ମାର୍କେଟକୁ ଆସିବ ‘HOPE’, ୨୦ ପଇସାରେ ଗଡ଼ିବ ୧ କିଲୋମିଟର୍

ନୂଆଦିଲ୍ଲୀ: ପେଟ୍ରୋଲ୍-ଡିଜେଲ୍ ଦର ବୃଦ୍ଧି ଏବେ ଲୋକଙ୍କ ଦୈନନ୍ଦିନ ବଜେଟ୍ ଉପରେ ବହୁତ ପ୍ରଭାବ ପକାଇଛି। ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କାରୁ ଉପରେ ରହିଛି। ଅସମ୍ଭାଳ ପେଟ୍ରୋଲ ଦର ବୃଦ୍ଧିରୁ ରକ୍ଷା କରିବା ପାଇଁ ଆଇଆଇଟି ଦିଲ୍ଲୀ ନୂଆ ଉଦ୍ଭାବନ କରିଛି। ଆଇଆଇଟି ଦିଲ୍ଲୀର ଇନକ୍ୟୁବେଟେଡ୍ ଷ୍ଟାର୍ଟଅପ୍ ଗେଲିଅସ୍ ମୋବିଲିଟୀ ଏକ ଇଲେକ୍ଟ୍ରୋନିକ୍ସ ସ୍କୁଟର୍ ‘HOPE’ର ଉଦ୍ଭାବନ କରିଛି, ଯାହା ୨୦ ପଇସାରେ ୧ କିଲୋମିଟର୍ ପର୍ଯ୍ୟନ୍ତ ଚାଲିବ। ଏହି ‘HOPE’ ଡେଲିଭରୀ ଏବଂ ସ୍ଥାନୀୟ ଯାତାୟତ ପାଇଁ ବହୁତ ଲାଭଦାୟକ ହେବ। ଏହି ସ୍କୁଟର୍ ଘଣ୍ଟାପ୍ରତି ସର୍ବାଧିକ ୨୫ କିଲୋମିଟର୍ ସ୍ପୀଡରେ ଯାଇପାରିବ। ଏହାସହ ସ୍କୁଟରଟି ଇ-ଭେହିକିଲ୍ ରିହାତି ବର୍ଗରେ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଏହି ସ୍କୁଟରକୁ ଚଳାଇବା ପାଇଁ କୌଣସି ଡ୍ରାଇଭିଂ ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନର ଆବଶ୍ୟତକା ନାହିଁ। ‘HOPE’ ସହ ପୋର୍ଟେବଲ୍ ଚାର୍ଜର ଓ ପୋର୍ଟେବଲ୍ ଲିଥିୟମ୍-ଆୟନ୍ ବ୍ୟାଟେରୀ ରହିଛି, ଯାହାକୁ ଘରେ ବ୍ୟବହୃତ ହେଉଥିବା ସାମାନ୍ୟ ପ୍ଲଗ୍ ଦ୍ୱାରା ଚାର୍ଜ କରିହେବ। ସାମାନ୍ୟ ବିଦ୍ୟୁତ ଦ୍ୱାରା ଏହି ବ୍ୟାଟେରୀ ୪ ଘଣ୍ଟାରେ ପୂରା ଚାର୍ଜ ହୋଇଯିବ। ଏହି ସ୍କୁଟର ଚଳାଇବା ପାଇଁ ଲୋକଙ୍କ ପାଖରେ ଦୁଇଟି ଅଲଗା ଅଲଗା ଅପସନ୍ ରହିଛି। ଜଣେ ଯଦି ଚାହିଁବେ, ତାହେଲେ ସେ ୫୦ କିଲୋମିଟର କିମ୍ବା ୭୫ କିଲୋମିଟରର ବ୍ୟାଟେରୀ କ୍ଷମତା ଚୟନ କରିପାରିବେ।

ଏହି ସ୍କୁଟରରେ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ, ଡାଟା ମନିଟରିଂ ସିଷ୍ଟମ୍ ଓ ପ୍ୟାଡଲ୍ ଆସିଷ୍ଟ ୟୁନିଟ୍ ଭଳି ଅତ୍ୟାଧୁନିକ ଟେକନିକର ମିଶ୍ରଣ ରହିଛି। ଏଥିରେ ଆଇଓଟି (IOT) ରହିଛି, ଯାହା ଡାଟା ଆନାଲିଟିକ୍ସ ଜରିଆରେ ଗ୍ରାହକଙ୍କୁ ସର୍ବଦା ନିଜର ସ୍କୁଟର ସମ୍ବନ୍ଧରେ ସୂଚନା ଦେବ। ଏହି ବିଶେଷତା କାରଣରୁ ଭବିଷ୍ୟତରେ ‘HOPE’ ସ୍ମାର୍ଟ ଓ କନେକ୍ଟେଡ୍ ସ୍କୁଟରର ବର୍ଗରେ ଆସିଥାଏ।

ଗେଲିଅସ୍ ମୋବିଲିଟୀ ଦୁନିଆର ଅନ୍ୟତମ କମ୍ପାନୀ ଭାବେ ସ୍କୁଟରରେ ପେଡାଲ୍ ଆସିଷ୍ଟ ସିଷ୍ଟମ୍ ଭଳି ବିଶେଷ ଫିଚରକୁ ସ୍ଥାନ ଦେଇଛି। ଏହା ଦ୍ୱାରା ଗ୍ରାହକ ଯାତ୍ରା ସମୟରେ ନିଜର ସୁବିଧା ଅନୁଯାୟୀ ପେଡାଲ୍ କିମ୍ବା ଥ୍ରୋଟ୍ଟଲର ବିକଳ୍ପକୁ ବାଛି ପାରିବେ। ସେହିପରି ସୁବିଧାଜନକ ପାର୍କିଂ ପାଇଁ ‘HOPE’ ସ୍କୁଟରରେ ବିଶେଷ ରିଭର୍ସ ମୋଡର ଟେକନିକ୍ ରହିଛି, ଯାହା ସହାୟତାରେ କଠିନ ସ୍ଥାନରେ ସ୍କୁଟରକୁ ପାର୍କ କରାଯାଇପାରିବ।

ଅତ୍ୟାଧୁନିକ ଉପଯୋଗ ପାଇଁ ‘HOPE’କୁ ଗୋଟିଏ ମଜଭୁତ୍ ଓ କମ୍ ଓଜନର ଫ୍ରେମରେ ତିଆରି କରାଯାଇଛି। ସ୍କୁଟରର ଗଠନ ଓ ତା’ର ଲିନ୍ ଡିଜାଇନ୍ ଜନଗହଳିପୂର୍ଣ୍ଣ ଟ୍ରାଫିକରୁ ସହଜରେ ବାହାରିବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏହି ସ୍କୁଟରରେ ରିଭଲ୍ୟୁସନାରୀ ସ୍ଲାଇଡ୍ ରହିଛି ଏବଂ ଆବଶ୍ୟକ ମୁତାବକ ସାମଗ୍ରୀ କିମ୍ବା ପଛ ସିଟକୁ ଯୋଡ଼ାଯିବାର ବିକଳ୍ପ ରହିବ। ଖାଦ୍ୟ, ଇ-କମର୍ସ, ଗ୍ରୋସେରୀ, ଅତ୍ୟାବଶ୍ୟକ ଏବଂ ଅନ୍ୟ ବିତରଣ ପ୍ରୟୋଗ ଦ୍ୱାରା ହାଇପରଲୋକାଲ୍ ଡେଲିଭରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗେଲିଅସ୍ ମୋବିଲିଟୀ ଏବେ ଅନ୍ୟ ଲଜିଷ୍ଟିକ୍ ଓ ଡେଲିଭରୀ କମ୍ପାନୀ ସହ ଯୋଗାଯୋଗ ଚଳାଇଛି।

ସ୍କୁଟରର ଚାର୍ଜିଂ ଓ ଭରଣପୋଷଣ ପାଇଁ କମ୍ପାନୀ ବିଭିନ୍ନ ସ୍ଥାନରେ ହବ୍ ସ୍ଥାପନ କରିବାକୁ ଯୋଜନା କରୁଛି। ଏହାସହ ଏମରଜେନ୍ସି ସ୍ଥିତିରେ, ଆକସ୍ମିକ ସେବା ଭଳି ମାର୍ଗରେ ସହାୟତା ଏବଂ ବ୍ୟାଟେରୀ ବଦଳାଇବାର ସୁବିଧା କମ୍ପାନୀ ଦ୍ୱାରା ପ୍ରଦାନ କରାଯିବ। ଗେଲିଅସ୍ ମୋବିଲିଟୀର ସିଇଓ ଆଦିତ୍ୟ ତିୱାରୀ କହିଛନ୍ତି, ଆମେ ନିୟମିତ ବଢ଼ୁଥିବା ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାରେ ଗତି କରୁଛୁ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସମସ୍ତ ଇଣ୍ଡଷ୍ଟ୍ରୀକୁ ବିଶେଷକରି ଅଟୋମୋବାଲ୍ କମ୍ପାନୀଗୁଡ଼ିକୁ ଉଦ୍ୟମ କରିବା ଦରକାର। ଆମେ ତିନି ବର୍ଷ ତଳେ ଏହାର ଶୁଭାରମ୍ଭ କରିଥିଲୁ, ଏଥିରେ ‘HOPE’ ଆମର ପ୍ରମୁଖ ପ୍ରୋଜେକ୍ଟ ଥିଲା। ‘HOPE’ର ଦର ୪୬,୯୯୯ ଟଙ୍କା ରହିବ, ଯାହା ମାର୍କେଟର ସବୁଠାରୁ ଶସ୍ତା ଇଣ୍ଟରନେଟ୍ କନେକ୍ଟେଡ ସ୍କୁଟର୍ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।