ଖୋଲୁଛି ଡି’ ବ୍ରଦର୍ସଙ୍କ ଆର୍ଥିକ ଗୁମର ପେଡି

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ଆର୍ଥିକ ଗୁମର ପେଡି ଖୋଲିବାରେ ଲାଗିଛି। ଟଙ୍କା କେଉଁଠୁ ଆସୁଥିଲା, କେଉଁଠି ବିନିଯୋଗ ହେଉଥିଲା ତାହାର ଗୁମର ଧିରେ ଧିରେ ଫିଟୁଛି। ଦୁଇ ଭାଇଙ୍କ ପାଖରୁ ଜବତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ୨୩ଟିରୁ ୨କୋଟି ୨୦ହଜାର ଟଙ୍କା ଠାବ କରାଯାଇଛି।

ଦାଦାବଟି, ଟେଣ୍ଡର ଫିକ୍ସିଂ, ଅପହରଣ ଓ ବାଲିଘାଟ ନିଲାମରୁ ୫ଶହ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଥିଲେ ଦୁଇଭାଇ। ଜଳସେଚନ, ଆରଡି ଓ ଇଲେକ୍ଟ୍ରିକାଲ ଡିଭିଜନର ଠିକା କାମ ନିଜ ନାଁରେ କରାଉଥଲେ ଦୁଇ ଭାଇ। ଏହାକୁ ନିଜ ଅନୁଗତଙ୍କ ଜରିଆରେ କରାଉଥିଲେ। ସୁଶୀଲ ମେଟାଫର ନାମକ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ଉଭୟେ ଏହାର ନିର୍ଦ୍ଦେଶକ ଥିଲେ। ବର୍ଷକୁ ୧୫ଲକ୍ଷ ଟଙ୍କା ରୋଜଗାର ଦେଖାଇ ଆୟକର ଦେଇ ଆସୁଥିଲେ ମଧ୍ୟ ପ୍ରାୟ ଶହେ କୋଟି ଟଙ୍କାର କାରବାର କରୁଥିଲେ। ଦେଶର ବିଭିନ୍ନ ସ୍ଥାନରେ ଅପରାଧିଙ୍କ ସହ ମିଶି ଚୋରା ବନ୍ଧୁକ ସହ ସ୍ମଗଲିଂ ବି କରୁଥିଲେ ଦୁଇଭାଇ।

ଅପରାଧ ଦୁନିଆରେ ଚେର ମଜଭୁତ କରିସାରିବା ପରେ ସୁଶୀଲ ନିଜର ସ୍ୱଚ୍ଛ ଛବି ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲା। ନିଜ ଛବି ସୁଧାରିବା ପାଇଁ ସୁଶୀଲ କଟକ ନଗର ଯୁବକ ସଂଘ ଗଢିଥିଲା। ଯେଉଁଥିରେ ନିଯୁକ୍ତି ହୋଇଥିଲେ ୩୦୦ ଯୁବକ। ସମସ୍ତଙ୍କୁ ମାସିକ ୫ରୁ ୧୦ହଜାର ଲେଖାଏଁ ଟଙ୍କା ଦରମା ଦିଆଯାଉଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱରରେ ୧୬ଶହ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହସ୍ପିଟାଲ କରିବାକୁ ମଧ୍ୟ ଯୋଜନା କରିଥିଲେ ଦୁଇଭାଇ। ଯାହାର ସ୍କେଚ ପୋଲିସ ହାତରେ ଲାଗିଛି। ପୋଲିସ ଡି’ ବ୍ରଦର୍ସଙ୍କ ଅର୍ଥ କାରବାର ଉପରେ ତଦନ୍ତ ଚଳାଇଥିବା ବେଳେ ଚଢାଉ ଦିନ ଏତେ ପରିମାଣର ନଗଦ ଅର୍ଥ କେଉଁଠୁ ଆସିଥିଲା ସେ ନେଇ ମଧ୍ୟ ତଦନ୍ତ କରାଯାଉଥିବା କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି।