ଭଦ୍ରକ: ନବବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଗାଁ ରାମପଲ୍ଲୀରେ ଯୌତୁକ ପାଇଁ ନବବଧୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ସସ୍ମିତା ବିନ୍ଧାଣୀ। ଆଜି  ସକାଳେ ସସ୍ମିତାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସସ୍ମିତା ବାଥରୁମରେ ପଡ଼ିଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଶ୍ୱଶୁର ଘର ଲୋକ କହୁଥିବା ବେଳେ  ବାପଘର  ଲୋକ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଶ୍ୱଶୁର, ସ୍ୱାମୀ ଓ ଶାଶୁ ସସ୍ମିତାକୁ ତଣ୍ଟି ଚିପି ହତ୍ୟା କରିବା ପରେ ତାକୁ ମେଡ଼ିକାଲ ଆଣିଥିବା  ବାପଘର  ଲୋକ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।  ପୋଲିସ ଶାଶୁକୁ ଅଟକ  ରଖି ଥିବା ବେଳେ ସ୍ୱାମୀ ଓ ଶ୍ୱଶୁର ଫେରାର ଅଛନ୍ତି।

ନାୟାପାଟଣା ଗାଁର  ରାଜକିଶୋର ବିନ୍ଧାଣୀଙ୍କ ଝିଅ ସସ୍ମିତା ବିନ୍ଧାଣୀ ବାଲିଗାଁ ରାମପଲ୍ଲୀର ରାମଚନ୍ଦ୍ର ସାସଙ୍କୁ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସସ୍ମିତା ଅନ୍ୟ ଜାତିର  ହୋଇଥିବାରୁ  ବିବାହର କିଛି ମାସ ପରେ ଶାଶୂ ଘର ଲୋକେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହିତ ଅଧିକ ଯୌତୁକ ଆଣିବା ପାଇଁ ଦାବି କରୁଥିଲେ ବୋଲି ଅଭିଯୋଗ ହୋଇଛି।

ସସ୍ମିତାଙ୍କ ପିଉସୀ ଅନୂସୟା ମହାରଣା  କହିଛନ୍ତି ଯେ ତାଙ୍କୁ ଚକ୍ରାନ୍ତ କରି ମାରି ଦିଆଯାଇଛି। ଆଗରୁ ସସ୍ମିତାକୁ  ମାଡ଼ମାରି ତା’ ହାତ ଗୋଡ଼ ଭାଙ୍ଗି ଦେଇଥିଲେ।