ଜଳପଥରେ ପାରାଦୀପରୁ ଧାମରାକୁ ହେବ ପଣ୍ୟଦ୍ରବ୍ୟ କାରବାର

ପାରାଦୀପ: ଏବେ ଜଳପଥରେ ପାରାଦୀପରୁ ଧାମରାକୁ ପଣ୍ୟଦ୍ରବ୍ୟ କାରବାର ହେବ। ଜାତୀୟ ଜଳପଥ ଯୋଜନାରେ ଏ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଜାତୀୟ ଜଳପଥ ଯୋଜନାରେ ଧାମରାରୁ ରାଜନଗର ମଧ୍ୟରେ ଜାହାଜ ଚଳାଚଳ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

ସଡ଼କପଥ, ରେଳପଥ ଭଳି ରାଜ୍ୟରେ ଜଳପଥରେ ମାଲ ପରିବହନକୁ ଅଧିକ ବ୍ୟାପକ କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଓଡ଼ିଶା ପାଇଁ ଜାତୀୟ ଜଳପଥ ୫ରେ ମୋଟ୍ ୬୨୩ କିଲୋମିଟର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ରହିଛି ମହାନଦୀ ଡେଲଟାରେ ୧୦୧ କିଲୋମିଟର ଜଳପଥ। ଜଳପଥ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଜଳ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଛି ଏହି ଯୋଜନା। ଏବେ ପାରାଦୀପରୁ ଧାମରାକୁ ପଣ୍ୟଦ୍ରବ୍ୟ କାରବାର ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ଏରଡା ପାଖରେ ଏକ ଅସ୍ଥାୟୀ ଟର୍ମିନାଲ୍ କରାଯାଇଛି। ଜଳପଥର ବ୍ୟବହାର କରାଯାଇ ଖଣିଜ ସମ୍ପଦର ବ୍ୟାପକ ପରିବହନ କରାଯିବାକୁ ଯୋଜନା ରଖାଯାଇଛି।

ପ୍ରଥମ କରି ପଶ୍ଚିମବଙ୍ଗରୁ ବାହାରି ଏମଭି ଲାଲବାହାଦୁର ଶାସ୍ତ୍ରୀ ଜାହାଜ ଧାମରାରେ ପହଞ୍ଚିଛି। ଜୟନଗର ଓ ମଙ୍ଗଳାଗଡ଼ି ଦେଇ ଏହି ଜାହାଜ ରାଜନଗରରେ ଲାଗିଛି। ପରେ ଏହା ଆଜି ଦେଇ ପଦନୀପୁର ଯିବ। ସେଠାରୁ ଏହା ଧାମରା ଯିବ କି ପଶ୍ଚିମବଙ୍ଗ ଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ରାଜନଗରରେ ଜାହାଜ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।

ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର କହିଛନ୍ତି, ପିଲାଟେ ଦିନରୁ ଛୋଟ ଛୋଟ ବୋଟ୍ ଓ ମାଛଧରା ଜାହାଜ ଦେଖିଥିଲୁ। ଏପରି ଜାହାଜ କେବେ ଦେଖି ନ ଥିଲୁ। ଏହା କାର୍ଯ୍ୟକାରୀ ହେବା ପରେ ଆମ ଅଞ୍ଚଳରେ ଉନ୍ନତି ହୋଇପାରିବ।