ଭୁବନେଶ୍ୱର: ପୁଣି ଏକ ଆପାର୍ଟମେଣ୍ଟରୁ ସିରିଜ୍ ଚୋରି

ghanashyam-apartଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ ଏକ ଆପାର୍ଟମେଣ୍ଟର ଏକାଧିକ ଫ୍ଲାଟରୁ ହୋଇଛି ଚୋରି। ନୟାପଲ୍ଲୀ ସ୍ଥିତ ଘନଶ୍ୟାମ ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ହୋଇଛି ଚୋରି। ଗତକାଲି ରାତିରେ ଏହି ଚୋରି  ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆଜି ଏହା ଜଣାପଡ଼ିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।

ଘନଶ୍ୟାମ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ବି-୧, ବି-୨ ଓ ବି-୪ରୁ ଚୋରି ହୋଇଛି। କଟର ସହାୟତାରେ କବାଟ କାଟି ଏହି ଚୋରି କରାଯାଇଛି। ଦୁର୍ବୃତ୍ତମାନେ ଘରର ବିଭିନ୍ନ ଜିନିଷପତ୍ର ଖେଳାଇ ପକାଇ ଦେଇଥିବା ବେଳେ ଆଲମାରୀଗୁଡ଼ିକୁ ତାଡ଼ି ଦେଇଛନ୍ତି। ତେବେ ଘରମାଲିକମାନେ ଅନୁପସ୍ଥିତ ଥିବାରୁ ଚୋରି ହୋଇଥିବା ଜିନିଷ ସଂପର୍କରେ କିଛି ଜଣାପଡ଼ି ନାହିଁ।

ଚୋରି ହୋଇଥିବା ତିନୋଟି ଫ୍ଲାଟରେ କେହି ନ ଥିଲେ। ଜଣେ ଫ୍ଲାଟ୍ ମାଲିକ ବିଦେଶରେ ରହୁଛନ୍ତି। ଅନ୍ୟ ଜଣେ ବେଙ୍ଗଲୁରୁରେ ଅଛନ୍ତି। ସେହିପରି ଆଉ ଏକ ଫ୍ଲାଟର ମାଲିକ କିଛି ଦିନ ହେଲା ନିଜ ଗାଁକୁ ଯାଇଛନ୍ତି।

ଆପାର୍ଟମେଣ୍ଟରେ ତିନିଟି ସିଫ୍ଟରେ ତିନି ଜଣ ସୁରକ୍ଷାକର୍ମଚାରୀ ମୁତୟନ ହେଉଥିବା ସତ୍ତ୍ୱେ ଏଭଳି ସିରିଜ୍ ଘଟଣା ପୁଣି ଥରେ ସହରର ଆପାର୍ଟମେଣ୍ଟଗୁଡ଼ିକରେ ରହୁଥିବା ଲୋକଙ୍କୁ ବିସ୍ମିତ କରିଛି।

ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୭ ତାରିଖରେ ଭୁବନେଶ୍ୱର ପଟିଆ ସ୍ଥିତ ଓମ୍ ସାଇ ଆର୍କେଡ୍ ଆପାର୍ଟମେଣ୍ଟର ଚାରିଟି ଫ୍ଲାଟରେ କଳାକନା ବୁଲାଇ ଦେଇଥିଲେ ଦୁର୍ବୃତ୍ତ। ଘରେ କେହି ରହୁ ନ ଥିବା ସୁଯୋଗରେ ସବୁ ଫ୍ଲାଟର ଗ୍ରୀଲ୍ ଓ ଲକ୍ ତାଡ଼ି ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏଠି ବି ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତି ସତ୍ତ୍ୱେ ଚୋରି ହୋଇଥିଲା।