ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଆରମ୍ଭ କଲା ଏକ୍ସପୋର୍ଟ ଡିଭିଜନ: ସଂଗଠିତ ରପ୍ତାନୀ ଦିଗରେ କରିବ କାର୍ଯ୍ୟ

କଟକ: ରାଜ୍ୟର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ସହ କୁଟୀରଶିଳ୍ପ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ ବିଦେଶକୁ ରପ୍ତାନୀ କରିବା ଦିଗରେ ପଦକ୍ଷେପ ନେଇଛି ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ।  ଏଣିକି ରାଜ୍ୟରୁ ବିଦେଶକୁ ରପ୍ତାନୀ ହେଉଥିବା ସାମଗ୍ରୀ ଗୁଡ଼ିକର ସଠିକ ମାର୍କେଟିଂ ସହ ଶିଳ୍ପ ସଂସ୍ଥାଗୁଡିକ କିପରି ଅଧିକରୁ ଅଧିକ ଲାଭ ପାଇପାରିବେ, ସେନେଇ ଉଦ୍ୟମ କରିବ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ। ଏଥିପାଇଁ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମରେ ଏକ ଏକ୍ସପୋର୍ଟ ଡିଭିଜନ ଆରମ୍ଭ ହୋଇଛି। ଏହା ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକ ବିଭିନ୍ନ ସରକାରୀ ଯୋଜନାର ଫାଇଦା ପାଇପାରିବା ସହ ବାଟ ମାରଣା ହେଉଥିବା ଟିକସ ମଧ୍ୟ ସରକାରୀ ଖାତାକୁ ଆସିପାରିବ। ଫଳରେ ଉଭୟ ବ୍ୟବସାୟୀ ଓ ସରକାର ଲାଭବାନ ହେବେ।

ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ନିର୍ଦ୍ଦେଶକ ପାର୍ଥ ସାରଥୀ ମିଶ୍ର କହିଛନ୍ତି, ଓଡ଼ିଶାର ରପ୍ତାନୀ ନୀତି-୨୦୧୪ ଅନୁସାରେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଏକ୍ସପୋର୍ଟ ଡିଭିଜନ୍ ଆରମ୍ଭ କରିଛି। ଓଡ଼ିଶାର ଯେତିକି ରପ୍ତାନକାରୀ କଂପାନୀ ଅଛି ସେଗୁଡ଼ିକୁ ଏକାଠି କରିବାରେ ଏହା ଏକ ପ୍ଲାଟଫର୍ମ ହେବ। ତାଙ୍କ ପାଇଁ ଏକ ଫୋରମ୍ ଗଠନ କରାଯିବ। ଏହି ଫୋରମରେ ସେମାନେ ପଂଜୀକରଣ କରିବେ। ସେମାନଙ୍କ ଉତ୍ପାଦନର ଅନ୍ତର୍ଜାତୀୟ ବ୍ୟବସାୟକୁ ଆକଳନ କରି ମାର୍କେଟିଂ କରାଯିବ। ଫଳରେ ସେମାନେ ଏକ ପ୍ଲାଟଫର୍ମ ପାଇବେ। ସୂଚନାର ଆଦାନପ୍ରଦାନ ହେବ। ସେମାନଙ୍କ ଉତ୍ପାଦନକୁ ବହୁତ ସ୍ଥାନରେ ପ୍ରଦର୍ଶନ କରାଯିବ। ଏବେ ଏହି କଂପାନୀଗୁଡ଼ିକ ଅଣସଂଗଠିତ ଭାବେ ରପ୍ତାନୀ କରୁଛନ୍ତି। କିଛି କଂପାନୀର ଉତ୍ପାଦନ ଭଲ ହୋଇଥିଲେ ମଧ୍ୟ ରପ୍ତାନୀ କରିପାରୁ ନାହାନ୍ତି। କିନ୍ତୁ ଏକ୍ସପୋର୍ଟ ଡିଭିଜନ ସେମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ।

ସେ କହିଛନ୍ତି ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ରପ୍ତାନୀ ପାଇଁ ଅନେକ ବ୍ୟବସ୍ଥା ରହିଛି। ସେଗୁଡ଼ିକ ସଂପର୍କରେ ଏହି କଂପାନୀଗୁଡ଼ିକୁ ସଚେତନ କରାଯିବ। ଏକ ଢାଞ୍ଚା ମଧ୍ୟରେ ରପ୍ତାନୀ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ।

ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଭାରତ ମସଲାର ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା। ସେ କହିଛନ୍ତି ଯେ ରପ୍ତାନୀ ନେଇ ସରକାରଙ୍କ ବହୁ ବ୍ୟବସ୍ଥା ରହିଛି। କିନ୍ତୁ ସମସ୍ତେ ଏଗୁଡ଼ିକ ସଂପର୍କରେ ଜାଣି ନାହାନ୍ତି। ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ଏକ୍ସପୋ ଡିଭିଜନ୍ ଲାଭଦାୟକ ହେବ।

ଆଜି ଏକ୍ସପୋର୍ଟ ଡିଭିଜନର ଶୁଭାରମ୍ଭ ଅବସରରେ କଟକ ସ୍ଥିତ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବହୁ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ସହ କୁଟୀର ଶିଳ୍ପ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ ।