିତ ହୋଇଥାଏ।  ଅର୍ଥାତଏହି ସମୟରେ ଭାରତରେ ଭାରି ମାତ୍ରାରେ ବର୍ଷା ହୋଇଥାଏ। କେରଳରୁ ଶହ ଶହ କିମି ଦୂରରୁ ମୌସୁମୀ ଆସିଥାଏ। ଯାହା ଧୀରେ ଧୀରେ ଭାରତର ମହାଦ୍ୱୀପ ଆଡ଼କୁ ଅଗ୍ରସର ହୋଇଥାଏ। ସାଧାରଣତଃ ମୌସୁମୀ ଥଣ୍ଡା ଅଞ୍ଚଳରୁ ଗରମ ଅଞ୍ଚଳକୁ ପ୍ରବାହିତ ହୋଇଥାଏ।  ଯେଉଁ କାରଣରୁ ବର୍ଷା ହୋଇଥାଏ। ଏହି ସମୟରେ ଭାରତୀୟ ମହାସାଗର ଏବଂ ଆରବ ମହାସାଗରରୁ ଉଠୁଥିବା ବାୟୁ ହିମାଳୟ ଆଡ଼କୁ ଅଗ୍ରସର ହେବା ପୂର୍ବରୁ ଭାରତର ଦକ୍ଷିଣ-ପଶ୍ଚମତଟ ଦେଇ ପଶ୍ଚିମଘାଟ ଉପରେ ମାଡ଼ ହୋଇଥାଏ।  ତେଣୁ କେରଳ ଏବଂ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ପ୍ରଥମେ ବର୍ଷା ହୋଇଥାଏ। ପରେ ବଳକା ମୌସୁମୀ ପବନ ହିମାଳୟ ଅଭିମୁଖେ ଅଗ୍ରସର ହୋଇଥାଏ। ପରେ ଏହା ପୂର୍ବଭାରତରେ  ବର୍ଷା କରାଇଥାଏ। ଏହି ପ୍ରକ୍ରିୟା ଜୁନରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିଥାଏ।

ସାଧାରଣତଃ ଭାରତର ଜଳବାୟୁ ଉତ୍ତପ୍ତ। ତେଣୁ ଏଠାରେ ଦୁଇପ୍ରକାର ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ। ଜୁନରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ମୌସୁମୀ ବାୟୁକୁ ଦକ୍ଷିଣ-ପଶ୍ଚିମ ଏବଂ ଶୀତ ସମୟରେ ପ୍ରବାହିତ ହେଉଥିବା ମୌସୁମୀ ବାୟୁକୁ ଉତ୍ତର-ପଶ୍ଚିମ ମୌସୁମୀ ବାୟୁ କୁହାଯାଇଥାଏ। ଗରମ ସମୟରେ ସମୁଦ୍ରରୁ ସ୍ଥଳଭାଗୁକୁ ମୌସୁମୀ ବାୟୁ ପ୍ରବାହିତ ହେଉଥିବା ବେଳେ ଶୀତ ସମୟରେ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ମୌସୁମୀ ପ୍ରବାହିତ ହୋଇଥାଏ।  ଭାରତୀୟ ପାଣିପାଗ ବିଭାଗ ୧୬ ଏପ୍ରିଲରୁ ୨୫ ମେ ଭିତରେ ମୌସୁମୀ ସ୍ଥିତି ନେଇ ଆକଳନ କରିଥାଏ। ମୌସୁମୀ ଆକଳନ ପାଇଁ ଭାରତୀୟ ପାଣିପାଗ ବିଭାଗ ୧୬ଟି ବିଷୟକୁ ଅନୁଧ୍ୟାନ କରି ଏହାକୁ ୪ ଭାଗରେ ବିଭକ୍ତ କରେ।  ଆଉ ଏହାରି ଭିତରେ ମୌସୁମୀ ଆଗମନର ନିର୍ଯାସ ବାହାରିଥାଏ।

କୃଷି:ଭାରତୀୟ ଅର୍ଥନୀତିର ଜୀବନ ହେଉଛି କୃଷି। ଏହି କୃଷି ଉପରେ ଆମ ଦେଶର ଅର୍ଥନୀତି ନିର୍ଭରଶୀଳ। ଏହି ଚାଷ ହେଉଛି ହଜାର ହଜାର ଚାଷୀ ପରିବାରର ଜୀବନ ଜୀବିକା। ତେଣୁ କୃଷକମାନେ ସମ୍ପୂର୍ଣ୍ଣ ମୌସୁମୀ ଉପରେ ନିର୍ଭରଶୀଳ। ଭାରତରେ ୭୦ ପ୍ରତିଶତ ହେଉଛନ୍ତି ଚାଷୀ। ୫୮ ପ୍ରତିଶତ ପ୍ରତ୍ୟକ୍ଷ ହେଉ କିମ୍ୱା ପରୋକ୍ଷ ହେଉ କୃଷିଜନିତ ନିଯୁକ୍ତିକ୍ଷତ୍ରେରେ ନିର୍ଭରଶୀଳ। ସେହିପରି ଦେଶରେ ସମୁଦାୟ ଜିଡିପିରୁ ୧୮ ପ୍ରତିଶତ ଜିଡିପି କୃଷିକ୍ଷେତ୍ରରେ ଅନ୍ତଭୁର୍କ୍ତ ଥାଏ। ତେଣୁ ସବୁ ଚାଷୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟକୁ ଚାତକ ପରି ଅନେଇ ବସିଥାନ୍ତି। କାରଣ ଏହାରି ଉପରେ ଖରିଫ ଫସଲ ପ୍ରଭାବିତ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଜୁଲାଇରୁ-ସେପ୍ଟେମ୍ୱର ମାସରେ ୭୫ ପ୍ରତିଶତ ବର୍ଷା ହୋଇଥାଏ।

ସେନସେକ୍ସ : ଯେହେତୁ ମୌସୁମୀ ଅର୍ଥନୀତିକୁ ପ୍ରଭାବିତ କରେ ତେଣୁ ଏହାକୁ ନେଇ ବ୍ୟବସାୟ ଜଗତରେ ଉତ୍ସୁକତା ବଢିଥାଏ। ସେଥିପାଇଁ ସମଗ୍ର ଶିଳ୍ପଜଗତର ନଜର ଭାରତୀୟ ପାଣିପାଗ ବିଭାଗ ଉପରେ ନଜର ଥାଏ।  ପାଣିପାଗ ବିଭାଗର ମୌସୁମୀ ଆକଳନକୁ ନେଇ ସେନସେକ୍ସର ହାର୍ଟବିଟ୍‌ ହଲଚଲ ହୁଏ। ଭଲ ଖବର ଆସିଲେ ସେନସେକ୍ସର ଗତି ଆକାଶଛୁଆଁ ହୋଇଯାଏ। ଖରାପ ଖବର ଆସିଲେ ନମ୍ନମୁଖୀ ହୋଇ କଚାଡ଼ିପଡ଼େ। ନିବେଶକ ନିରାଶ ହୁଅନ୍ତି। କାରଣ ମୌସୁମୀ ଜନିତ ଭଲ ବର୍ଷା ହେଲେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବଢେ। ଲୋକଙ୍କର ଆର୍ଥିକ ଅଭିବୃଦ୍ଧି ବଢେ। ବଜାରରେ କିଣାବିକା ବଢେ। ଏଥିରେ ଶିଳ୍ପଜଗତ ଲାଭବାନ ହୋଇଥାଏ। ଫଳରେ ନିବେଶକମାନେ ଅଧିକରୁ ଅଧିକ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ସାଧାରଣତଃ ୯୮ ପ୍ରତିଶତ (ଦୀର୍ଘ ମିଆଦୀ) ବର୍ଷା ହେଲେ ଏହା ଅର୍ଥନୀତି ପାଇଁ ମାଲାମାଲ ସାବ୍ୟସ୍ତ ହୋଇଥାଏ।

ମୌସୁମୀ ଅଧିବେଶନ: ସଂସଦରେ ବସୁଥିବା ୩/୪ଟି ଅଧିବେଶନ ମଧ୍ୟରୁ ମୌସୁମୀ ଅଧିବେଶନ ଅନ୍ୟତମ। ସାଧାରଣତଃ ଏହି ଏହି ଅଧିବେଶନରେ ଦେଶର ଚାଷଜନିତ ସମସ୍ୟା ଉପରେ ଅଧିକ ଆଲୋଚନା ହୋଇଥାଏ। ଖାଲି ଚାଷଜନିତ ନୁହଁ ଅନ୍ୟ ବିଲ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥାଏ।

ମୌସୁମୀକୁ ନେଇ କିଛି କଥା: ମୌସୁମୀର ଅର୍ଥ ନୁହେଁ ବର୍ଷା। ଏହା ଏକ ଶକ୍ତିଶାଳି ବାୟୁ । ଯାହା ଥଣ୍ଡା ସ୍ଥାନରୁ ଗରମ ସ୍ଥାନକୁ ପ୍ରବାହିତ ହୋଇଥାଏ। ଏହି ସମୟରେ ୫୦୦୦୦୦ ଗୁଣା ବିଜୁଳି ମାରିଥାଏ। ପ୍ରତିବର୍ଷ ମୁନସୁନ ସମୟରେ ପ୍ରାକୃତିକ ବିର୍ଯ୍ୟୟ ଘଟି ୧୭୫୫ ଜଣଙ୍କ ମୃତ୍ୟୁ ଘଟେ । ଭାରତରେ ୧୮୮୬ ଜୁନ୍‌ ୪ରେ ପ୍ରଥମ ଥର ପାଇଁ ମୌସୁମୀ ଆକଳନ କରାଯାଇଥିଲା।

 

Previous ArticleNext Article

Leave a Reply

Send this to a friend