ଅଶୋଧିତ ତେଲ ଦର କମିବା ସତ୍ତ୍ୱେ ଦେଶରେ କମୁନି ତେଲ ଦର

ନୂଆଦିଲ୍ଲୀ: ଅଶୋଧିତ ତେଲର ଦାମ ଆଜି ବି କମିଛି। ଲଗାତର ୬ ଦିନ ଧରି ଅଶୋଧିତ ତେଲର ଦାମ କମିଥିବା ସତ୍ତ୍ୱେ ଦେଶରେ ତୈଳ ଦର ହ୍ରାସ ପାଇନାହିଁ। ଆଜି ସକାଳ ୬ଟାରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୬୦ ଡଲାର ରହିଥିଲା। ଏହା ପୂର୍ବରୁ ଏହି ଦର ୬୩.୨୭ ଡଲାର ରହିଥିଲା। ଗୁରୁବାର ସୁଦ୍ଧା ସପ୍ତାହକ ମଧ୍ୟରେ ଅଶୋଧିତ ତେଲ ଦର ୧୦ ପ୍ରତିଶତ କମିଥିବା ଜଣାପଡ଼ିଛି।

ଅନ୍ୟପଟେ ୟୁରୋପ ମହାଦେଶ ଏବଂ ଆମେରିକାରେ କୋଭିଡର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି। କୋଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ସଂପୃକ୍ତ ମହାଦେଶର ବିଭିନ୍ନ ଦେଶରେ ଲକଡାଉନ୍ ଏବଂ ଅନ୍ୟାନ୍ୟ କଟକଣା ଲଗାଯାଉଛି। ତେଣୁ ଅଶୋଧିତ ତେଲର ଦର କମୁଛି। ଗତ ବର୍ଷ ଏହି ସମୟରେ କୋଭିଡ ପାଇଁ ଅଶୋଧିତ ତେଲର ଦାମ ହ୍ରାସ ପାଇଥିଲା।

ଦେଶରେ ତେଲ ଦର ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ଲଗାଉଥିବା ମାତ୍ରାଧିକ ଟିକସ। ଆଉ ଏବେ ସାରା ବିଶ୍ୱରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବାଧିକ ରହିଛି। ଦିଲ୍ଲୀରେ ପେଟ୍ରୋଲ ଦର ଏବେ ୯୧ ଟଙ୍କା ରହିଥିବା ବେଳେ ମୁମ୍ୱାଇରେ ଏହି ଦର ୯୭ ଟଙ୍କା ରହିଛି। ସେହିପରି ଡିଜେଲ ଦର ରାଜସ୍ଥାନରେ ୯୦ ଟଙ୍କା ଛୁଇଁଥିବା ବେଳେ ମୁମ୍ୱାଇରେ ଏହି ଦର ୮୮ ଟଙ୍କା ରହିଛି। ତେଲ ଦର ବୃଦ୍ଧିର ପ୍ରଭାବ ଏବେ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ପଡ଼ିଛି।

ତେବେ ଦେଶରେ କିଛି ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି। ମୁଣ୍ଡ ଉପରେ ନିର୍ବାଚନ ରହିଥିବା ସତ୍ତ୍ୱେ ଦେଶର ବିଗିଡ଼ା ଅର୍ଥନୀତି ଏବଂ ବିକାଶକୁ ଆଖି ଆଗରେ କେନ୍ଦ୍ର ସରକାର ଟିକସରେ ରିହାତି ଦେବାକୁ ଏବେ ଚିନ୍ତା କରୁ ନାହାନ୍ତି। ଆଗାମୀ ଦିନରେ ଏହି ତେଲ ଦର କମିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାତିରେ ଏକ ଟିଭି ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଥିଲେ। ସେହିପରି ପେଟ୍ରୋଲ ଏବଂ ଡିଜେଲ ଜିଏସଟି ପରିସରଭୁକ୍ତ ହେବ ନାହିଁ ବୋଲି ସଂସଦରେ ସରକାର କହିସାରିଛନ୍ତି।

ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୬.୩୦ ଟଙ୍କା ଥିବା ବେଳେ ତେଲ ମୂଳ ଦର ୨୯.୩୪ ଟଙ୍କା, ପରିବହନ ଦେୟ ୦.୩୭ ପଇସା ଥିଲା। ସେହିପରି ଡିଲରଙ୍କୁ ଲିଟର ପିଛା ୨୯.୭୧ ଟଙ୍କା ଦେବାକୁ ପଡ଼େ। ଏବେ ଏହା ଉପରେ ଏକ୍ସାଇଜ୍ ଡ୍ୟୁଟି ହେଉଛି ୩୨.୯୮ ଟଙ୍କା, ଡିଲର କମିଶନ ହେଉଛି ୩.୬୯ ଟଙ୍କା ଏବଂ ଭାଟ୍ ୧୯.୯୨ ଟଙ୍କା। ମୋଟ ଉପରେ ଏହି ମୂଲ୍ୟ ୮୬ ଟଙ୍କା ଅତିକ୍ରମ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।