ଭୁବନେଶ୍ୱର: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ପଳାଶପଲ୍ଲୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଯୁବକଙ୍କ ଗୋଡ କଟି ଯାଇଥିବା ବେଳେ, ହାତ ଗୋଡ଼ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାଁ ପ୍ରଭାତ ନାୟକ।  ତାଙ୍କ ଘର କଟକରେ। ସେ ଭୁବନେଶ୍ୱର ମହାନଗର ନଗମରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଗତ କିଛି ଦିନ ହେଲା ପ୍ରଭାତ ପୁନାମା ଗେଟ୍ ନିକଟରେ ନିଜ ଶ୍ୱଶୁର ଘରେ  ରହୁଥିଲେ। ତାଙ୍କୁ ଶ୍ୱଶୁର ଘର ଲୋକ ହତ୍ୟା କରି ଫୋପାଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ଶ୍ୱଶୁର ଘର ଲୋକେ ଫେରାର ଅଛନ୍ତି।  ତାଙ୍କ ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି। ଯୁବକଙ୍କ ସ୍ତ୍ରୀ ମଧ୍ୟ ଫେରାର ଥିବାରୁ ହତ୍ୟା ନେଇ ସନ୍ଦେହ ଅଧିକ ଘନିଭୂତ ହେଉଛି। ପୋଲିସ ଘଟଣାର ତଦନ୍ତ କରୁଛି।