ବ୍ୟାଙ୍କ ଘରୋଇକରଣକୁ ନେଇ ସରକାରଙ୍କୁ ଚେତାଇଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ମାର୍ଚ୍ଚ ୧୫ ଓ ୧୬ ସାରା ଦେଶରେ ବ୍ୟାଙ୍କ ସଂଘ ଏକଜୁଟ ହୋଇ ସରକାର ବିରୋଧରେ ଆନ୍ଦୋଳନ କରିବାକୁ ଯାଉଛନ୍ତି। ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କକୁ ସରକାର ଘରୋଇ କରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନର ଡାକରା ଦେଇଛନ୍ତି। ଏହା ପୂର୍ବରୁ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ।

ତେବେ ସରକେର କେଉଁ ଦୁଇ ବ୍ୟାଙ୍କକୁ ଘରୋଇକରଣ କରିବେ ସେ ବାବଦରେ ଘୋଷଣା କରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ ବାବଦରେ ଘୋଷଣା କରିବା ବେଳେ ଘରୋଇକରଣ ବାବଦରେ କହିଥିଲେ। ତେବେ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ବୁମେରାଂ ହୋଇପାରେ। ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପିଟିଆଇକୁ ଏକ ସାକ୍ଷାତକାର ଦେଇ କହିଛନ୍ତି। ଏଥିସହ ଏଭଳି ଭୁଲ୍ ପଦକ୍ଷେପରୁ ଦୂରେଇ ରହିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ରଘୁରାମ ରାଜନ।

ଅନ୍ୟପଟେ ସରକାରଙ୍କ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ୨ଟି ବ୍ୟାଙ୍କ ଘରୋଇ କରଣ ହେବା ପରେ ଦେଶରେ ମୋଟ୍ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିବ। ଆଗାମୀ ଦିନରେ ୩-୪ ରାଷ୍ଟ୍ରାୟତ ବ୍ୟାଙ୍କ ରହିବ ବୋଲି ସେ କହିଥିଲେ।

ରଘୁରାମ କହିଛନ୍ତି, ଦୁଇଟି ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ସରକାର ଆବଶ୍ୟକ କାରଣ କହିନାହାନ୍ତି। ଏଥିସହ କିଭଳି ଏହି ଦୁଇ ବ୍ୟାଙ୍କ ଘରୋଇକରଣ ହେବ ସେ ବାବଦରେ ସରକାର କିଛି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ଯଦି ଗୋଟିଏ ରାଷ୍ଟାୟତ ବ୍ୟାଙ୍କ ଘରୋଇକରଣରେ ବଦଳୁଛି ଏବଂ କିଛି ବ୍ୟବସାୟୀ ଏହି ବ୍ୟାଙ୍କକୁ ନିଜ ହାତରେ ରଖୁଛନ୍ତି ତାହାଲେ ଏହା ଭୁଲ୍ ନିଷ୍ପତ୍ତି ହେବ। ଏକ ଭଲ ବ୍ୟାଙ୍କକୁ ବିଦେଶୀ ବ୍ୟାଙ୍କକୁ ବିକ୍ରି କରିବା ମଧ୍ୟ ରାଜନୀତିକ ଦୃଷ୍ଟି କୋଣରୁ ସକ୍ଷମ ହେବନି ବୋଲି ସେ କହିଛନ୍ତି।

ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ, ଗୋଟିଏ ଜୀବନ ବୀମା କମ୍ପାନୀ, ପବ୍ଲିକ ସେକ୍ଟର କମ୍ପାନୀରେ ଥିବା ନିଜ ଶେୟାର ବିକ୍ରି କରି ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ପୁଞ୍ଜି ଗୋଟାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପୂର୍ବରୁ ସରକାର ଘରୋଇକରଣ ନିଷ୍ପତ୍ତି କରି ନିଜର ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି। ଉଦାହରଣ ଦେବାକୁ ଯାଇ ଆଇଡ଼ିଆବିଆଇ ବ୍ୟାଙ୍କ କଥା କହିଛନ୍ତି ରାଜନ।

୨୦୧୯ ମସିହାରେ ସରକାର ଆଇଡ଼ିବିଆଇକୁ ଘରୋଇ ବ୍ୟାଙ୍କ ବାବଦରେ ଅନୁମତି ଦେଇଥିଲେ। ହେଲେ ଏହା ଆର୍ଥିକ କ୍ଷତି ସହିବା ପରେ ଏହି ବ୍ୟାଙ୍କରେ ଏକ ବଡ଼ ଶେୟାର ଲଗାଇଥିଲା ଏଲଆଇସି। ଆଉ ଏଲଆଇସି ସରକାରଙ୍କ ବିମା କମ୍ପାନୀ। ଅର୍ଥାତ୍ ପରୋକ୍ଷରେ ବ୍ୟାଙ୍କକୁ ନିଜ ଅଧୀନକୁ ନେଲେ ସରକାର। ସେହିପରି ଗତ ଚାରି ବର୍ଷରେ ୧୪ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଏକତ୍ରୀକରଣ କରିଛନ୍ତି।

ବିଭିନ୍ନ ସେକ୍ଟରରେ ସଂସ୍କାର ଆଣିବାକୁ ଯାଇ ଘରୋଇକରଣ ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ୨୦୨୧-୨୨ ବଜେଟରେ ଘରୋଇକରଣ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ତେବେ ଚଳିତ ବଜେଟରେ ସରକାର ବ୍ୟୟ ଏବଂ ରସିଦ ବାବଦରେ ଅନେକ ସ୍ୱଚ୍ଛତା ଦେଖାଇଛନ୍ତି। ଯାହାକି ପୂର୍ବ ବଜେଟରେ ଦେଖିବାକୁ ମିଳିନଥିଲା ବୋଲି ରାଜନ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।