ମାର୍ଚ୍ଚ ୩୧ ସୁଦ୍ଧା ସିଡ୍ୟୁଲ-୨ କୋଇଲା ଖଣିଗୁଡ଼ିକରୁ ଉତ୍ତୋଳନ ଆରମ୍ଭ ହେବ: ଅନୀଲ ସ୍ୱରୂପ

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରେ ଥିବା ସିଡ୍ୟୁଲ-୨ କୋଇଲା ଖଣିଗୁଡ଼ିକରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରାଯିବ। ଶୁକ୍ରବାର କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ ଏହି ସୂଚନା ଦେଇଛନ୍ତି।  କୋଇଲା ଉତ୍ତୋଳନ ବୃଦ୍ଧି ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଜି ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଓଡ଼ିଶା ସମେତ ୭ଟି ରାଜ୍ୟର ଖଣି ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ଅନୀଲ ସ୍ୱରୂପ କହିଥିଲେ, ଦେଶରେ ବର୍ତ୍ତମାନ ୧୦ଟି କୋଇଲା ଖଣିରୁ ଉତ୍ତୋଳନ କରାଯାଉଛି। ମାର୍ଚ୍ଚ ୩୧ ସୁଦ୍ଧା ଦେଶର ସିଡ୍ୟୁଲ୍-୨ କୋଇଲା ଖଣିଗୁଡ଼ିକରୁ ଉତ୍ତୋଳନ ଆରମ୍ଭ କରାଯିବ। ଦେଶରେ ମୋଟ ୩୪ଟି ସିଡ୍ୟୁଲ୍-୨ କୋଇଲା ଖଣି ରହିଛି। ଏଥିମଧ୍ୟରୁ ଓଡ଼ିଶାରେ ଗୋଟିଏ ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ବୈଠକରେ ଏମସିଏଲର କୋଇଲା ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି କୋଇଲା ଉତ୍ପାଦନ ଓ ପରିବହନ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ ବୋଲି ଅନୀଲ ସ୍ୱରୂପ କହିଛନ୍ତି।

କୋଇଲା ଉତ୍ତୋଳନ ବୃଦ୍ଧି ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଜି ବସିଥିବା ବୈଠକରେ  ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଖଣି ଅଧିକାରୀମାନେ ଯୋଗ ଦେଇଥିଲେ। କୋଇଲା ଉତ୍ତୋଳନ ବୃଦ୍ଧି, ପରିବହନ ବ୍ୟବସ୍ଥାକୁ ସୁଦୃଢ଼ ଓ କ୍ୟାପଟିଭ୍ କୋଲ ମାଇନର ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଏସବୁ ରାଜ୍ୟରେ ବର୍ତ୍ତମାନ କେଉଁ ଉପାୟରେ ବର୍ତ୍ତମାନ କୋଇଲା ଉତ୍ତୋଳନ କରାଯାଉଛି ତା’ର ଅନୁଧ୍ୟାନ କରିଥିଲେ କେନ୍ଦ୍ର କୋଇଲା ସଚିବ। ବୈଠକରେ ଓଡ଼ିଶାର ଖଣି ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ଖଣି ନିର୍ଦ୍ଦେଶକ ଏବଂ ଶିଳ୍ପ ସଚିବ ଯୋଗ ଦେଇଥିଲେ।

ଏହି ବୈଠକ ପରେ କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ସଚିବାଳୟରେ ସାକ୍ଷାତ କରିଥିଲେ। ସାକ୍ଷାତ ପରେ ସେ କହିଛନ୍ତି, ଏମସିଏଲ କୋଇଲା ଖଣି ପ୍ରୋଜେକ୍ଟ ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଭଲ କାମ କରୁଛନ୍ତି। କେନ୍ଦ୍ର ୨୦୨୦ ସୁଦ୍ଧା ଏମସିଏଲର ଉତ୍ପାଦନ କ୍ଷମତା ୨୫୦ ମିଲିୟନ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଆମେ ଉଦବୃତ୍ତ କୋଇଲା ଉତ୍ପାଦନକାରୀ ଦେଶ ହେବାକୁ ଯାଉଛି। ରାଜ୍ୟକୁ କମର୍ସିଆଲ କୋଇଲା ବ୍ଲକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର କୋଇଲା ସଚିବ ଆସନ୍ତାକାଲି ତାଳଚେର ଓ ସୁନ୍ଦରଗଡ଼ ଅଞ୍ଚଳର କୋଇଲା ଖଣି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକମ ରହିଛି। ତାଙ୍କ ସହିତ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ସେଠାରେ କୋଇଲା ଉତ୍ତୋଳନ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକ ସଂପର୍କରେ ସମୀକ୍ଷା କରିବେ।