ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଗିରଫ

ଭୁବନେଶ୍ୱର: ଘରେ ପଶି ଡକାୟତି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁକୁ ଗୁରୁବାର କମିଶନରେଟ୍ ପୋଲିସ ଗିରଫ କରିଛି । ପୋଲିସ ତା’ ନିକଟରୁ ୧୭୨ ଗ୍ରାମ ସୁନା, ୧୫୦ ଗ୍ରାମ ରୂପା ଓ ଏକ ମାରଣାସ୍ତ୍ର ଜବତ କରିଛି। ଦୀର୍ଘ ୧୫ ବର୍ଷ ଧରି ସେ ଏପରି ୫୦ରୁ ଅଧିକ ଅପରାଧିକ କାର୍ଯ୍ୟରେ ଜଡିତ ଥିଲା। ୨୦୧୫ରେ ନୟାପଲ୍ଲୀ, ଧଉଳି ଓ ଖଣ୍ଡଗିରି ସମେତ ମୋଟ ୫ଟି ଡ଼କାୟତି ଘଟଣାରେ ସେ ସମ୍ପୃକ୍ତ ଥିଲା।

ଅଭିଯୁକ୍ତ ନଣ୍ଡାର ଘର ପୁରୀ ଜିଲ୍ଲା ଅସ୍ତରଙ୍ଗରେ। ଦୀର୍ଘଦିନ ଧରି ସେ କମିଶନରେଟ୍ ପୋଲସିର ୱାଣ୍ଟେଡ୍ ତାଲିକାରେ ଥିଲା। ନଣ୍ଡା ଗ୍ୟାଙ୍ଗର ଆଉ ଜଣେ ସହଯୋଗୀ ଲାଲୁ ସ୍ୱାଇଁ ପୂର୍ବରୁ ଗିରଫ ହୋଇ ଏବେ ଜେଲରେ ଅଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,  ଗତ ଅଗଷ୍ଟ ମାସରେ ଏକ ଡକାୟତି ଗ୍ୟାଙ୍ଗକୁ ଧରା ଯାଇଥିଲା। ଏହି ଗ୍ୟାଙ୍ଗର ମୁଖ୍ୟ ଥିଲା ଲଣ୍ଡା ଓରଫ ନିରଞ୍ଜନ ସ୍ୱାଇଁ। ତା’ ସହଯୋଗୀମାନେ ଧରା ପଡ଼ିଥିଲେ ସୁଦ୍ଧା ସେ ଫେରାର ହୋଇଯାଇଥିଲା। ଏବେ ପୋଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି। ସେ ୨୦୦୧ରୁ ଡକାୟତି କରି ଆସୁଛି। ତା’ ନାଁରେ ପ୍ରାୟ ୫୦ଟି ମାମଲା ରହିଛି। କେବଳ ୨୦୧୫ ମସିହାରେ ଭୁବନେଶ୍ୱରରେ ତା’ ନାଁରେ ୬ଟି ମାମଲା ରୁଜୁ ହୋଇଛି। ତା’ ନାଁରେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାମଲା ରହିଛି କି ନାହିଁ, ତା’ର ତଦନ୍ତ କରାଯାଉଛି। ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି। ସେ କହିଛନ୍ତି, ଲଣ୍ଡାର ପ୍ରାୟ ସମସ୍ତ ସାଥୀ ବର୍ତ୍ତମାନ ଜେଲରେ ଅଛନ୍ତି।