ଫ୍ଲିପକାର୍ଟ ସହିତ ଚୁକ୍ତି କଲା ମହିନ୍ଦ୍ରା; ୧୮ରୁ SUV-KUV100ର ଅନଲାଇନ୍ ବୁକିଂ ଆରମ୍ଭ

ବେଙ୍ଗାଲୁରୁ: ପ୍ରମୁଖ ଗାଡ଼ି ନିର୍ମାଣକାରୀ କଂପାନୀ ମହିନ୍ଦ୍ର ଆଣ୍ଡ୍ ମହିନ୍ଦ୍ରା ତା’ର ନୂଆ ମଡେଲ୍ କାର୍ SUV-KUV100ର ଅନଲାଇନ୍ ବିକ୍ରି ପାଇଁ ଅନଲାଇନ୍ ମାର୍କେଟପ୍ଲେସ୍ ଫ୍ଲିପକାର୍ଟ ସହିତ ଚୁକ୍ତି କରିଛି। ଏହି କାର୍ କିଣିବା ପାଇଁ ଜାନୁଆରୀ ୧୮ରୁ ଅନଲାଇନରେ ବୁକ୍ କରାଯାଇପାରିବ।

ଫ୍ଲିପକାର୍ଟର ଉପ-ସଭାପତି (ବିଜନେସ୍) ଅନୀଲ ଗୋତେତି କହିଛନ୍ତି, ବର୍ତ୍ତମାନ ଅନଲାଇନ୍ ଅପରିହାର୍ଯ୍ୟ। ପ୍ରଥମ ଥର ପାଇଁ ଅଟୋମୋବାଇଲ୍ କ୍ୟାଟେଗୋରୀରେ ଫ୍ଲିପକାର୍ଟ ସହିତ କୌଣସି କଂପାନୀ ଚୁକ୍ତି କରିଛି। ଏହାର ସୁଫଳ ମହିନ୍ଦ୍ର ଆଣ୍ଡ୍ ମହିନ୍ଦ୍ରାକୁ ମିଳିବ। ଫ୍ଲିପକାର୍ଟର ନେଟୱର୍କ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ।

ସେହିଭଳି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ବିଜୟ ରାମ ନାକ୍ରା କହିଛନ୍ତି, ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଫ୍ଲିପକାର୍ଟ ସହିତ ଚୁକ୍ତି କରାଯାଇଛି। ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଗଲାଣି। SUV-KUV100 ଯୁବ ବର୍ଗଙ୍କୁ ଟାର୍ଗେଟ କରି ପ୍ରସ୍ତୁତ କରାଯାଇଛି। ଏଣୁ ଆମେ ଠିକ୍ ବାଟରେ ଯାଉଛୁ। ଏହି ଚୁକ୍ତି ଉଭୟ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ଫ୍ଲିପକାର୍ଟ ପାଇଁ ଲାଭଦାୟକ ହେବ।