ଖୋର୍ଦ୍ଧା: ଯୁବକଙ୍କୁ ଗୁଳି କରି ହତ୍ୟା

ଖୋର୍ଦ୍ଧା: ପୂର୍ବ ଶତୃତା ଏବଂ ଦୁଇ ଗୋଷ୍ଠୀ ଭିତରେ ବିବାଦ କାରଣକୁ ନେଇ ଜଟଣୀ ସହରରେ ପୁଣି ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ଘଟିଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜଟଣୀ ଅନ୍ତର୍ଗତ ବାଛରା ଗାଁର ଗୋପବନ୍ଧୁ ଛକ ନିକଟରେ ଗୁଳି ମାଡ଼ ସହିତ ଭୁଜାଲି ଆକ୍ରମଣରେ ସେହି ଗାଁର ପ୍ରଶାନ୍ତ ସୁନ୍ଦରାୟ ଓରଫ କାଳିଆଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାଁ ଗୁରୁଦେବ ନାୟକ।

କାଳିଆ ଗୋପବନ୍ଧୁ ଛକରେ ଏକ ପାନ ଦୋକାନରେ ବସିଥିବା ବେଳେ ୭ ରୁ ୮ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ କାଳିଆଙ୍କ ଗାଡ଼ି ଉପରେ ଗୁଳି ମାଡ଼ କରିବା ସହିତ ପଛ କାଚକୁ ଭାଙ୍ଗି ଦେଇଥିଲେ। ଏହାପରେ ସେଠାରେ ପ୍ରାୟ ୫ ରାଉଣ୍ଡ ଗୁଳି ଫୁଟାଇବା ସହିତ ଧାରୁଆ ଅସ୍ତ୍ର ଯୋଗେ କାଳିଆଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କ ବେକ ଏବଂ ମୁଣ୍ଡରେ ଚୋଟ ମାରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆକ୍ରମଣରେ ଗୁରୁତର ହୋଇଥିବା ଗୁରୁଦେବ ନାୟକଙ୍କୁ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଜଟଣୀ ପୋଲିସ୍ ଘଟଣାର ତଦନ୍ତ କରୁଛି।