ବ୍ରହ୍ମପୁର: ପାତ୍ରପୁର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାତ୍ରପୁର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ସେଠୀଙ୍କ ବାସଭବନରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଅନିରୁଦ୍ଧଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଦଳ ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି।

ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ କହିଛନ୍ତି ଯେ ଅନିରୁଦ୍ଧ ସେଠୀଙ୍କ ଏକ ୩ ମହଲା ଘର ସହିତ ଏକ ଅର୍ଦ୍ଧ ନିର୍ମିତ ଘରେ ଚଢ଼ାଉ କରାଯାଇଛି। ତା’ସହିତ ତାଙ୍କ ଶଳା ଓ ଅନ୍ୟ ଜଣେ ବ୍ୟବସାୟିକ ଅଂଶୀଦାରଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ବ୍ରହ୍ମପୁର ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ଦାସଙ୍କ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ତାଙ୍କଠାରୁ ମୋଟ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।