ରତ୍ନପଥରରୁ ୫୦କୋଟି ରାଜସ୍ୱ ଆଦାୟ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ରତ୍ନ ପଥର ଖଣି କ୍ଷେତ୍ରକୁ ସଂଗଠିତ କରିବା ପାଇଁ ଏନେଇ ରହିଥିବା ଆଇନରେ ସରକାର ସଂଶୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହି କ୍ଷେତ୍ରକୁ ସଙ୍ଗଠିତ କରି ସରକାର ବାର୍ଷିକ ୫୦ରୁ ୬୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଧବାର ଭୁବନେଶ୍ୱରରେ ରତ୍ନପଥର ସମ୍ପର୍କତ ଏକ କର୍ମଶାଳାରରେ ଯୋଗ ଦେବାକୁ ଆସିଥିବା ଅବସରରେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ  ଏହି ସୂଚନା ଦେଇଥିଲେ।

ଖଣିମନ୍ତ୍ରୀ କହିଥିଲେ, ରାଜ୍ୟର କଳାହାଣ୍ଡି, ରାୟଗଡା, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ରତ୍ନ ପଥର ଖଣି ରହିଛି। ତେବେ ଏହିକ୍ଷେତ୍ରକୁ ପରିଚାଳନା କରିବାକୁ  କୌଣସି ସଂସ୍ଥା ନ ଥବାରୁ ସରକାର ଏଥିରୁ କିଛି ରାଜସ୍ୱ ପାଉ ନାହାଁନ୍ତି। ଏହିକ୍ଷେତ୍ରକୁ ସଙ୍ଗଠିତ କରିବା ପାଇଁ ସରକାର ଏସମ୍ପର୍କିତ ନୀତିରେ ସଂଶୋଧନ କରିବାକୁ ଚିନ୍ତା କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଧା ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଯିବ। ରତ୍ନପଥର ଖଣି କ୍ଷେତ୍ରରୁ ସରକାର ବର୍ଷକୁ ୫୦ରୁ ୬୦କୋଟି ରାଜସ୍ୱ ଆଦାୟ କରିବାକୁ ଟାର୍ଗେଟ ରଖିଛନ୍ତି।

ରାଜ୍ୟ ବାହାରକୁ ବେଆଇନ ଭାବେ ରତ୍ନପଥର ଚାଲାଣ ହେଉଥିବା ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହାକୁ ରୋକିବା ଦିଗରେ ମଧ୍ୟ ସଂଶୋଧିତ ଆଇନରେ ଧ୍ୟାନ ଦିଆଯିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ରତ୍ନ ପଥର ଖଣି କ୍ଷେତ୍ରକୁ ସଙ୍ଗଠିତ କରାଗଲେ ନିଯୁକ୍ତି ସୁଯୋଗ ବଢିବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋଇଲା,ସୁନା ଓ ରତ୍ନପଥର ଖଣିର ସନ୍ଧାନ ପାଇଁ ଉତ୍ତରପଶ୍ଚିମ ଓ  କେନ୍ଦ୍ର ଓଡ଼ିଶାର ୮୦,୭୦୭ ବର୍ଗ କିଲୋମିଟର ଅଞ୍ଚଳରେ ଷ୍ଟିଲ ଓ ଖଣି ବିଭାଗ ସର୍ଭେ କରିବା ପାଇଁ ୨୦୧୪ ମସିହାରେ ନିଷ୍ପତ୍ତି ନେଇଥିଲା।