ଓଡ଼ିଶାରେ ମ୍ୟାଗି ନୁଡୁଲସ୍ ଉପରୁ ବ୍ୟାନ୍ ହଟିଲା

ଭୁବନେଶ୍ୱର: ଓଡ଼ିଶାରେ ମ୍ୟାଗି ନୁଡୁଲସ୍ ଉପରୁ ଗୁରୁବାର ବ୍ୟାନ୍ ହଟିଛି। ଦୁଇଟି ସର୍ତ୍ତ ରଖି ରାଜ୍ୟ ସରକାର ମ୍ୟାଗିକୁ ଓଡ଼ିଶାରେ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଏହି ସର୍ତ୍ତ ଅନୁସାରେ ମ୍ୟାଗି ପ୍ୟାକେଟରେ ଲେଖାଯାଇଥିବା ନୋ ଆଡେଡ୍ ଏମ୍ଏସଜିକୁ ପ୍ରତ୍ୟାହାର କରିବା ଅର୍ଥାତ ମ୍ୟାଗିରେ ମୋନୋ ସୋଡିୟମ୍ ଗ୍ଳୁଟାମେଡ୍ ରହିବ ନାହିଁ। ତା’ସହିତ ଧାର୍ଯ୍ୟ ମାତ୍ରା ଠାରୁ ସୀସାର ଅଂଶ କମ ରଖିବା। ଅର୍ଥାତ ଏକ କିଲୋ ମ୍ୟାଗିରେ ସିସାର ଅଂଶ ୨.୫ ମିଲିଗ୍ରାମରୁ କମ୍ ରହିବ। ଏହି ସର୍ତ୍ତକୁ ମ୍ୟାଗି କମ୍ପାନି ମାନିବା ନେଇ ଖାଦ୍ୟ ନିରାପତ୍ତା କମିଶନରଙ୍କ ପାଖରେ ଜଣାଇବା ପରେ ବିକ୍ରି ପାଇଁ ଅନୁମତି ଦିଆଯାଇଛି ବୋଲି ଖାଦ୍ୟ ନିରାପତ୍ତା କମିଶନର ବାବାଜୀ ଚରଣ ଦାସ କହିଛନ୍ତି।

ମାସେ ପରେ ପୁଣି ଥରେ ମ୍ୟାଗିର ନମୂନା ଯାଞ୍ଚ ହେବ। ସର୍ତ୍ତ ଖିଲାପ ହୋଇଥିଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଗୁରୁବାର ମ୍ୟାଗି ପ୍ରସ୍ତୁତକର୍ତ୍ତା ନେସଲେ କଂପାନୀର ସିଏମଡି ସୁରେଶ ନାରାୟଣନ୍ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ କହିଛନ୍ତି ଯେ ମ୍ୟାଗି କାଲି ବି ନିରାପଦ ଥିଲା, ଆଜି ବି ନିରାପଦ ଅଛି ଓ ଆସନ୍ତକାଲି ବି ଦେହ ପ୍ରତି ନିରାପଦ ରହିବ।

ମ୍ୟାଗିରେ ମାତ୍ରାଧିକ ସୀସାକୁ ନେଇ ବିବାଦ ଦେଖାଦେଇଥିଲା। କିଛି ରାଜ୍ୟ ମ୍ୟାଗିକୁ ବ୍ୟାନ୍ କରିଥିଲେ। ଓଡିଶାରେ ମଧ୍ୟ ଜୁନ୍ ୮ରେ ମ୍ୟାଗି ଉପରେ ରୋକ୍ ଲାଗିଥିଲା।