ବିଦେଶକୁ ୧୩ହଜାର କୋଟି ଟଙ୍କାର ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ କରିଛି ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୧୩ହଜାର ୮୦କୋଟି ୯୧ଲକ୍ଷ ଟଙ୍କାର ମାଛ,ଚିଙ୍ଗୁଡ଼ି ଓ ଅନ୍ୟ ମତ୍ସ୍ୟଜାତ ଦ୍ରବ୍ୟ ବିଦେଶକୁ ରପ୍ତାନୀ ହୋଇଛି। ଗତ ୫ବର୍ଷ ମଧ୍ୟରେ ପ୍ରତିବର୍ଷ ବିଦେଶକୁ ରପ୍ତାନୀ ହେଉଥିବା ମାଛ ଓ ଚିଙ୍ଗୁଡ଼ି ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଆଜି ବିଧାନସଭାରେ ଏନେଇ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ, ଭାରତ ସରକାରଙ୍କ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରତିଷ୍ଠାନ(ଏମପିଇଡିଏ)ରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରୁ ୨୦୧୫-୧୬ ମସିହାରେ ବାର୍ଷିକ ୩୫୬୧୨ ମେଟ୍ରିକ ଟନ୍ ମାଛ ଓ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନୀ ହୋଇଥିଲା, ଯାହାର ମୂଲ୍ୟ ୧୭୯୧.୮୧କୋଟି ଟଙ୍କା ଥିଲା। ତେବେ ଏହି ପରିମାଣ ପ୍ରତିବର୍ଷ ବୃଦ୍ଧି ପାଇ ୨୦୧୯-୨୦ରେ ୬୬୬୫୪ମେଟ୍ରିକ ଟନରେ ପହଂଚିଥିବାବେଳେ ଏହାର ପରିମାଣ ୩୨୪୩.୨୯କୋଟି ଟଙ୍କା ହୋଇଛି।

ବିଗତ ୫ବର୍ଷ ମଧ୍ୟରେ ମୋଟ ୨,୫୯,୯୫୧ ମେଟ୍ରିକ ଟନ୍ ଚିଙ୍ଗୁଡ଼ି ଓ ମାଛ ଆଦି ଓଡ଼ିଶାରୁ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ଏବାବଦରେ ୧୩୦୮୦.୯୧କୋଟି ଟଙ୍କା ମିଳିଛି। ୨୦୧୫-୧୬ରେ ୩୫୬୧୨ମେଟ୍ରିକ ଟନ୍ ମାଛ ଓ ଚିଙ୍ଗୁଡ଼ି ଓଡ଼ିଶାରୁ ରପ୍ତାନୀ ହୋଇଥିବାବେଳେ ୨୦୧୯-୨୦ରେ ଏହା ପ୍ରାୟ ଦ୍ୱିଗୁଣ ହୋଇ ୬୬୬୫୪ ମେଟ୍ରିକ ଟନ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।