ଗଜପତି: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା, ୬ ଅଟକ

ମୋହନା: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ଲାଗି ମୃତଦେହକୁ ପୋଡି ଦିଆଯାଇଛି। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ତଲାସିଂ ଗାଁରେ। ମୃତକଙ୍କ ନାଁ ତବତିଆ ମଳିକ।

ଗତ ୧୮ ତାରିଖରେ ତବତିଆ ଘରେ ଶୋଇ ବେଳେ ତଲାସିଂ ଗାଁର ୬ଜଣ ଯୁବକ ଆସି ତାଙ୍କୁ ଘରୁ ଟାଣି ନେଇ ମାଡ଼ ମାରିଥିଲେ। ତବତିଆ ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ତାଙ୍କୁ କାତିରେ ହାଣି ହତ୍ୟା କରିଥିଲେ। ପରେ ମୃତଦେହକୁ ଅଭିଯୁକ୍ତମାନେ ୨ କି.ମି. ଦୂର ଏକ ପାହାଡ଼କୁ ନେଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଏ ନେଇ ଅଭିଯୋଗ ହେବା ପରେ ମୋହନା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ମାଟି ନମୂନା ଓ ମୃତଦେହ ପୋଡ଼ା ଯାଇଥିବା ସ୍ଥାନରୁ ପାଉଁଶ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏହା ସହ ସମ୍ପୃକ୍ତ ୬ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଗୁଣିଗାରେଡି ସନ୍ଦେହରେ ସେମାନେ ତବତିଆଙ୍କୁ ମାରି ଦେଇଥିବା ସ୍ୱୀକାର କରିଛନ୍ତି ବୋଲି ପୋଲିସ କହିଛି।