ପାରାଦୀପ ରିଫାଇନାରୀ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିବାକୁ ଗଡ଼ିଲା ଜନ ଆମନ୍ତ୍ରଣ ଗାଡ଼ି

bjpଭୁବନେଶ୍ୱର: ଆସନ୍ତା ଫେବୃଆରୀ ୭ରେ ଅନୁଷ୍ଠିତ ହେବ ପାରାଦୀପ ତୈଳ ବିଶୋଧନାଗାରର ଲୋକାର୍ପଣ ଉତ୍ସବ ବା ଉର୍ଜା ଉତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ ।

ଏହି ଉତ୍ସବକୁ ରାଜ୍ୟବାସୀଙ୍କୁ ଆମନ୍ତ୍ରଣ କରିବା ପାଇଁ ଆଜି ଭୁବନେଶ୍ୱରଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩୦ଟି ଜନ ଆମନ୍ତ୍ରଣ ଗାଡ଼ିର ଉଦଘାଟନ କରିଛନ୍ତି। ଏହି ଗାଡ଼ି ଗୁଡ଼ିକ ୩୦ଟି ଜିଲ୍ଲାକୁ ଯିବ ଏବଂ ପାରାଦୀପ ତୈଳ ବିଶୋଧନାଗାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ତା’ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ।

ଆଜି ଏହି ଜନ ଆମନ୍ତ୍ରଣ ଗାଡ଼ିର ଉଦଘାଟନ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପାରାଦୀପ ତୈଳ ବିଶୋଧନାଗାର ପୂର୍ବ ଭାରତର ସବୁଠୁ ବଡ଼ ରିଫାଇନାରୀ ହେବ। ସିଙ୍ଗଲ୍ ୟୁନିଟ୍ ହିସାବରେ ଦେଖିଲେ ଏହା କେବଳ ପୂର୍ବ ଭାରତ ନୁହେଁ, ସାରା ଦେଶରେ ସବୁଠୁ ବଡ଼ ଓ ଅତ୍ୟାଧୁନିକ ରିଫାଇନାରୀ ହେବ। ୩୫ ହଜାର କୋଟି ବିନିମୟରେ ନିର୍ମାଣ ହୋଇଥିବା ଏହି ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ୍ କେବଳ ଭାରତ ନୁହେଁ, ଦକ୍ଷିଣ ଏସିଆର ବଜାରର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ।

ସେ କହିଥିଲେ, ପାରାଦୀପ ତୈଳ ବିଶୋଧନାଗାର ଦ୍ୱାରା ଦେଶର ଓ ରାଜ୍ୟର ଅର୍ଥନୈତିକ ବିକାଶ ହେବ। ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବ୍ୟବସ୍ଥା ଏକ ନୂଆ ଦିଗରେ ଗତି କରିବ। ନିଯୁକ୍ତି ଓ ରୋଜଗାରର ସୁଯୋଗ ବଢ଼ିବ। ଏହି ବିଶୋଧନାଗାରକୁ ପାଥେୟ କରି ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିବ। ପାରାଦୀପ ତୈଳ ବିଶୋଧନାଗାରର ଏହି ସବୁ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ଜନ ଆମନ୍ତ୍ରଣ ଗାଡ଼ିର ଶୁଭାରମ୍ଭ କରାଯାଇଛି। ଫେବୃଆରୀ ୭ରେ ପାରାଦୀପ ତୈଳ ବିଶୋଧନାଗାରର ଉଦଘାଟନୀ ଉତ୍ସବକୁ ଲୋକଙ୍କୁ ଆମନ୍ତ୍ରଣ କରିବା ସହିତ ଏହି ପ୍ରକଳ୍ପର ଉପକାରୀତା ସମ୍ପର୍କରେ ସଚେତନ କରିବ ଜନ ଆମନ୍ତ୍ରଣ ଗାଡ଼ି। ଏହାସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଏହି ଗାଡ଼ି ଲୋକଙ୍କୁ ସଚେତନ କରିବ।

ଆଜିର କାର୍ଯ୍ୟକ୍ରମରେ ଭାରତୀୟ ତୈଳ ନିଗମର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।