ମେ’ ତୁଳନାରେ ଜୁନରେ ଖୁଚୁରା ମୁଦ୍ରାସ୍ପୀତି ଶସ୍ତା ହେଲା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଉତ୍ପନ୍ନ ହୋଇଥିବା ଆର୍ଥିକ ମୁକାବିଲାର ସାମ୍ନା କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏହାରି ଭିତରେ ମେ ମାସ ତୁଳନାରେ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ପାଇଛି। ଉପୋଭକ୍ତା ମୂଲ୍ୟ ସୂଚକାଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ମେ’ରେ ଖୁଚୁରା ମୁଦ୍ରାସ୍ପୀତି ୬.୩୦ ପ୍ରତିଶତ ରହିଥିବା ବେଳେ ଜୁନରେ ଏହା ୦.୪ ପ୍ରତିଶତକୁ ହ୍ରାସ ପାଇ ୬.୨୬ ପ୍ରତିଶତ ହୋଇଛି। ମୁଖ୍ୟତଃ ପେଟ୍ରୋଲ, ଡିଜେଲ ଏବଂ ଖାଇବା ତେଲର ଦାମ ବୃଦ୍ଧି ହେବାରୁ ବଜାର ମହଙ୍ଗା ରହିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା କାରଣରୁ ପରିବହନ ଶୁଳ୍କ ବଢ଼ିଛି। ତେଣୁ ଅନ୍ୟ ସମସ୍ତ ଦର ବୃଦ୍ଧି ପାଉଛି।

ମେ’ ମାସର ରିପୋର୍ଟ ଅନୁଯାୟୀ, ସିପିଆଇ ଆଧାରିତ ଖୁଚୁରା ମୁଦ୍ରାସ୍ପୀତି ୬.୩୦ ପ୍ରତିଶତ ଥିଲା। ଯାହାକି ୬ ମାସରେ ସର୍ବାଧିକ ସ୍ତରରେ ଥିଲା। ତେବେ ନିକଟରେ ହୋଇଥିବା ଆରବିଆଇର ମନିଟାରି ପଲିସି କମିଟିରେ ଏହି ମହଙ୍ଗା ଦରକୁ ୪ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ଏହି ମୁଦ୍ରାସ୍ପୀତି ଆଗାମୀ ଦିନରେ ଅଧିକ ୨ ପଏଣ୍ଟ ନହେଲେ -୨ ମଧ୍ୟରେ ରଖିବାକୁ ଆକଳନ କରିଛି ଆରବିଆଇ। ହେଲେ ଦ୍ୱିତୀୟ ମାସ ପାଇଁ ଆରବିଆଇର ତାର ଆକଳନ ଭିତରେ ଖୁଚୁରା ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛି। ଏହା ପୂର୍ବରୁ ଲଗାତର ୫ ମାସ ହେବ ମହଙ୍ଗା ଦର ୬ ପ୍ରତିଶତ ତଳେ ରହିଥିଲା।

ବଜାରରେ ମୋଟ୍ ଏବେ ମୁଦ୍ରାସ୍ପୀତି ୬.୨୬ ପ୍ରତିଶତ ରହିଛି। ହେଲେ ସିଏଫଆଇ ଖାଦ୍ୟ ପଦାର୍ଥର ମହଙ୍ଗା ୫.୧୫ ପ୍ରତିଶତ ରହିଛି। ଯାହାକି ମେ ମାସରେ ୫.୦୧ ପ୍ରତିଶତ ଥିଲା। ଅର୍ଥାତ ଖାଇବା ଦର ବଢିଛି। ଏନଏସଓର ରିପୋର୍ଟରୁ ଜଣାପଡ଼ିଛି ଯେ ଖାଦ୍ୟ ଦର ବୃଦ୍ଧି ପଛର କାରଣ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି। ଏନଏସଓର ରିପୋର୍ଟ ଅନୁଯାୟୀ ଇନ୍ଧନ ଏବଂ ବିଜୁଳି ଦର ମହଙ୍ଗା ହୋଇଛି। ଜୁନରେ ଏହି ଦର ବୃଦ୍ଧି ହୋଇ ୧୨.୭ ପ୍ରତିଶତରେ ପହଞ୍ଚିଛି। ଯାହାକି ମେ ମାସରେ ୧୧.୬ ପ୍ରତିଶତ ଥିଲା।

ସୂଚନାଯୋଗ୍ୟ, ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ପୀତି ୫.୧ ପ୍ରତିଶତ ରହିବ ବୋଲି ଆକଳନ ରଖିଛି। ଜୁନରେ ମହଙ୍ଗା ଦର ୫.୨ ପ୍ରତିଶତ ରହିବ ବୋଲି ସ୍ଥିର କରିଥିବା ବେଳେ ସେପ୍ଟେମ୍ୱରରେ ଏହା ୫.୪ ପ୍ରତିଶତ ଏବଂ ଡିସେମ୍ୱରରେ ୪.୭ ପ୍ରତିଶତ ରହିବ ଏବଂ ମାର୍ଚ୍ଚରେ  ଏହା ୫.୩ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।