କଟକ: ଓମ୍ ଓ ଦୀପୁ ହତ୍ୟା ମାମଲାରେ ପୋଲିସ ହାତରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି। ଆଠଗଡ ସ୍ଥିତ ଖୁଣ୍ଟକଟା ଫାର୍ମ ହାଉସ୍ର ଏକ ଘର କାନ୍ଥରେ ରକ୍ତ ଛିଟାର ସନ୍ଧାନ ପାଇଛି ପୋଲିସ। ଏ ନେଇ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରକ୍ତଛିଟା ଲାଗିଥିବା ଘରେ ଓମ୍ ଓ ଦୀପୁକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାଜ୍ୟ ଫରେନ୍ସିକ୍ ଲାବ୍ ଟିମ୍ ଉକ୍ତ ରକ୍ତଛିଟା ସଂଗ୍ରହ କରିଛି। ଏହି ରକ୍ତଛିଟାର ଡିଏନ୍ଏ ଟେଷ୍ଟ କରାଯାଇପାରେ।
ଓମ୍ ଓ ଦୀପୁ ହତ୍ୟା ମାମଲାର ଖୋଳତାଡ଼ କରିବା ପାଇଁ ସାର୍ଫ ସୁଟର ଆରିଫ ଖାନଙ୍କୁ ଆଜି ଖୁଣ୍ଟକଟା ଫାର୍ମ ହାଉସକୁ ପଚରାଉଚରା ପାଇଁ ନିଆଯାଇଥିଲା। ଏସିପି ସ୍ପେଶାଲ ସ୍କ୍ୱାର୍ଡ ପ୍ରମୋଦ ରଥ ଓ ଚାଉଳିଆଗଞ୍ଜ ଆଇଆଇସି ଅଜୟ ଦାସ ଓ ସାଇଣ୍ଟିଫିକ୍ ଟିମ୍ଙ୍କ ସମେତ ଅନ୍ୟ ପୋଲିସ୍ ଅଧିକାରୀ ଫାର୍ମ ହାଉସକୁ ତନ୍ନତନ୍ନ ଯାଞ୍ଚ କରିଥିଲେ। ଏହି ଫାର୍ମ ହାଉସରେ ଓମ୍ ଓ ଦୀପୁଙ୍କ ହତ୍ୟା କରାଯିବା ପରେ ଝାରଖଣ୍ଡରେ ଶବ ନଷ୍ଟ କରାଯାଇଥିଲା। ଓମ୍ ଓ ଦୀପୁ ହତ୍ୟା ମାମଲାରେ ଅଧିକ ଖୋଳତାଡ଼ ପାଇଁ ମଙ୍ଗଳବାର କମିଶନରେଟ୍ ପୋଲିସ୍ ଆରିଫକୁ ରିମାଣ୍ଡରେ ଆଣିଥିଲା।
ପ୍ରଥମେ ଡି’ ଗ୍ୟାଙ୍ଗରେ ଗାଡ଼ି ଚଳାଉଥିବା ଆରିଫ ଦୀପୁ ଓ ଓମ୍ର ହତ୍ୟା ପରେ ସାର୍ପ ସୁଟର ଭାବେ କାମ ଆରମ୍ଭ କରିଥିଲା। ଦୀପୁ ଓ ଓମ୍ ହତ୍ୟା ମାମଲାର ତଦନ୍ତ ବେଳେ ଆରିଫର ନାଁ ଆସିଥିଲା। ତାକୁ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍ ମଦୁରାଇରୁ ଆରିଫକୁ ଗିରଫ କରି ଓଡ଼ିଶା ଆଣିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।