ଧଳସାମନ୍ତ ଭ୍ରାତା ଗିରଫ ମାମଲା: ବିଭିନ୍ନ ସ୍ଥାନରେ ଚଢ଼ାଉ, ୫ ଅଟକ

ଭୁବନେଶ୍ୱର: ଧଳସାମନ୍ତ ବ୍ରଦର୍ସଙ୍କ ସାମ୍ରାଜ୍ୟର ପର୍ଦ୍ଦାଫାସ ଲାଗି ପୋଲିସ ଉଦ୍ୟମ ଚଳାଇଛି। ଆଜି କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସେମାନଙ୍କ ବିଭିନ୍ନ ଆଡ୍ଡା ଉପରେ ଚଢାଉ କରାଯାଇ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଏମାନଙ୍କ ପୂରା ଲିଙ୍କର ନକ୍ସା ପାଇବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ସେହିପରି ଧଳସାମନ୍ତ ବ୍ରଦର୍ସଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି।

ଡି. ବ୍ରଦର୍ସଙ୍କର ଲକ୍ଷ୍ୟ ଥିଲା ମାଫିଆ ଡନ ହେବାକୁ। ଏଥିପାଇଁ ସେମାନେ କ୍ରାଇମ ସମ୍ପର୍କିତ ବିଭିନ୍ନ ବହି ପଢୁଥିଲେ। ଚଢାଉ ବେଳେ ଏଭଳି କିଛି ବହି ପୋଲିସ ହାତରେ ଲାଗିଛି। ମାଫିଆ କୁଇନ୍ସ ଦି ମୁମ୍ବାଇ, ଡୋଙ୍ଗରି ଟୁ ଦୁବାଇ, ଦ ଲାଷ୍ଟ ଡନ ମାରିଓ ପୁଜୋ ଆଦି ଡନ ହେବା ସ୍ୱପ୍ନ ଉପରେ ଲିଖିତ ଏପରି କିଛି ବହି ପଢୁଥିଲେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ। ସେହିଭଳି କାର୍ବାଇନ ସମେତ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଘର ଭିତରେ ହାଇଫାଇ ବାର, ଅତ୍ୟାଧୁତିକ କାର, ଓ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଏମାନଙ୍କ ଡନ ହେବାର ଇଚ୍ଛାକୁ ପ୍ରମାଣିତ କରୁଛି। ୨୩ ବର୍ଷ ହେଲା ନିଜ କଳା ସାମ୍ରାଜ୍ୟର ବିସ୍ତାର କରି ଚାଲିଥିଲେ ଏହି ଦୁଇଭାଇ।

ଏମାନଙ୍କ ପାଖକୁ କେମିତି ଆସୁଥିଲା କଳାଟଙ୍କା, ଅନ୍ୟ ରାଜ୍ୟରେ କେମିତି ସାମ୍ରାଜ୍ୟ ବିସ୍ତାର କଲେ ଡି ବ୍ରଦର୍ସ, ମୁମ୍ବାଇ, ମିରଟ, କୋଲକାତା ଓ ୟୁପିରୁ କେମିତି ପାଉଥିଲେ ଅସ୍ତ୍ରଶସ୍ତ୍ର ତାହାର ତଦନ୍ତ କରାଯାଉଥିବା ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ଡି ବ୍ରଦର୍ସଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲେ ନିର୍ଭୟରେ ଜଣାଇବା ଲାଗି ପୋଲିସ କମିଶନର କହିଛନ୍ତି। ପୋଲିସ ଟିମ ବିଶାଖାପାଟଣା ଓ ଅନ୍ୟ ସ୍ଥାନକୁ ଯାଇ ଏମାନଙ୍କ ଲିଙ୍କ ନେଇ ମଧ୍ୟ ଖୋଳତାଡ ଆରମ୍ଭ କରିଛି। ଧଳସାମନ୍ତ ପରି ଅନ୍ୟ ଟେଣ୍ଡର ଓ ଟ୍ରାନ୍ସପୋର୍ଟ ମାଫିଆଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ପୋଲିସ ଡିଜି କେ.ବି. ସିଂହ କହିଛନ୍ତି।