‘ପୁଣି ସକ୍ରିୟ ହେବ ଗାଁର କୋଭିଡ୍ ପରିଚାଳନା କମିଟି, ସ୍ଥିତି ଦେଖି ଲକ୍‌ଡାଉନ୍ କି ଅନ୍ୟ ବ୍ୟବସ୍ଥା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସକ୍ରିୟ ହେବ ଗାଁର କୋଭିଡ୍ ପରିଚାଳନା କମିଟି। ସ୍ଥିତି ଦେଖି ଲକ୍‌ଡାଉନ୍‌ କି ଅନ୍ୟ ଦିଗ ଉପରେ ନିଆଯିବ ନିଷ୍ପତ୍ତି। ତିନି ଚାରି ଦିନ ଭିତରେ ରାଜ୍ୟରେ ଧୀରେ ଧୀରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଆଜି ଏହି କଥା କହିଛନ୍ତି।

ସେ କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ। ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିବେ।

ଏସ୍‌ଆର୍‌ସି କହିଛନ୍ତି, ପୁଣି ଥରେ ସରପଞ୍ଚ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ।

ସୂଚନାଯୋଗ୍ୟ, ଆଜି ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ରବିବାର ଆସିଥିବା ରିପୋର୍ଟରେ ଗୋଟିଏ ଦିନରେ ୯୮ ଜଣ ଚିହ୍ନଟ ହୋଇଥିଲେ। କିନ୍ତୁ ଶୁକ୍ରବାର ଓ ଶନିବାର ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଯଥାକ୍ରମେ ୧୧୦ ଓ ୧୨୦ ରହିଥିଲା।

ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ଥିତ ମ୍ୟାନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ XIMBର ୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆଜି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଶିକ୍ଷାନୁଷ୍ଠାନଟିକୁ ସିଲ୍‌ କରି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।