ଭୁବନେଶ୍ୱର: ପାରିବାରିକ କଳହରୁ ଧିରିକୂଟୀ ବସ୍ତିରେ ଏସିଡ୍ ମାଡ଼, ୭ ଆହତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଧିରିକୂଟୀ ବସ୍ତିରେ ଆଜି ସକାଳେ ଏସିଡ୍ ମାଡରେ ୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଅଛନ୍ତି। ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଜଣାପଡିଛି। ଅଭିଯୁକ୍ତ ସୁର ବେହେରାକୁ ପୋଲିସ ଗିରଫ କରି ପଚରାଉଚରା କରୁଛି।

ସୁଚନାଯୋଗ୍ୟ, ଧିରିକୂଟୀ ବସ୍ତିରେ ଅଭିଯୁକ୍ତ ସୁର ଦୁଇ ପତ୍ନୀ ଓ ୪ ଝିଅଙ୍କ ସହ ରହୁନ୍ତି। ସେ ଡ୍ରାଇଭର ଭାବେ କାମ କରେ। ଏହାସହ ସୁରଙ୍କର ଉକ୍ତ ବସ୍ତିରେ ଜଣେ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ରହିଛି। ଏହାକୁ ନେଇ ପରିବାର ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ବୁଧବାର ପ୍ରଥମ ପତ୍ନୀଙ୍କ ଗୋଟେ ଝିଅର ଦେହ ଖରାପ ଥିଲା। ତାକୁ ଡାକ୍ତରଖାନା ନେବାକୁ ନେଇ ଘରେ ଝଗଡା ହୋଇଥିଲା। ଆଜି ସକାଳୁ ମଧ୍ୟ ଝଗଡା ହୋଇଥିଲା। ପରେ ସୁର ରସୁଲଗଡ଼ର କୌଣସି ଏକ ଦୋକାନରୁ ଏସିଡ଼ ଆଣି ପରିବାର ଲୋକଙ୍କ ଉପରେ ପକାଇ ଫେରାର ହୋଇଯାଇଛି। ଏସିଡ଼ ମାଡ଼ରେ ଦୁଇ ପତ୍ନୀ, ୪ ଝିଅ ଓ ଶ୍ୱଶୁର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି।

ଏସିଡ଼ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ସୁର କେଉଁ ଦୋକାନରୁ ଏହାକୁ କିଣି ଥିଲା। ତାହାର ଖୋଳତାଡ ପୋଲିସ କରୁଛି। ସୁର ଗିରଫ ହେବା ପରେ ଏ ସମ୍ପର୍କରେ ଜଣାପଡିବ ବୋଲି କୁହାଯାଇଛି।