ଝାରସୁଗୁଡା: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଇବନଦୀ କୂଳରୁ ପୋତାଯାଇଥିବା ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କୁ ହତ୍ୟା କରାଯିବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ହେଲେ ବଡ଼ମାଳ ଥାନା ଅନ୍ତର୍ଗତ ପତରାପାଲି ଗାଁର ସଞ୍ଜୟ ନାୟକ।

ସଞ୍ଜୟ ନିଖୋଜ ନେଇ ତାଙ୍କ ବାପା ବଡ଼ମାଳ ଥାନାରେ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ସଞ୍ଜୟଙ୍କୁ ଖୋଜାଖୋଜି କରୁଥିଲା।

କୌଣସି ସୂତ୍ରରୁ ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅନ୍ତର୍ଗତ କୁତାବଗା ଗ୍ରାମ ନିକଟ ଇବନଦୀ କୂଳରେ ଜଣେ ଯୁବକଙ୍କ ମୃତଦେହ ପୋତା ଯାଇଥିବା ପୋଲିସ ଖବର ପାଇ ସେଠାକୁ ଯାଇଥିଲା। ମାଟି ଖୋଳା ଯାଇ ଶବ ବାହାର କରାଯିବା ପରେ ଏହା ନିଖୋଜ ସଞ୍ଜୟଙ୍କର ବୋଲି ଜଣାପଡିଥିଲା। ଏବେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।