ତେଲ ଦର ବୃଦ୍ଧିକୁ ନେଇ ସଂସଦରେ ଘେରିଲେ ବିରୋଧୀ, ଜବାବ ଦେଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଛି ଆର୍ଥିକ ବିଲ୍ ୨୦୨୧। ମଙ୍ଗଳବାର ଏହି ବିଲ୍ ପାରିତ ହେବାର ଅର୍ଥ ୨୦୨୧-୨୨ ବଜେଟରେ ସରକାର ଯେଉଁ ସବୁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋହର ବାଜିଛି। ଆଉ ବଜେଟକୁ ନେଇ ଚାଲିଥିବା ସମସ୍ତ ପ୍ରକ୍ରିୟା ଏହି ବିଲ୍ ପାରିତ ହେବା ପରେ ଶେଷ ହୋଇଛି। ଏହି ବିଲ ଉପରେ ମତ ରଖିବା ବେଳେ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ଉପରେ ସରକାରଙ୍କ ଆଭିମୁଖ୍ୟ ଏବଂ ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରଭୁକ୍ତ ନେଇ ବିବୃତ୍ତି ରଖିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ଇନକମ ଟ୍ୟାକ୍ସ ନିୟମରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ ଯେ ରାଜସ୍ୱ ବୃଦ୍ଧି ପାଇଁ ଟିକସ ବ୍ୟବସ୍ଥାକୁ ଅସ୍ତ୍ର କରିହେବନି। ଯ।ହାର ପ୍ରତିଫଳନ ୨୦୨୧-୨୨ ବଜେଟରେ ହୋଇଛି।

ତେବେ ଏହି ଆର୍ଥିକ ବିଲ୍ ଆଗତ ହେବା ସମୟରେ ବିରୋଧୀ ଦଳର ନେତାମାନେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଥିଲେ। ଦର ଉପରେ ନିୟନ୍ତ୍ରଣ ଲଗାଇବାକୁ ହେଲେ ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବା ଦରକାର ବୋଲି ବିରୋଧୀ ସାଂସଦ ଦାବି କରିଥିଲେ। ଏହାପରେ ଅର୍ଥମନ୍ତ୍ରୀ କହିଥିଲେ ସରକାର ଏବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ।

ସୀତାରମଣ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲଗାଉଛନ୍ତି। ଟିକସ ପାଇଁ ଦର ବୃଦ୍ଧି ହୋଇଛି ଯାହାକି ଚିନ୍ତାର ବିଷୟ। ହେଲେ ଏ ବାବଦରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଆଲୋଚନା କରିବା ଦରକାର। ଆଗାମୀ ଦିନରେ ଯେତେବେଳେ ଜିଏସଟି ପରିଷଦର ବୈଠକ ବସିବ ଏହି ବୈଠକରେ ରାଜ୍ୟ ଗୁଡ଼ିକ ନିଜ ନିଜ ଏଜେଣ୍ଡାରେ ଏହାକୁ ପ୍ରସଙ୍ଗ କରିବା ଦରକାର। ଏହା ଉପରେ ଆବଶ୍ୟକ ତଥ୍ୟ ସହିତ ଆଲୋଚନା ହେବା ଦରକାର।

ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲରେ ଲାଗିଥିବା ଟିକସ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଆୟ ପାଲଟିଛି। ଏହାରି ଭିତରେ ଦର ନିୟନ୍ତ୍ରଣ ପାଇଁ ଜିଏସଟି ପରିସରଭୁକ୍ତ ପାଇଁ ମତ ରଖୁଛନ୍ତି।

ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ଏହି ପ୍ରସଙ୍ଗରେ ଏକାଠି ହେବା ଦରକାର। ଦୁଇ ସରକାର ମିଶି ଟିକସ ହ୍ରାସ କରିବାକୁ ସେ ପରାମର୍ଶ ଦେଇଥିଲେ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୬୦ ପ୍ରତିଶତ ଟିକସ ରହିଛି। ପେଟ୍ରୋଲ ମୂଲ୍ୟ ଉପରେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିବବେଳେ ରାଜ୍ୟ ସରକାର ଭାଲ୍ୟୁ ଆଡ୍ ଟ୍ୟାକ୍ସ ଅର୍ଥାତ୍ ଭ୍ୟାଟ୍ ଆଦାୟ କରନ୍ତି।

ସେହିପରି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏଭଳି ହେଲେ ଦର କମିପାରିବ। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସଟି ପରିଷଦ ନେବ। ମୁଦ୍ରାସ୍ପିତିକ ଚାପ ପାଇଁ ବିଭିନ୍ନ ଦରଦାମ ବଢ଼ିଛି ବୋଲି ଫିକିର (FICCI) ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ କହିଥିଲେ।

ସରକାର ଲୋକଙ୍କୁ ଦର ବୃଦ୍ଧିର ଦାଉରୁ ରକ୍ଷା ଦେବାକୁ ଯାଇ ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବେ ତାହେଲେ ଆଗାମୀ ଦିନରେ ସରକାରଙ୍କ ରାଜସ୍ୱ ସଂଗ୍ରହ କମିଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।