କରୋନା ବେଳେ ମହଙ୍ଗା ହେଲା ସାଇକେଲ

ନୂଆଦିଲ୍ଲୀ: କରୋନା ବେଳରେ ଦେଶର ଆର୍ଥିକ ସ୍ଥିତି ଘାଇଲା ହୋଇଥିବାବେଳେ ସବୁ ଜିନିଷର ଦର ଦାମ ମଧ୍ୟ ବଢ଼ିଛି। ଏଥିରୁ ବାଦ୍ ପଡ଼ିବ ବା କେମିତି ସାଇକେଲ? ଯଦିଓ ଆଜିକାଲି ଲୋକମାନେ ଦୁଇ ଚକିଆ, ଚାରି ଚକିଆ ଯାନବାହାନ ଆଦି ଉପରେ ନିର୍ଭରଶୀଳ ହେଲେ ଏବେ ଫିଟ୍ ରହିବା ପାଇଁ ଲୋକମାନେ ସାଇକେଲ ପେଡେଲ ମାଡୁଛନ୍ତି। ଆଉ ଗାଡ଼ି ଭଳି ସାଇକେଲର ଚାହିଦା ମଧ୍ୟ ବଢ଼ିଛି। ସାଧାରଣତଃ ଏବେ ସାଇକେଲ ଚଳଣି ଗାଁ ମାନଙ୍କରେ ଅଳ୍ପେ ବହୁତ ରହିଛି। ଆଉ ପୂର୍ବଭଳି ସବୁବେଳେ କେହି ବ୍ୟବହାର କରୁ ନାହାଁନ୍ତି। ଏବେ ସହର ମାନଙ୍କରେ ଯେଉଁ ମାଳମାଳ ସାଇକେଲ ଗଡ଼ୁଛି ତାହା ଫିଟନେସ ପାଇଁ।

କରୋନା ବେଳେ ଜିମ୍ ବନ୍ଦ ହୋଇଯାଇଛି। ଫିଟନେସ ଜାରି ରଖିବା ପାଇଁ ସମସ୍ତେ ସାଇକେଲ ମୁହାଁ ହୋଇଛନ୍ତି। ଲୋକଙ୍କ ଆଗ୍ରହ ସାଇକେଲ ପ୍ରତି ବଢ଼ୁଥିବା ବେଳେ ଏବେ ଏହି ସାଇକେଲ ଦର ମହଙ୍ଗା ହୋଇଛି। ତେବେ କେବଳ ଗୋଟିଏ ବର୍ଷରେ ବିଭିନ୍ନ ପ୍ରକାରର ସାଇକେଲର ଦାମ ପ୍ରାୟ ୧୦୦୦ ଟଙ୍କାରୁ ଅଧିକ ବଢ଼ିଛି। ବର୍ତ୍ତମାନ ଦେଶ ସ୍ୱାଭାବିକ ମୁହାଁ ହେଉଛି। ହେଲେ ସାଇକେଲର ଦାମ ଦିନକୁ ଦିନ ବଢ଼ୁଛି। ଆର୍ଥିକ ସ୍ଥିତି ଭଲନଥିବା ବ୍ୟକ୍ତି ମଧ୍ୟ ସାଇକେଲ କିଣିବା ପୂର୍ବରୁ ୧୦ ଥର ଭାବିବା ସଦୃଶ ହୋଇଛି। ମହଙ୍ଗା ସାଇକେଲ ଦେଖି ଗ୍ରାହକମାନେ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି।

ମହଙ୍ଗା ସାଇକେଲ ପାଇଁ ସାଇକେଲ ନିର୍ମାତାଙ୍କ ଏକଚାଟିଆ ବ୍ୟବସାୟକୁ ଦାୟୀ କରିଛନ୍ତି ଦିଲ୍ଲୀ ଚାନ୍ଦିନୀଚୌକର ସାଇକେଲ ବ୍ୟବସାୟୀ ସୁରେଶ ଗୁପ୍ତା। ଅନ୍ୟପକ୍ଷରେ, ସାଇକେଲ ମାର୍କେଟ ଆସୋସିଏସନର ସଭାପତି ରାଜୀବ ବାତ୍ରା କହିଛନ୍ତି ବର୍ଷକ ମଧ୍ୟରେ ଇସ୍ପାତ, ଲୁହା ଏବଂ ପ୍ଲାଷ୍ଟିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ଯାହାର ପ୍ରଭାବ ସାଇକେଲ ବଜାର ଉପରେ ପଡ଼ିଛି।

ଦର ବଢ଼ିଥିବାରୁ ଦୋକାନୀଙ୍କ ସହ ଗ୍ରାହକମାନେ ଅଧିକ ସମୟ ମୁଲଚାଲ କରୁଥିବା ସୁରେଶ କହିଛନ୍ତି। ଗ୍ରାହକମାନେ ପୁରୁଣା ମୂଲ୍ୟରେ ସାଇକେଲ କିଣିବାକୁ ଚାହୁଁଛନ୍ତି କିନ୍ତୁ ଦର ବୃଦ୍ଧି ପାଇଁ ବେପାର ମଧ୍ୟ ପୂର୍ବ ତୁଳନାରେ କମିଛି। ବଜାରରେ କେବଳ ଫ୍ୟାନ୍ସି ସାଇକେଲ ମହଙ୍ଗା ହୋଇନାହିଁ, ସାଧାରଣ ଲୋକ ବ୍ୟବହାର କରୁଥିବା ସାଇକେଲର ଦର ମଧ୍ୟ ବଢ଼ିଛି। ପାଖାପାଖି ୧୦୦୦ ଟଙ୍କା ବଢ଼ିଛି ଏହି ସାଧାରଣ ସାଇକେଲ ଦାମ। ବର୍ଷକ ପୂର୍ବରୁ ଏହି ସାଇକେଲର ଦାମ ୩୫୦୦ ଟଙ୍କା ଥିଲା। ଏବେ ଏହା ପ୍ରାୟ ୪୫୦୦ ଟଙ୍କା ହୋଇଛି। କରୋନା ମହାମାରୀରେ ସାଇକେଲ ବଜାର ପ୍ରଭାବିତ ହୋଇଥିବା ବେଳେ ଏବେ ମହଙ୍ଗା ମାଡ଼ ଦର ଦୋକାନୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।