ତଲାସିଂ ଗୁଣିଗାରେଡ଼ି ହତ୍ୟା ଘଟଣାରେ ୭ ଗିରଫ

ମୋହନା: ଗଜପତି ଜିଲ୍ଲା ତଲାସିଂ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା ଘଟଣାରେ ଥାନାରେ ଅଟକ ୭ଜଣ ଯୁବକଙ୍କୁ ମୋହନା ପୋଲିସ୍ ଗିରଫ କରିଛି। ଗତ ୧୮ ତାରିଖ ରାତିରେ ଗାଁର ଘରେ ଶୋଇଥିବା ଅବସ୍ଥାରେ ଏହି ଯୁବକମାନେ ତାଙ୍କୁ ଘରୁ ଟାଣିଆଣି ପ୍ରଥମେ ମାଡ଼ ମାରିଥିଲେ। ଆଉ ତବତିଆ ଅଚେତ ହୋଇଯିବା ପରେ ତାଙ୍କୁ କାତିରେ ହାଣି ହତ୍ୟା କରିଥିଲେ। ଘଟଣା ଏତିକିରେ ଥମି ନ ଥିଲା। ତବତିଆଙ୍କ ମୃତଦେହକୁ ଅଭିଯୁକ୍ତମାନେ ୨କିଲୋମିଟର ଦୂର ଏକ ପାହାଡ଼କୁ ନେଇ ସେଠାରେ ପୋଡ଼ି ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ମୋହନା ପୋଲିସ ହତ୍ୟାକାଣ୍ଡ ସ୍ଥାନରୁ ମାଟି ନମୂନା ସଂଗ୍ରହ କରିବା ସହ ମୃତଦେହ ପୋଡ଼ା ଯାଇଥିବା ସ୍ଥାନରୁ ପାଉଁଶ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଗୁଣି ସନ୍ଦେହରେ ତବତିଆଙ୍କୁ ହତ୍ୟା କରିଥିବା ଗିରଫ ଯୁବକମାନେ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି।

ମୋହନା ପୋଲିସ ପକ୍ଷରୁ କୁହାଯାଇଛି ତଲାସିଂ ଗାଁରେ ବର୍ଷକ ମଧ୍ୟରେ ୨ ଜଣ ରୋଗରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମଧ୍ୟ ୨ଜଣ ରୋଗକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।ରୋଗରେ ୨ଜଣ ପ୍ରାଣ ହରାଇବା ଓ ଅନ୍ୟ ୨ଜଣ ରୋଗାକ୍ରାନ୍ତ ହେବା ଘଟଣା ପାଇଁ ଗ୍ରାମବାସୀ ବଇଦ କାମ କରୁଥିବା ତବତିଆ ମଲିକଙ୍କୁ ଦାୟୀ କରିଥିଲେ। କେବଳ ସେତିକି ନୁହେଁ ରୋଗାକ୍ରାନ୍ତଙ୍କୁ ଭଲ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ।  ତେବେ ରୋଗୀମାନେ ଭଲ ନହେବାରୁ ଗତ ୧୮ ତାରିଖ ସନ୍ଧ୍ୟାରେ ୮ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।  ସେମାନେ ଲାଠିରେ ମାଡମାରି ତାଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋଡି ଦେଇଥିଲେ। ପରିବାର ଲୋକଙ୍କୁ ଧମକ ଦେଇଥିବାରୁ  ସେମାନେ ଥାନାରେ ଏତଲା ଦେଇ ନ ଥିଲେ। ଖବର ପାଇ ସରପଞ୍ଚ ଓ ସ୍ଥାନୀୟ ପୋଲିସ ଗ୍ରାମକୁ ଯାଇଥିଲେ।   ଗତ ୨୦ ତାରିଖରେ ମାମଲା ରୁଜୁ କରାଯାଇଥିଲା।  ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ ତଦନ୍ତ ଜାରି ରହିଛି।