‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଢାଞ୍ଚାରେ ହେବ ଷ୍ଟାର୍ଟଅପ୍ ଓଡ଼ିଶା

ଭୁବନେଶ୍ୱର: ମୋଦିଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଢାଞ୍ଚାରେ ଓଡ଼ିଶାରେ ଯୋଜନା ଆରମ୍ଭ ହେବ। ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଶୀଘ୍ର ଏହି ଯୋଜନା ଆରମ୍ଭ କରିବେ। ଆମେରିକାର ଟାଇ ସିଲିକନ୍ ଭ୍ୟାଲି ସହାୟତାରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସିଲିକନ୍ ଭ୍ୟାଲିରୁ ଆସିଥିବା ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆସନ୍ତା ୨ରୁ ୩ ମାସ ମଧ୍ୟରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସିଲିକନ୍ ଭ୍ୟାଲି ଓ ଇପିକଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଗାମୀ ଦୁଇବର୍ଷରେ ଷ୍ଟାର୍ଟଅପ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଓଡ଼ିଶା ଯେମିତି ଦେଶର ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି।

୨ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଷ୍ଟାଟଅପ୍ ଇଣ୍ଡିଆ ଜରିଆରେ ଓଡ଼ିଶାରେ କିଭଳି ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେ ବିଷୟରେ ବୈଠକରେ ଆଲୋଚନା କରିଥିଲେ। ବିଶେଷ କରି କ୍ଷୁଦ୍ର, ମଧ୍ୟମ, ଓ ବୃହତ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରିବାର କିଭଳି ସୁଯୋଗ ରହିଛି ସେ ନେଇ ବୈଠକରେ ଆଲୋଚନା ହୋଇଛି।

ଟାଇ ସିଲିକନ ଭ୍ୟାଲି ଫାଉଣ୍ଡର ମେମ୍ବର ନୀତିନ୍ ମେହେଟ୍ଟା କହିଛନ୍ତି, ଓଡ଼ିଶାରେ କ୍ଷୁଦ୍ର, ମଧ୍ୟମ ଓ ଭାରିଶୀଳ୍ପ ବ୍ୟତୀତ ମାନୁଫ୍ୟାକ୍ଚରିଂ, ଆଇଟି ଓ ଅଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିବା ଶିଲ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯିବ। ରାଜ୍ୟରେ ଶିଳ୍ପ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ସିଲିକନ ଭ୍ୟାଲିର ବିଶେଷଜ୍ଞ ପରାମର୍ଶ ଦେବେ। ଏଥିପାଇଁ ଆଇଟି ବିଭାଗ ଅଧୀନରେ ରାଜ୍ୟ ସରକାର ଏକ ୪ ଜଣିଆ ଷ୍ଟିୟରିଂ କମିଟି ଗଠନ କରିବେ।

ଆଇଟି ସଚିବ ପ୍ରଦୀପ ଜେନା କହିଛନ୍ତି, ଆଇଟି, ଇଲକ୍ଟ୍ରୋନିକ କ୍ଷେତ୍ରରେ ଓଡ଼ିଶାର ଯୁବ ଶିଳ୍ପଦ୍ୟୋଗୀଙ୍କୁ ନେଇ କିପରି ବିଜନେସ ପ୍ରମୋସନ କରି ପାରିବା ସେ ଉପରେ ଗୁରୁତ୍ୱ ଦିଆଯାଉଛି।

ଟାଇ ଲୋକାଲ ଚାପଟର୍ ସଭାପତି ରାଜୀବ ସାହୁ କହିଛନ୍ତି, ଓଡ଼ିଶଶ ଗ୍ଲୋବାଲ ମାନଚିତ୍ରରେ କିପରି ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ ତାହା ଉପରେ ଦୃଷ୍ଟି ଦେବୁ।