ଏପ୍ରିଲରୁ ବଢ଼ିବ ଔଷଧ ଦର!

ନୂଆଦିଲ୍ଲୀ: ପେନ କିଲର, ଆଣ୍ଟି-ଇନଫେକ୍ଟିଭ୍, କାର୍ଡିଆକ୍ ଏବଂ ଆଣ୍ଟିବାୟୋଟିକ୍ ଭଳି ଜରୁରୀ ଔଷଧର ଦର ବଢ଼ିବ। ହୋଲସେଲ ପ୍ରାଇସ ଇନଡେକ୍ସ (WPI) ଅନୁଯାୟୀ ଏହି ଦର ବଢ଼ିବ। ଆଉ ଏହି ଦର ବୃଦ୍ଧିକୁ ଅନୁମତି ଦେଇଛନ୍ତି ସରକାର। ଦେଶରେ ବେରୋଜଗାରୀ ଏବଂ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ଦେଶବାସୀଙ୍କୁ ଏବେ ଏପ୍ରିଲରୁ ସହିବାକୁ ହେବ ଆଉ ଏକ ମହଙ୍ଗା ମାଡ଼।

ଡ୍ରଗ ପ୍ରାଇସ ରେଗୁଲେଟର ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସ ଅଥୋରଟି କହିଛି କରୋନାରେ ସାରା ଦେଶ ପ୍ରଭାବିତ ହୋଇଛି। ଆଉ ଔଷଧ ନିର୍ମାତା କମ୍ପାନୀ ମଧ୍ୟ ପ୍ରଭାବିତ ହୋଇଛି। ଏବେ ଔଷଧ ତିଆରି କରିବା ପାଇଁ ପୂର୍ବ ବର୍ଷ ତୁଳନାରେ ୧୫-୨୦ ପ୍ରତିଶତ ଅଧିକ ଖର୍ଚ୍ଚ ହେଉଛି। ତେଣୁ ଏବେ ଔଷଧ ନିର୍ମାତା କମ୍ପାନୀ ୨୦ ପ୍ରତିଶତ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଜଣେ ଫାର୍ମା ଶିଳ୍ପର ଏକ୍ସପୋର୍ଟ କହିଛନ୍ତି, ଔଷଧ ଦର ଯେଉଁଭଳି ବୃଦ୍ଧି ହେବାକୁ ଯାଉଛି ତାହା ବହୁତ କମ୍ ରହିଛି। ମହାମାରୀ ସମୟରେ ପ୍ରମୁଖ କଞ୍ଚାମାଲର ମୂଲ୍ୟ ବୃଦ୍ଧି, ସମୁଦ୍ରରେ ମାଲ ପରିବହନ ଏବଂ ପ୍ୟାକେଜିଂ ସାମଗ୍ରୀର ଦର ବୃଦ୍ଧି ପାଇଁ ଏହି ଶିଳ୍ପ ପ୍ରଭାବିତ ହୋଇଥିଲା। ତେଣୁ ଦର ବୃଦ୍ଧି ପାଇଁ ସରକାରଙ୍କୁ ଅନୁମତି ମାଗୁଥିବା ସେ କହିଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ଔଷଧ ଗୁଡ଼ିକର କଞ୍ଚାମାଲ ଚାଇନାରୁ ଆମଦାନୀ ହେଉଛି। ଅନେକ ଔଷଧର କଞ୍ଚାମାଲ ପାଇଁ ଆମେ ଚାଇନା ଉପରେ ପ୍ରାୟ ୮୦-୯୦ ପ୍ରତିଶତ ନିର୍ଭରଶୀଳ। କୋଭିଡ ମହାମାରୀ ପାଇଁ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଆମଦାନୀ ଖର୍ଚ୍ଚ ବଢ଼ିଛି। ଚାଇନା ଏବେ କଞ୍ଚାମାଲର ଦାମ ୧୦-୨୦ ପ୍ରତିଶତ ବୃଦ୍ଧି କରିଛି।

ସରକାର ନିକଟରେ ହେପାରିନ୍ ଇଞ୍ଜେକ୍ସନର ମୂଲ୍ୟ ବୃଦ୍ଧି କରିଛନ୍ତି ଯାହାକି କୋଭିଡ ଚିକିତ୍ସାରେ ବ୍ୟବହୃତ ହେଉଛି। ଏହି ଇଞ୍ଜିକେସନ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା। ଇଞ୍ଜିକେସନ କମ୍ପାନୀ ଦର ବୃଦ୍ଧି ପାଇଁ ଅନୁରୋଧ କରିବା ପରେ ସରକାର ହେପାରିନ୍ ଦର ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଅଧିକରୁ ଅଧିକ ଔଷଧ ତିଆରି କରିଥାଏ। ଏହି ଔଷଧ ତିଆରି କରିବା ପାଇଁ କଞ୍ଚାମାଲର ଆବଶ୍ୟକତା ରହିଛି। ଆଜି ଯାଏ ଭାରତ କଞ୍ଚାମାଲ୍ ପାଇଁ ଚୀନ୍ ଉପରେ ଟିକିଏ ଅଧିକ ନିର୍ଭରଶୀଳ। ଗତବର୍ଷର ଏକ ରିପୋର୍ଟ ଅନୁଯାୟୀ ଚାଇନା ମଧ୍ୟ ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲର ଦାମ୍ ୩୦ରୁ ୪୦ ପ୍ରତିଶତ ବଢ଼ାଇ ଦେଇଛି। ଉଦାରୀକରଣ ପୂର୍ବରୁ ୧୯୮୫-୯୦ ମସିହା ମଧ୍ୟରେ ଭାରତ ଔଷଧ ନିଜେ ତିଆରୁ କରୁଥିଲା। କଞ୍ଚାମାଲ ବି ନିଜର ଥିଲା। ହେଲେ ସେହି ସମୟରେ ପ୍ରଦୂଷଣ ବଢ଼ିଥିଲା। ଏହାପରେ ଶସ୍ତାରେ କଞ୍ଚାମାଲ୍ ଆଣିବାକୁ ଯାଇ ଚାଇନା ପାଖରୁ ସରକାର କଞ୍ଚାମାଲ୍ ଆଣୁଛନ୍ତି। ଆଉ ଭାରତ ଏବଂ ଅନ୍ୟାନ୍ୟ ଦେଶ ଚାଇନା ଉପରେ ନିର୍ଭର କରିବା ପରେ ଏବେ ଚାଇନା କ୍ରମଶଃ ଦର ବଢ଼ାଇ ଚାଲିଥିବା ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।